ବିନୋଦ ଛାତ୍ର ଜୀବନରୁ ସ୍ବଦେଶ ପ୍ରେମୀ। ସେ ତା'ର ନୀତି ଆଦର୍ଶ ଜଗି ନିଜ ପାଇଁ କଠିନ ପଥ ଧରି ବାଟ ଚାଲେ, ଯଦିଓ ନିଜକୁ ସେଭଳି ବୋଲି ସେ ପ୍ରଚାର କରେ ନାହିଁ। ସେ କୌଣସି ରାଜନୈତିକ ଦଳରେ ମିଶିଲା ନାହିଁ। ପାଠପଢ଼ା ଶେଷ କଲା, ନିଜ ଅଭାବ ମେଣ୍ଟାଇବା ପାଇଁ ସରକାରୀ ଚାକିରି କଲା। ସେତେବେଳେ ଥିଲା ଇଂରେଜ ସରକାର। ଯେ କୌଣସି ସାଧାରଣ ଲୋକପରି ସେ ବିଭା ହେଲା, ପରିବାର ପୋଷିଲା, ଦେଶ କାମ କରିବା ପାଇଁ ଚାକିରି ଛାଡ଼ିଲା ନାହିଁ।
ଚାକିରିରେ ସେ ନ୍ୟାୟ ସମ୍ମତ, ପ୍ରାଣପଣେ ଲୋକମାନଙ୍କ ଉପକାର କରେ, ନାନା ଅନ୍ୟାୟ, ଭୟ, ଉଦ୍ ବେଗରୁ ତାଙ୍କୁ ରକ୍ଷା କରେ। କିନ୍ତୁ, ଖୁବ୍ ସୀମିତ ତା ପରିସର। ଖାଲି ସମୟରେ ସେ ଶଶୀ ମିଶ୍ରଙ୍କ ପାଖକୁ ଚାଲିଯାଇ ଆଲୋଚନା କରେ। ସେ ନିଜକୁ ପ୍ରଶ୍ନ କରେ ଯେ, ମୁଁ ଖାଲି ଜୀବନଯାକ ଏମିତି ଭାବୁଥିବି ନା ନିଜେ କିଛି କରିବି ?
ସେ ଦେଖିଲା ଅନେକ ଲୋକ ଖବରକାଗଜ ପଢ଼ି ରାଜନୀତି ଆଲୋଚନା କରିଥାନ୍ତି, କିଏ ଛାତ୍ର, କିଏ ପେନସନ ଭୋଗୀ, କିଏ ସରକାରୀ ଚାକିରିଆ କି ଅନ୍ୟ କେଉଁ ବୃତ୍ତିଧାରୀ, ଏମାନେ କେବେ ରାଜନୀତିରେ ପଶନ୍ତି ନାହିଁ। ଏମାନେ ଦୋଷ ତ୍ରୁଟି ବାଛନ୍ତି, ଅନେକ ବାଦ ଓ ପନ୍ଥା ଉପରେ ଆଲୋଚନା କରନ୍ତି, କିନ୍ତୁ ନିଜେ କିଛି କରନ୍ତି ନାହିଁ। ସଂସାରରେ ଯେ ଯେଉଁଠି ଗଡ଼ି ମରନ୍ତି, ଯେ ଯେଉଁଠି ମାରପିଟ ଖାଆନ୍ତି, ସେମାନେ ମଧ୍ୟ ବେଶୀ ରାଜନୀତି ବିଷୟରେ ଆଲୋଚନା କରନ୍ତି, ନିଜେ କିଛି କରନ୍ତି ନାହିଁ।
ଦେଶର ଅବସ୍ଥା ଭଲ ହେଉ କି ବିଗୁଡୁ, ଚାକରି ପରିସର ବାହାରେ କିଛି ତା ଆୟତ୍ତରେ ନାହିଁ। ଚାକିରି ପରିସର ଭିତରେ ବି କଣ୍ଟ୍ରାକ୍ଟର ବିପିନ ପାତ୍ର, ଟାଉଟର ନରି ମିଶ୍ରଙ୍କ ଭାଉ ବେଶୀ।
ତେବେ କଣ ସ୍ୱାଧୀନ ଭାରତରେ ଏଇଆ ହେବ ରାଜନୀତିର କ୍ରମ ! ଯେଉଁ ମାନଙ୍କର ଅନ୍ୟ ଆର୍ଥିକ ସଂସ୍ଥାନ ନାହିଁ, ସେମାନେ ରାଜନୀତିରେ ପଶିପାରିବେ ନାହିଁ, ଥିବା ଘର ଲୋକେ ହିଁ ପଶିବେ, ପୁଣି ପଶିବେ ଯେ ଦେଶ ସେବା ପାଇଁ ନୁହେଁ, ଅନ୍ୟ କିଛି ସ୍ୱାର୍ଥରେ।
ସେପରି ହେଲେ କେତେ ଭୟଙ୍କର କଥା ହେବ !
ସେହି ସବୁ ସମ୍ଭାବନାକୁ ସେ ଅପରିହାର୍ଯ୍ୟ ବୋଲି ଗ୍ରହଣ କରିପାରିଲା ନାହିଁ। ସେ ଭାବିଲା - ନିଶ୍ଚୟ ଏପରି କିଛି ବାହାରିବେ ଯେଉଁମାନେ ନିଜର ଆର୍ଥିକ ନିରାପତ୍ତା ଅଛି କି ନାହିଁ, ଆଦୌ ଭାବିବେ ନାହିଁ, ଦେଶ ପାଇଁ ନିଆଁରେ ପଶିବେ, ଆଉ ଅନେକ ବାହାରିବେ ଯେଉଁମାନଙ୍କର ଆର୍ଥିକ ସ୍ୱଚ୍ଛଳ ଥିବ, କିନ୍ତୁ ସେମାନେ ଆସିବେ ପବିତ୍ର ଦେଶ ସେବା ପାଇଁ, ନିଜ ସ୍ୱାର୍ଥ ପାଇଁ ନୁହଁ। ଥିବେ ସେପରି ବହୁତ, ଯଦିଚ ମୋ ନିଘାରେ ପଡ଼ି ନାହାନ୍ତି।
"ସେମାନେ ଥାଆନ୍ତୁ ବା ନ ଥାଆନ୍ତୁ, ମୁଁ ନିଜେ ? ଖାଲି କଣ ଭାବୁଥିବି ଏମିତିଆ ?"
ବିନୋଦ ଭାବିଲା। କେତେଥର ଯେପରି ଇଚ୍ଛା ହେଲାଣି, ପୁଣି ଇଚ୍ଛା ହେଉଛି - ଚାକିରି ସେ ଛାଡ଼ିଦେବ, ଲାଗିଯିବ ଦେଶ କାମରେ।
୨୦.୬.୧୯

No comments:
Post a Comment