Saturday, 8 June 2019

*ତା କାଳ ପୂରିଛି*

ରବିର କଥା ଶୁଣି ବିପିନ ଅନୁଭବ କଲା ସତରେ ସେ ଅଟକି ଯାଇଛି। ହିସାଵ, ଆଇନ ମାନିବା, ହୁକୁମ, ଡରଭୟଭଳି ଅଭ୍ୟସ୍ତ ଅନୁଭୂତି ସାହାଯ୍ୟରେ ସେ ଅନୁଭବ କରିପାରୁଛି, ତାଠି ବହୁତ ଲଗାମ। ତା'ର ଆଗ ଦରକାର ଦରମା, ଦରମାରେ ବଢ଼ତି, ଶେଷରେ ତା'ର ପେନସନ୍ ଗଣ୍ଡାକ। ତା'ର ଚେତନା ବିଶ୍ୱାସରୁ ଅବିଶ୍ୱାସକୁ ବଦଳୁ ବଦଳୁ, ତା ତୁଣ୍ଡରୁ ବାହାରି ପଡ଼ିଲା, "ଭାବ କି ଭାବନାର ପାଗଳାମୀ ଏଠି ଦେଖୁଛି।"

ରବି ପ୍ରସନ୍ନ ହୋଇ କହିଲା, "ଠିକ୍ ଦେଖୁଛ। ନାନା ଆଶଙ୍କା ସହି ସହି ମାଟି ବୋଧ ହୁଏ ପାଗଳ ହେଉଛି। ସନ୍ଦେହ, ମନାନ୍ତର, ଯୁଦ୍ଧ-ସଜ୍ଜା ଆଉ ଗୋଟିଏ ଚରମ ପରିଣତିର କଳା ଛାଇ, ସବୁବେଳେ ଧ୍ୱଂସ। ପାଗଳ ନ ହୋଇ ଧୀରମତି ସ୍ଥିରବୁଦ୍ଧିରେ ବୁଦ୍ଧିମାନ୍ ଲୋକେ ଯଦି ସେହି ପରିଣତି ଆଡ଼କୁ ସଂସାରଟାକୁ ଅଡ଼େଇ ନେଇ ଯାଉଛନ୍ତି ପାଗଳ ନ ହେଲେ ମାଟି ବୋଧ ହୁଏ ନିଜକୁ ନିଜେ ରକ୍ଷା କରିପାରିବ ନାହିଁ।"

ଅଳ୍ପ ଉତ୍ତେଜିତ ହୋଇ ସେ ପୁଣି କହିଲା - "କିନ୍ତୁ ଏ ଉତ୍ସାହକୁ ପାଗଳାମୀ କହିହେବ କେତେ ଦିନ ? ଅନ୍ଧାରୀ ରାଇଜରେ ଗୋଟିଏ ଆଲୋକ ହୁଏତ ପାଗଳ, କିନ୍ତୁ ଚାରିଆଡ଼େ ମାଳମାଳ ହୋଇ ଯେତେବେଳେ ଆଲୁଅ ଜଳୁଥିବ, ସେତେବେଳେ ଲାଗୁଥିବ ସେହି ପୁରୁଣା ଅନ୍ଧାର ହିଁ ପାଗଳ, ଅସ୍ୱାଭାବିକ, ତା କାଳ ପୂରିଛି। ସେଇଥିପାଇଁ କହିଲି, ମାଟି କଣ କହୁଛି ଶୁଣ। ସବୁଠି, ସବୁ ଦେଶରେ, ସାଧାରଣ ମଣିଷ ଖୋଜୁଛି ମଣିଷ ମଣିଷ ହୋଇ ଗଢ଼ା ହେବ ବିରାଟ ଭାଇପଣ, ତା ହେଲେ ହିଂସା, ଅଶାନ୍ତିର କୀଟ ଭେଦିବାକୁ ବାଟ ପାଇବ ନାହିଁ। ଏକମାତ୍ର କର୍ମ ତ ସେହି ଯାହାକୁ ଏହି ଧ୍ଵଂସକାରୀ ବୋମା ଧ୍ୱଂସ କରିପାରିବ ନାହିଁ। ତୁମର ଆମର ଅଲକ୍ଷ୍ୟରେ କେତେ କେଉଁଠି ସେହି ଗଢ଼ାଗଢ଼ି ଚାଲିଛି।"

୮.୨.୧୯

No comments: