Monday, 10 June 2019

*ଝିଅ ମୋର ବାହା ହେବ ନାହିଁ ?*

ଛବି ବୋଉ କହିଲେ, "ମତେ ଲାଗୁଛି ଝିଅ ପାଇଁ ବର ତୁମ ହାତ ପାଖରେ, ଝିଅ ଖୁସି ହୁଅନ୍ତା, ପୁଅ ବି ନିଶ୍ଚୟ ଖୁସି ହେବ, ତୁମ ଆଖିକୁ ଦିଶୁ ନାହିଁ ?"

"କାଳେ ନ ଦିଶୁ ଥିବ, କହ।"

"ଛବିକୁ ରବି। ଏକା କଣ୍ଟରେ ବିଧାତା ଗଢ଼ିଛି। ତୁମ ଗଉଁ ତୁମଠି ଥାଉ, ପକାଅ ଆଉ ଥରେ। ନିଜେ ଯାଅ, ନ ହେଲେ କୁହ ବଟ ମହାନ୍ତିଙ୍କୁ।

କଳ୍ପ ବଟ, ମାଗିଲେ ଥାଳ ପୂରିବ।

ଜାଣିଶୁଣି କାହିଁକି ପିଲାଙ୍କ ଜୀବନ ନଷ୍ଟ କରୁଛ।"

"ଆମେ କଣ ପିଲାଙ୍କ ଜୀବନ ନଷ୍ଟ କରିବା ? ସେମାନେ ବାହାହେବାକୁ ମନ କରିବେ ତ ବାହା ହେବେ।"

"କିଏ କରେଇବ ?"

କରେଇବା ଲୋକ ତ ଜଣେ। ତା କାମଟା ଦିଶେ, ସେ ଦିଶେ ନାହିଁ, "କରି କରାଉ ଥାଏ ମୁହିଁ, ମୋ ବିନୁଁ ଆନ କେହି ନାହିଁ।"

"ଦି' ହାତ ଉପରକୁ ଟେକି ଦେଇ ନିଶ୍ଚିନ୍ତ ହୁଅ।"

ଛବି ବୋଉ କରୁଣ କଣ୍ଠରେ କହିଲେ, "କଣ ଏଗୁଡ଼ାକ ଗପୁଛ ? ଝିଅ ମୋର ବାହା ହେବ ନାହିଁ ?"

"ଆଶ୍ଚର୍ଯ୍ୟ, କେହି କହନ୍ତି ନାହିଁ, ଝିଅ ମୋର ସୁଖୀ ହେବ ନାହିଁ ? ପୁଅ ମୋର ସୁଖରେ ରହିବ ନାହିଁ ?

ଖାଲି ବାହାଘର କରିଦେଲେ ଜୀବନଯାକର ଦାୟିତ୍ବ ସରିଗଲା !"

ଛବି ବୋଉର ବ୍ୟାକୁଳତା ଦେଖି ସିନ୍ଧୁ ଚୌଧୁରୀ କହିଲେ, "ଶୁଣ, ପାଗଳ ହୁଅ ନାହିଁ। ପ୍ରେମ ଆଉ ସମ୍ବନ୍ଧ ଏ ଦୁଇଟା ଏକା କଥା ନୁହଁ। ଆମେ ଖୋଜୁ ସମ୍ବନ୍ଧ ସ୍ୱ ଜାତି ଭିତରେ। ଘର କର୍ତ୍ତାଙ୍କ ରୁଚି ଅନୁସାରେ ଆଉ ଲୋଭ ଅନୁସାରେ ସମ୍ବନ୍ଧ। ଅତୀତରେ ବେଳେବେଳେ ମଧ୍ୟ ପ୍ରକୃତ ପ୍ରେମ ସମାଜର ସମ୍ବନ୍ଧକୁ ଓଲଟ ପାଲଟ କରିଦେଇଛି। ଉତ୍ପଳା ବୋଲି ଥିଲା ବ୍ରାହ୍ମଣ କନ୍ୟାଟିଏ, ଚିତ୍ରକ ବୋଲି ଯେଉଁ ପିଲାଟି ଥିଲା, ସେ ଜାତିରେ ଚଣ୍ଡାଳ। ସେମାନଙ୍କ ପ୍ରେମ ତାଙ୍କୁ  ଅମର କଲା, ଦିହିଙ୍କ ଅନ୍ତେ ତାଙ୍କ ଶବ ଯେଉଁ ନଦୀରେ ପଡ଼ିଲା ସେ ନଦୀର ନାମ ହେଲା ପବିତ୍ର ଚିତ୍ରୋତ୍ପଳା। ସେ ଦୁହିଁଙ୍କ ନାମରେ ଠାକୁର ମୂର୍ତ୍ତି ବସାଇ ଲୋକେ ତାଙ୍କୁ ପୂଜା କରି ଆସୁଛନ୍ତି।"

ଛବି ବୋଉଙ୍କ ଆଖିରେ ଲୁହ ଟଳ ଟଳ ହେଉଥାଏ।

ସିନ୍ଧୁ ଚୌଧୁରୀ କହିଲେ, "କରିଛ, ବଢ଼େଇଛ, ଭଲ ପାଉଛ, ଟିକିଏ ଉଦାର ହୁଅ, ନିଧଡ଼କ୍ ହୁଅ। ଜାଲ ପକାଇବା, ଅଠା କାଣ୍ଡିଆ ଯୋଖିବା କି ଷଡ଼ଯନ୍ତ୍ର କରିବା ସେଗୁଡ଼ାକ ଆମର କାମ ନୁହେଁ। ସେମାନେ ପରସ୍ପରକୁ ଚିହ୍ନନ୍ତି, ଦିହିଙ୍କର ଏକା କାମରେ ଝୁଙ୍କ, ଜଣେ ଘର ଛାଡ଼ି ଜଗତଟାକୁ ଘର କରିଛି,  ଜଣେ ଘରେ ରହି ସତେ କି ଅଘୋରୀ। ମତେ ତ ଲାଗୁଛି, ତାଙ୍କର ଯଦି କେବେ ବିଭାଘର ହେବ, ସେ ବି ହେବ ଗୋଟିଏ ଯୋଗ ସାଧନାର ପରିଣତି, ଦି'ଟା ବିଶାଳ ହୃଦୟ ତ୍ୟାଗ ତପସ୍ୟା ସ୍ନେହ ଉଦାରତାରେ ବିଛେଇ ହୋଇ ପଡୁ ପଡୁ କେତେବେଳେ ଏକାଠି ହୋଇଯିବ। ସେମାନେ ଆଉ କଣ୍ଢେଇ ନୁହଁନ୍ତି, ମଣିଷ।"

୧୦.୬.୧୯

No comments: