ବିପିନ୍ ର ବନ୍ଧୁ ହେଲା ରବି। ରବି ପାଇଁ ସେ ଆପଣା ଧନ କି ସମୟ କି ସୁବିଧାରୁ ବି କିଛି ସହିପାରେ, କିନ୍ତୁ ବୁଦ୍ଧିର ଦଉଡ଼ରେ ସେ ଆଗରେ ରହିବାକୁ ଚାହେଁ।
ବିପିନ୍ ପାଇଁ ସର୍ବସ୍ୱ ହେଲା ସରକାରୀ ଖୋଳପା। ତାରି ଭିତରେ ସେ ରବି ହେଉ ବା ପାଟେଳି ଗାଁର ଲୋକ ହୁଅନ୍ତୁ, ତଉଲାଉ ଥାଏ।
ଗହୀର ସେକରେ ପାଟେଳିଗାଁର ଗହଳି ଗଛର ଧାଡ଼ି ବିପିନ୍ ର ଆଖିରେ ପଡୁ ପଡୁ ତା ମନରେ ସେହି ଉତ୍ସାହ ଖେଳି ଯାଉଥାଏ। ଘଟନା ଅତି ସାଧାରଣ, ସେହି ନିତି ଦିନର କଥା - ଦୁଇଟା ମତ। ବାଡ଼ ବାଡ଼।
ଗୋଟିଏ ପଟ କହିଲେ, "ତୁମେ ମାଟି ତାଡ଼ି ତାଡ଼ି କେଉଁ ଦିନ ଗାଁକୁ ସ୍ୱର୍ଗକୁ ଉଠାଇବ ? ପଞ୍ଚାୟତ ଗଢ଼, ସରକାର ଟଙ୍କା ଆଣ, ସବୁ କାମ ସାଙ୍ଗେ ସାଙ୍ଗେ ହେବ। ପଞ୍ଚାୟତ ଗଢ଼ିବା ପାଇଁ ଭୋଟ୍ ଦିଅ।
ଆଉ ଗୋଟେ ପଟ କହିଲେ, "ଆମକୁ ବାଦ୍ ଦିଅ। ମୁଣ୍ଡ ନାଇଁ କି ଗୋଡ଼ ନାଇଁ, ଆମେ ସମସ୍ତେ ଭାଇ ଭାଇ। ଗାଁ ଚଳଣୀଟା ବାଦୀ ପାଲା ନୁହେଁ। ଭୋଟ୍ ନଢ଼େଇ ଲଗେଇଲେ ରାଗ ଋଷା ବଢ଼ିବ। ସାନ ଦଳ ବଡ଼ ଦଳ କଳି ଲାଗିବ। ମିଳା ମିଶାରେ କାମ ହେବ ନାହିଁ। ଭଙ୍ଗା ରୁଜା ଆଉ ବିରୋଧ କରିବାରେ ବ୍ୟସ୍ତ ରହିବେ। ଆମ ଗାଁକୁ ସେ ଦୁର୍ଦ୍ଦଶା ନ ଘୋଟୁ। ବୁଝେଇ ସୁଝେଇ ମଙ୍ଗେଇ ପଟେଇ ସମସ୍ତିଙ୍କର ଏକମତରେ କାମ ହେଉ।"
ଗୋଟିଏ ପଟ କହିଲେ ଆମେ ପଞ୍ଚାୟତ ଗଢ଼ି ସରକାରରୁ ଅର୍ଥ ଆଣିବୁ।
ଆର ପଟ କହିଲେ, "ଆମେ କଣ ହାତ ବାନ୍ଧି ବସିବୁ, କୁଆଡୁ ଆସିଲେ ଆମେ ଖାଇବୁ ? ତୁମ (ସରକାର) ଇଚ୍ଛାରେ ଗାଁ ଚାଲିବ। ରଖ ହୋ ତମ ବିଚାର।"
ଏମିତି ଗୋଳମାଳ ପାଟିତୁଣ୍ଡରେ କୋଠ ଦୁଇଭାଗ ହୋଇଯାଇଥିଲା।
ଏମିତି ଗାଁ ପରେ ଗାଁ ଗଡ଼ ପରେ ଗଡ଼ ଭିତରୁ ସ୍ୱାଧୀନତା, ସ୍ୱାବଲମ୍ବନ ଅପସରି ଯାଉଥିଲା, ପରାଧୀନତା, ମାଗଣା ଖାଇବା, ବିନା ପରିଶ୍ରମରେ ଅର୍ଥ ଉପାର୍ଜନର ବୀଜ ବପନ କରାଯାଉଥିଲା।
୪.୬.୧୯

No comments:
Post a Comment