Friday, 7 June 2019

*ମାଟିର ସ୍ୱର*

ରବି ବିପିନ୍ କୁ ଦେଖିଛି ଅନେକ ଥର କୋଟ୍ ପ୍ୟାଣ୍ଟ ଟାଇ ଛଇ ସହ ଇଂରାଜୀର ଶିଉଳି ଲଗା ପଥର ପାଚେରୀରେ। ଆଉ ସେ ଦେଖିଛି ତା ଭିତରେ ଥିବା ଭାବ ଓ ବ୍ୟକ୍ତିତ୍ବର ଦାରିଦ୍ର୍ୟ, ନିଃସହାୟତା, ଆକୁଳତା।

ବିପିନ୍ ଭାବେ ତା ବାଟରେ ସେ ଶୀଘ୍ର ସାଫଲ୍ୟ ପାଇଛି। କିନ୍ତୁ ସେ ଚାହୁଁଛି କେମିତି ! ଗତିରେ ତ ମାତି ଚାଲିଛି ସେ ଯନ୍ତ୍ର ପରି, କିନ୍ତୁ ସେ କାହିଁକି ସବୁବେଳେ କ୍ଲାନ୍ତି ଅନୁଭବ କରେ। ଚିପି ଚିପି କଥା କହେ, କାଳେ ବେଶି ବାହାରିଗଲେ ଅଡୁଆ। ଯେଉଁ କଥା କହେ, ସେ ବି ତା'ର ନୁହେଁ, ସେଇଟା ତା ବଡ଼ ଅଧିକାରୀଙ୍କ।

ରବି ଭଳି ସାଙ୍ଗ ପାଖରେ ତ ସେ ମାପି ଚୂପି କଥା ହେବାର କିଛି କାରଣ ନାହିଁ। କିନ୍ତୁ ରବି ଆଜି ଏକା ନାହିଁ, ତା ସାମନାରେ ଏ ଜନତା। ବିପିନ ଟିକେ ତାଛଲ୍ୟ କରି କହିଲା, "କେଡ଼େ ଆଶ୍ଚର୍ଯ୍ୟ ଏ ଯୋଗ ! କିଏ ଜାଣିଥିଲା ଏଇଠି ଆମେ ଦେଖାହେବା ବୋଲି ? କୁଆଡ଼େ ଏଣେ ଗଡ଼ିପଡ଼ିଛ ?? କଥା କ'ଣ ???"

ରବି ହସିଦେଇ କହିଲା, "ଏଡ଼େ ସହଜରେ କହି ଦେବି ?"

ବିପିନ୍ କହିଲା, "ପଞ୍ଚାୟତ ଗଢ଼ା ହେବା ବିଷୟରେ ଏଠି କଣ ମନାନ୍ତର ହୋଇଥିଲା ପରା ?"

ଛବି ହସିଲା। ଆଉ ମଧ୍ୟ କେତେଜଣ ହସିଲେ। ରବି କହିଲା, "କେତେ ଅନୁଷ୍ଠାନ ତିଆରି ହୁଏ, ଥାନା ବସେ, ପୋଷ୍ଟ ଅଫିସ ବସେ, ପଞ୍ଚାୟତ ବି ଚାରିଆଡ଼େ ବସିଛି, ବସିବ, ଏଥିରେ ମନାନ୍ତର କଣ ?

କିଏ ଜଣେ କହିଲା, "ଯାହା ଅଡୁଆ ଥିଲା ସବୁ ତୁଟି ସାରିଲାଣି।"

ବିପିନ୍ କୁତୂହଳୀ ହୋଇ ପଚାରିଲା, "ବାଃ, କି କି ସର୍ତ୍ତରେ ?

ରବି କହିଲା, "ବିନା ସର୍ତ୍ତରେ। ଆସ ବସ।"

ଅଡୁଆ କଣ ପ୍ରକୃତରେ ତୁଟିଥିଲା ? ନା, କିଛି ବାବୁ ଆସି ଏମାନଙ୍କୁ ଜବରଦସ୍ତି କରି ତାଙ୍କ ହଁ ରେ ହଁ କୁହାଇ ନେଇଛନ୍ତି।

ସିନ୍ଧୁ ଚୌଧୁରୀ କହିଲେ, କୋଠ ବ୍ୟବସ୍ଥା ଓ ସରକାରୀ ପଞ୍ଚାୟତ ବ୍ୟବସ୍ଥା ଭିତରେ ଆକାଶ ପାତାଳ ଅନ୍ତର। ତାହା ହିଁ ଅନର୍ଥର ମୁଖ୍ୟ କାରଣ। ଆମ ଗାଁ ଗଢୁଥିଲା ଗାଁର କୋଠ, କିନ୍ତୁ ଏବେ ସରକାର ଉପରେ ନିର୍ଭର କରିବାକୁ ପଡ଼ିବ। ସରକାର ନ ଚାହିଁଲେ ପଞ୍ଚାୟତ ଆଉ ଗଢ଼ି ହେବ ନାହିଁ। ସରକାର ନ ଚାହିଁଲେ ପଞ୍ଚାୟତକୁ ଅର୍ଥ ଆସିବ ନାହିଁ। କେଉଁ ଗାଁ କେଉଁ ଗାଁ ସହିତ ମିଶିଲେ ପଞ୍ଚାୟତ ହେବ, ତାହା ବି ଗାଁ ଲୋକଙ୍କ ହାତରେ ରହିବ ନାହିଁ, ଗାଁର ସବୁ କ୍ଷମତାକୁ ବଳି ଦେବାକୁ ପଡ଼ିବ। ଭୋଟ୍ ଜିତା ବ୍ୟବସ୍ଥା ଏଥିରେ ଆସିବ। ଏଠି ସର୍ବ ସମ୍ମତି ବଳି ପଡ଼ିବ। ଜିତିଥିବା ପଟ ହାରିଥିବା ଦଳ ମାନଙ୍କ ଉପରେ ଦାଉ ସାଧିବେ। ପେଞ୍ଚ ଫିକର କଳିଗୋଳ ଛକାପନ୍ଝାରେ ବେଳ ଯିବ। ଉନ୍ନୟନ ଓ ଉତ୍ପାଦନ ପାଇଁ ବେଳ କେତେ ମିଳିବ  ? କୌଣସି କାମ ସୁରୁଖୁରୁରେ ହେବ ନାହିଁ କି କୌଣସି କାମ ଭଲ ହେବ ନାହିଁ। ଦଳେ ଦିନ ବେଳେ ଜିନିଷଟିଏ ଗଢ଼ି ଥୋଇଦେଲେ ଆଉ ଦଳେ ରାତିରେ ଛପି ଛପି ଆସି ତାକୁ ଭାଙ୍ଗି ଦେବେ।

ରବି ତୁନୀ ତୁନୀ କରି ବିପିନ୍ ର କାନ ପାଖେ କହିଲା, "ମାଟିର ସ୍ୱର ତୁମେ ଶୁଣି ସାରିଛ, ମାଟି ସବୁକାଳେ ଖୋଜିଛି ସମସ୍ତେ ଏକାଠି ମିଶନ୍ତୁ। ତା'ର ଧର୍ଯ୍ୟ ଅସୀମ। ସେ ଅପେକ୍ଷା କରିଛି।"

ରବିର ମୁହଁରେ ସ୍ବପ୍ନର ଝଲକଟିଏ, ଅତି ଦୂରକୁ ତା'ର ଦୃଷ୍ଟି।

୭.୬.୧୯

No comments: