ଜଣେ ଚପରାଶି ଆସି ଅଫିସରେ ବିନୋଦ ଆଡ଼କୁ ଅନାଇଁ କହିଲା, "ଏସ ଡି ଓ ସଲାମ ଦେଇଛନ୍ତି।" ବିନୋଦ କିଛି ବୁଝି ନ ପାରି ନିଜ କାମରେ ବ୍ୟସ୍ତ ରହିଲା। ପୁରୁଣା କିରାଣୀ ଜଣେ କାମ କରୁଥିଲେ, ସେ କହିଲେ, "ଗଲେ ନାହିଁ ?"
ବିନୋଦ - କୋଉଠି କି ?
କିରାଣୀ - କଲେକ୍ଟର ଡାକିଲେ ପରା ?
ବିନୋଦ - କେତେବେଳେ ?
କିରାଣୀ - ହେଇପରା ଚପରାଶି କହିଗଲା ସଲାମ ଦେଇଛନ୍ତି।
ଏବେ ବିନୋଦ ବୁଝିଲା ସଲାମ ମାନେ ଡାକିବା। ସେ ଭାବିଲା, ଇଂରେଜ ତ ଗଲେଣି, କିନ୍ତୁ ସେହି ଛାଞ୍ଚ, ସେହି ଗତ ରହିଛି, କେତେ ଦିନ ଏହା ରହିବ କିଏ ଜାଣେ ?
ରାଘବ ଚୌଧୁରୀ ବିନୋଦକୁ ଦେଖି ମିଠା ହସଟିଏ ହସି ଟାଇପ ହୋଇଥିବା ଆଦେଶଟିଏ ବଢ଼ାଇ ଦେଲେ।
ଗୋଟିଏ ଦୂର ଗାଁରେ ଦୁଇ ଦଳ ଭିତରେ ଝଗଡ଼ା ହୋଇଛି, ସେଠାକୁ ଯାଇ ତଦନ୍ତ କରି ରିପୋର୍ଟ ଦେବାକୁ ଆଦେଶରେ କୁହାଯାଇଛି।
ବିନୋଦ - "ସାର, ମୁଁ ବୁଝିପାରୁ ନାହିଁ ଯେ, ସେ ତହସିଲର ତହସିଲଦାର ସୁନୀଲ ବାବୁ ତ ଅଛନ୍ତି, ସେ ସେଠିକାର ହାଲ ଚାଲ ଜାଣନ୍ତି, ତାଙ୍କୁ ଏ ତଦନ୍ତ ନ ଦିଆଯାଇ ମୋ ଭଳି ଏକ ତଳ କର୍ମଚାରୀକୁ କାହିଁକି ଦିଆଯାଇଛି ?"
ରାଘବ ଚୌଧୁରୀ - "ନାଇଁ ନାଇଁ, ଯେତେହେଲେ ବି ସେ ପିଲାଳିଆ। ଗାଁ ଲୋକ ବି ଜଣେ ଅଲଗା ଲୋକ ଦ୍ୱାରା ତଦନ୍ତ ହେଉ ବୋଲି ଗୁହାରି କରିଛନ୍ତି।"
ବିନୋଦ - "ଆପଣ ଏ କାମ ନିଜେ କରନ୍ତୁ, ଏଇଟା ମୋ କାମ ନୁହେଁ, ମୁଁ ଏ ତଦନ୍ତ କରିପାରିବି ନାହିଁ।"
ଚୌଧୁରୀ ବାବୁ - "ଆପଣଙ୍କ ପ୍ରମୋଶନ ପାଇଁ ମୁଁ ଆପଣଙ୍କ ନାଁ ଟା କଲେକ୍ଟରଙ୍କୁ କହି ତଦନ୍ତ ଲିଷ୍ଟରେ ଯୋଡ଼ିଛି। ଆପଣ ଯେମିତି ବି ତଦନ୍ତ କଲେ ଚଳିବ, ସେ ରିପୋର୍ଟ ମୋତେ ଦେବେ, ମୁଁ ତାକୁ ଠିକ୍ କରି କଲେକ୍ଟରଙ୍କ ପାଖକୁ ପଠାଇବି।"
ବିନୋଦ - "ମୋର ଏ ତୋଷାମଦିଆ ପ୍ରମୋଶନ ଦରକାର ନାହିଁ, ସେଦିନ ଭୁଲରେ ଏ ପ୍ରମୋଶନ କଥା କହି ମୁଁ ଅନୁତପ୍ତ। ତା' ପରେ ତଦନ୍ତ କାର୍ଯ୍ୟ ମୁଁ ଏକା କରିବାକୁ ସମର୍ଥ, ଏଥିରେ ଆପଣଙ୍କ ସହଯୋଗ ମୋର ଆଦୌ ଲୋଡ଼ା ନାହିଁ।"
ଚୌଧୁରୀ ବାବୁ ଗମ୍ଭୀର ହୋଇ କହିଲେ, "ଭାବନ୍ତୁ ନାହିଁ ଆପଣଙ୍କୁ ମୁଁ ପ୍ରଭାବିତ କରିବା ପାଇଁ ଚାହୁଁଛି, କଥା କଣ କି ଏଇଟା ଗୋଟେ ଶାସନଗତ ବିଷୟ, ଆପଣ ଆଗେ ଯାଇ ସେ ଗାଁ ବୁଲି ଆସନ୍ତୁ, ତା ପରେ ମୁଁ ସବୁ କଥା କହିବି। କିପରି କାମ ହେବ, କିପରି ଗଣ୍ଡଗୋଳ ବନ୍ଦ ହେବ, କିପରି ଦୁଷ୍ଟ ଲୋକ ଜବତ୍ ହେବେ, କିପରି ମନ୍ତ୍ରୀ ଖୁସି ହେବେ, ଅନ୍ତତଃ ବିରକ୍ତ ହେବେ ନାହିଁ। ଏଣେ କାଗଜପତ୍ରରେ ଏପରି କିଛି ନ ଥିବ ଯାହାକୁ ଧରି ଓକିଲମାନେ ଅପିଲରେ ଗଲେ ଜଜ୍ କୋର୍ଟରେ ହାଇ କୋର୍ଟରେ ଆମକୁ ଅପଦସ୍ତ କରିପାରିବେ। କେମିତି ଏ ସବୁ କୁଳରକ୍ଷା ହେବ, ତଦନ୍ତ ରିପୋର୍ଟଟି ହେବ ତାରି ମୂଳଦୁଆ, ତା ଗୁରୁତ୍ୱ ବୁଝୁଛନ୍ତି ତ ?"
ବିନୋଦ - "ଆପଣଙ୍କୁ ଏ ସବୁ ବିଦ୍ୟା ଜଣା। ଆପଣ ତଦନ୍ତ କରନ୍ତୁ। ମୋର ଏଥିରେ ପଶିବାର ନାହିଁ।"
ଚୌଧୁରୀ ବାବୁ - "ଆପଣ ଖାଲି ଯାଇ ସେ ଗାଁ ବୁଲି ଆସନ୍ତୁ। ବାକି କାମ ମୁଁ ଏଇଠି ବସି ସବୁ କରିଦେବି।"
ବିନୋଦ - "ମୁଁ ଯଦି ଯିବି ମୋ ତଦନ୍ତ ରିପୋର୍ଟ ମୁଁ ସିଧା କଲେକ୍ଟରଙ୍କୁ ଦେବି। ସେଥିରେ କାହାରି ହେରଫେର ମୁଁ କରିବାକୁ ଦେବି ନାହିଁ।"
ଚୌଧୁରୀ ବାବୁ - "ଓହୋ, ଆପଣ କିଛି ବୁଝୁ ନାହାନ୍ତି। ଶାସନର ହିତ ଦିଗଟା ଆମକୁ ଚିନ୍ତା କରିବାକୁ ପଡ଼ିବ କି ନାହିଁ ?"
ବିନୋଦ - "ମୁଁ ଯାହା ଦେଖିବି, ସେୟା ଲେଖିବି। ମୋ ବିଚାର ଓ ବିବେକର ବେକ ମୋଡ଼ି ପାରିବି ନାହିଁ।"
ରାଘବ ଚୌଧୁରୀ -"ମୋର ଯାହା ଯାହା କହିବା କଥା ସବୁ କହି ସାରିଛି। ଖାଲି ଏତିକି ମନେରଖିବେ ଯେ, କେବଳ ମକଦ୍ଦମା ଚଳାଇବା ଆମ କାମ ନୁହଁ, ଶାସନ ସମ୍ପର୍କୀୟ ଦାୟିତ୍ୱ ବି ଆମ ଉପରେ ଥାଏ। କାର୍ଯ୍ୟ ଦକ୍ଷତା କଥା ବିଚାର କଲା ବେଳେ ଏ ଦୁଇଟି କଥା ଦେଖାଯାଏ।"
ଏ କଥା ଉହାଡ଼ରେ ଯେଉଁ ଧମକ ଥିଲା, ବିନୋଦ ତାକୁ ବୁଝିପାରିଲା। କହିଲା, "ଦେଖନ୍ତୁ, ଯାହାଙ୍କର ଯେପରି ଇଚ୍ଛା, ମଣିଷ କାମ କଲେ ଗଲା। ସତକୁ ଜଗିଥିଲେ, ଅନ୍ୟାୟ କିଛି ନ କଲେ, କେହି ପୁରସ୍କାର ନ ଦେଉ ପଛେ ବିପଦ ପଡ଼ିବ ନାହିଁ, ସେଇଟା ମୁଁ ଜାଣେ।"
"ହୁଁ" ରାଘବ ଚୌଧୁରୀ କହିଲେ, ତା ଆଖିକୁ କଟମଟ କରି ଅନାଇଲେ। କହିଲେ, ହଉ "ଯାଉନ୍ତୁ।"
୨୪.୬.୧୯

No comments:
Post a Comment