ବିନୋଦ କହିଲା, "ଦେଖ ବାବା, ଏଠି ଏମିତି କଳି ଗୋଳ କଲେ ଇନକ୍ୱାରୀ ବନ୍ଦ ରହିବ, କାହାର କିଛି ମଙ୍ଗଳ ହେବ ନାହିଁ।
ସେମାନେ ତୁନି ହେଲେ।
ବିନୋଦ କହିଲା, "ଚାଲ ଏବେ ଯିବା ଗୋପୀନାଥ ମହାପ୍ରଭୁଙ୍କ ମନ୍ଦିର ଦୁଆରମୁହଁକୁ। ସେଠାରୁ ମୋତେ ଯାତ୍ରା ପଡ଼ିଆକୁ ନେଇଯିବ।"
ମନ୍ଦିର ଦୁଆରମୁହଁରେ ପହଞ୍ଚିବା ପରେ ଲୋକେ କହିଲେ ଆଜ୍ଞା ଆସନ୍ତୁ ମନ୍ଦିର ଭିତରକୁ। ବିନୋଦ ମନାକଲା କହିଲା, ଆଗେ ଠାକୁରଙ୍କ କାମ, ତା'ପରେ ଦର୍ଶନ।
ଆଗ ମୋତେ ଦେଖାନ୍ତୁ କେଉଁବାଟେ ଠାକୁରଙ୍କୁ ବାଟ କଢ଼ାଇ ନେବେ। ଦୁଇ ଦଳର ଲୋକେ ଆଗେ ଆଗେ ଚାଲିଲେ। ଦୁଇଟି ସାହି ଯିବାପରେ ଆସିଲା ଓସାର ଦାଣ୍ଡ। ବଡ଼ ବଡ଼ ଘର। ଗୋପୀନାଥ ସାହିର ଲୋକମାନଙ୍କ ଭିତରୁ ଯାହା ଘର ପଡୁଥାଏ ସେ ଡାକୁଥାଏ, ଆମ ଘରେ ଟିକେ ହଜୁରଙ୍କ ପାଦ ପଡୁ। ବିନୋଦ ମନା କରି ଦେଇ ଆଗକୁ ଚାଲୁଥାଏ। ବଡ଼ ଓସାର ଦାଣ୍ଡ ସରିବା ପରେ ଦୁଇ ଆଡ଼ିଆ ରାସ୍ତା ପଡ଼ିଲା। ଗୋପୀନାଥ ଦଳ ଲୋକେ କହିଲେ ଏବେ ଡାହାଣ ପଟକୁ ଯିବାକୁ ହେବ।
ରଘୁନାଥ ପଟରୁ ହାଉଯାଉ ଶୁଭିଲା। ନାଇଁ ହଜୁର, ବାଏଁ ହେଲା ସାବକ ବାଟ। ବିନୋଦ ଅଟକିଲା, ପଚାରିଲା, "ଆପତ୍ତି କେଉଁ ବିଷୟରେ ?"
ରଘୁନାଥ ଦଳ - ସେହିବାଟେ ସବୁ ବର୍ଷ ଠାକୁରଙ୍କୁ ନିଆଯାଉଥିଲା। ତୋଟା, ପୋଖରୀ, ଛାଡ଼ି ଛାଡ଼ିକା ଘର, ବାହାରେ ବାହାରେ ସେଇ ରାସ୍ତାଟି ଯାଇଛି ଯାତ୍ରା ପଡ଼ିଆକୁ।
ଗୋପୀନାଥ ଦଳ - ମିଛ ମିଛ । ଡାହାଣ ପଟ ବାଟ ପଡ଼ିଛି ରଘୁନାଥ ମନ୍ଦିରକୁ। ସେଠାରୁ ସିଧା ରାସ୍ତା ପଡ଼ିଛି ଯାତ୍ରା ପଡ଼ିଆକୁ।
ବିନୋଦ ପୋଲିସ ସବଇନସ୍ପେକ୍ଟରଙ୍କୁ ପଚାରିଲା, "ଗତ ବର୍ଷ, ତା ପୂର୍ବ ବର୍ଷ କେଉଁବାଟେ ଯାଇଥିଲେ ? ଆପଣ ଅନୁମତି ଦେଇଥିଲେ ପରା ? ରେକର୍ଡ଼ ବି ଥିବ କୁହନ୍ତୁ -"
"ମୋର ମନେ ନାହିଁ ସାର, ରେକର୍ଡ଼ ଦେଖିଲେ ଜଣା ପଡ଼ିବ।"
ବିନୋଦ ଇନ୍ସପେକ୍ଟରଙ୍କୁ ପଚାରିଲା, "ଆପଣ ତ ଇନକ୍ୱାରୀ କରିଥିଲେ, ଜାଣିଥିବେ, କୁହନ୍ତୁ।"
ଇନସ୍ପେକ୍ଟର ସବଇନ୍ସପେକ୍ଟରଙ୍କୁ ପଚାରିଲେ, "ସବୁ ପୁରୁଣା ରେକର୍ଡ଼ ଆଣିଛନ୍ତି ତ, ମୁଁ କହୁଥିଲି ଦରକାର ପଡ଼ିବ ବୋଲି।"
"ସାର, ବସାରେ ଅଛି।"
ନେଇ ଆସନ୍ତୁ। ମାଜିଷ୍ଟ୍ରେଟ ସାହେବ ଦେଖିବେ।
ବିନୋଦକୁ ଇନ୍ସପେକ୍ଟର କହିଲେ, ରେକର୍ଡ଼ରେ ଯାହାଥିବ ବାହାରିବ ସାର, କଥା ସେଠି ନାହିଁ। ଠାକୁରଙ୍କ ପଟୁଆର ଯିବ ବୋଲି ଗାଁ ଲୋକ ରାସ୍ତା ଚିହ୍ନଟ କରି ଦରଖାସ୍ତ ଦେଲେ, ସେ ବାଟ ଡାହାଣ ପଟ। ଇନକ୍ୱାରୀ ହେଲା। ଦେଖାଗଲା ଅସୁବିଧା କିଛି ନାହିଁ। ଡାହାଣ ପଟେ ବସ୍ତି ସବୁ ଅଛି, ଲୋକେ ଦର୍ଶନ କରିବେ, ଗାଁର ଉତ୍ସବ ତ।"
ରଘୁନାଥ ଦଳ - "ଆମେ ଇନକ୍ୱାରୀ ଫିନ୍ କ୍ୱାରୀ କିଛି ଜାଣି ନାହୁଁ।"
ଇନ୍ସପେକ୍ଟର - "ଜାଣି ନାହଁ ? ତୁମକୁ ଏସ ଡି ଓ ସାହେବ, ତହସିଲଦାର ସାହେବ କିଛି ବୁଝାଇ ନାହାନ୍ତି ?"
ଉତ୍ତର - ହାଉ ହାଉ
ବିନୋଦ କହିଲା, "ଚାଲ ସେହି ଡାହାଣ ପଟ ରାସ୍ତା କେମିତି ଅଛି, ଦେଖି ଆସିବା।"
ଗୋପୀନାଥ ଦଳ ଵାଲା ବାଟ କଢ଼ାଇଲେ। ପୂରା ସରୁ ଗହଳି ରାସ୍ତା। ସରୁ ବାଟଟିଏ ପଡ଼ିଛି ରଘୁନାଥ ମନ୍ଦିରକୁ। ସେଠୁ ପୁଣି ବସ୍ତି ବାଟ ଦେଇ ବାଁକୁ ବଙ୍କେଇ ଯାଇଛି ତୋଟାକୁ। ତୋଟା ସେପାଖେ ମନ୍ଦିର ଅଛି ସିଦ୍ଧେଶ୍ୱର ମହାଦେବଙ୍କର।
ବିନୋଦ ପଚାରି ବୁଝି ସାରିଲାଣି, ସେ ବସ୍ତିରେ ରୁହନ୍ତି ରଘୁନାଥ ଦଳର ଲୋକେ। ଚାଷୀ, ମୂଲିଆ, ଗାଁର ଅନ୍ୟ ବୃତ୍ତିଧାରୀ ଲୋକମାନେ। ଠାକୁରମାନଙ୍କ ଯାତ୍ରା ହୁଏ ସିଦ୍ଧେଶ୍ୱର ମହାଦେବଙ୍କୁ ଲାଗିଥିବା ବଡ଼ ପଡ଼ିଆ।
ବିନୋଦ ଇନ୍ସପେକ୍ଟରଙ୍କୁ ପଚାରିଲା, "ସିଧା ସିଧା ପଟୁଆରକୁ ପଡ଼ିଆକୁ ନ ନେଇ ଏ ବାଟ ବାଛିବାର କାରଣ ?"
ଆମ ଆଡୁ କାରଣ ତ କିଛି ନାହିଁ, "ଦରଖାସ୍ତକାରିଏ ଏଇ ରାସ୍ତା ମାଗିଲେ, ଜଣାଗଲା ଆପତ୍ତି କିଛି ନାହିଁ, ମଞ୍ଜୁରୀ ଦିଆଗଲା।"
ବିନୋଦ କହିଲା ବାମ ପଟ ରାସ୍ତା ଦେଖାଅ।
ରଘୁନାଥ ଦଳ ଵାଲା ଖୁସି ହେଲେ। ବାଟ ଦେଖାଇଲେ ବହୁତ ଓସାର ରାସ୍ତା ଠାକୁର ଯିବେ ଲୋକେ ଯିବେ, ସଂକୀର୍ତ୍ତନ ଦଳ ଯିବ, ବାଜା ଵାଲା, ଏ ସବୁ ପାଇଁ ତ ପର୍ଯ୍ୟାପ୍ତ ଚଉଡ଼ା ରାସ୍ତା ଅଛି। ତେବେ ଏ ରାସ୍ତା ଛାଡ଼ି ସେ ରାସ୍ତାରେ ଯିବା ପାଇଁ ଜିଦ୍ କାହିଁକି ?
ରଘୁନାଥ ଦଳ - ବର୍ଷ ବର୍ଷରୁ ଏଇ ରାସ୍ତା ହିଁ ଠାକୁରଙ୍କ ଯିବା ରାସ୍ତା ଥିଲା। ଏଇ ଦୁଇ ବର୍ଷ ହେବ ଆମକୁ ଡରେଇ ଧମକେଇ ମିଛ କେଶ କରି ଡାହାଣ ପଟେ ନେଉଛନ୍ତି। ଏ ଥର ଯାହା ବି ହେଉ ଆମେ ମରିବୁ ପଛେ ଛାଡ଼ିବୁ ନାହିଁ।
ବସ ଫେରିବାକୁ ଆଉ ଅଧ ଘଣ୍ଟାଏ ବାକି ଥିଲା। କଣ ଫଇସଲା ହେଲା ବୋଲି ଉଭୟ ପଟର ଲୋକେ ପଚାରିଲେ। ବିନୋଦ କହିଲା, ମୋତେ ରିପୋର୍ଟ ଦେବାକୁ ହେବ। ମୁଁ ଯାହା ଦେଖିଲି ସେଇଆ ରିପୋର୍ଟ ଲେଖିବି। ବିନୋଦ ଚିନ୍ତା କରୁଥାଏ ଏ ରକ୍ଷକ ବାହିନୀ ଯିଏ ସମାଜକୁ ସୁରକ୍ଷା ଦେବା କଥା ସେ କାହିଁକି ବଡ଼ ବଡ଼ିଆଙ୍କ ସଖୀ କଣ୍ଢେଇ ସାଜି ଦୁର୍ବଳଙ୍କ ଉପରେ ଅତ୍ୟାଚାର କରିଚାଲିଛି ?
ବସ ଆସିଲା। ଜଗୁ ଓ ବିନୋଦ ଘରକୁ ଫେରି ଆସିଲେ।
୨୯.୬.୧୯

No comments:
Post a Comment