ବିନୋଦ ଦାସର ଆଶଙ୍କା ବଢ଼ି ବଢ଼ି ଚାଲିଛି। ସେ ଚିନ୍ତା କରୁଛି ଏଠାରେ ତ ବହୁମତ ପାଇଥିବା ପାର୍ଟି ଦ୍ୱାରା ଶାସନ ଚାଲିବ। କୌଣସି ନେତା ଯଦି ବହୁମତର କ୍ଷୁଦ୍ର ସ୍ୱାର୍ଥ ପାଖରେ ମୁଣ୍ଡ ନୁଆଇଁ ସେମାନଙ୍କର ଅନ୍ୟାୟପୂର୍ଣ୍ଣ କଥାକୁ ଚରିତାର୍ଥ କରିବା ପାଇଁ ବହୁମତର ସମର୍ଥନ ହାସଲ କରେ, ନ୍ୟାୟ ତ ବୁଡ଼ିଯିବ। କଥାଟା ଭୁଲ, ଅନ୍ୟାୟ, ପାପ ବୋଲି ତା' ଅନ୍ତରାତ୍ମା କହୁଥିବ, ତା ବିବେକ ବିଦ୍ରୋହ କରୁଥିବ, ତଥାପି ସେ ସେହି ଅନ୍ୟାୟ ପଟ ହିଁ ନେବ।
ଏହାର ଓଲଟା ଉପାୟ ବି ଅଛି। ଯଦି ନେତା ଚତୁର ହେଇଥିବ, ପ୍ରତାପୀ ହେଇଥିବ, କୁଚକ୍ରୀ ହେଇଥିବ ତେବେ ସେ ଅନ୍ୟ ସମସ୍ତିଙ୍କୁ ବଶୀଭୂତ କରି ରଖିପାରିବ, କି ବାଛି ବାଛି ନିଜ ପାଳିଆଙ୍କୁ ବୋଲକରାଙ୍କୁ ହିଁ ପ୍ରତିନିଧି ଦଳରେ ରଖାଇ ପାରିବ। ତେବେ ସେ ଯାହା କହିବ ସେମାନେ ସେଇଆ ପାଳି ଧରିବେ। ସେଇଟା ନ୍ୟାୟ କି ଅନ୍ୟାୟ ଭଲ ହେବ କି ଖରାପ ହେବ ଆଦୌ ବିଚାର କରିବେ ନାହିଁ। କହିବେ ବହୁମତ ବା ଲୋକମତ ଏହା ହିଁ ଚାହୁଁଛି।
ଓଃ ! କେତେ କେତେ ଉପାୟରେ ଗଣତନ୍ତ୍ର ଗୋଟାଏ ପ୍ରହସନ ହୋଇଯିବା ଆଶଙ୍କା ଅଛି ଏ ଦେଶରେ ! ବାଟ ସୁବିଧା କରିପାରିଲେ ଲୋକମତ ନାଁ ନେଇ ନାନା ସ୍ବେଚ୍ଛାଚାର କରି ଦୁଷ୍ଟ ଲୋକେ ସାଧାରଣ ଲୋକଙ୍କୁ ଶୋଷଣ କରିବେ ! ଲୋଭ ଦେଖାଇ, ଭୁଲାଇ, ଫୁସୁଲାଇ, ଭଣ୍ଡାଇ, ନ ହେଲେ ଖାପଚାରେ ପକାଇ, ଡରାଇ, ଯେ କୌଣସି ଉପାୟରେ ଭୋଟ୍ ବେଳେ ନିଜ ଦଳର ପ୍ରାର୍ଥୀ ପାଇଁ ବେଶୀ ଭୋଟ୍ ଯୋଗାଡ଼ କରି ନିର୍ଦ୍ଦିଷ୍ଟ ଆସନ ମାନଙ୍କରେ ନିଜ ଦଳର ପ୍ରାର୍ଥୀଙ୍କୁ ଥୋଇପାରିଲେ ପାଞ୍ଚ ବର୍ଷ ପାଇଁ ଶାସକ ହୋଇ ବସିଯିବେ, ତେଣିକି ଯାହା ଇଚ୍ଛା !
କିନ୍ତୁ କାହିଁକି ସେ ଆଶଙ୍କା କରୁଛି ? ବିନୋଦ ନିଜକୁ ପଚାରିଲା। ନିଜକୁ ଆଶ୍ୱାସ ଦେଲା - ଲୋକେ କଣ ଚେତିବେ ନାହିଁ ? ଲୋକେ କଣ ଓଲୁ ? ଅକ୍ଷର ନ ଚିହ୍ନିଲେ ବି ଏଇ ଲୋକ ନିଜ ସଂସାର ଚଳାଏ, ଭଲ ଲୋକ ବୋଲି ବିଭିନ୍ନ ସଂସ୍ଥାରୁ ପ୍ରମାଣ ପତ୍ର ପାଏ, ବୁଧିଆ ଲୋକ ବୋଲି ଖାତିର ପାଏ। ଏଇ ଭଳି ଅସଂଖ୍ୟ ସାଧାରଣ ଲୋକ ତ ଏତେ ବଡ଼ ସ୍ୱାଧୀନତା ସଂଗ୍ରାମ କଲେ। ଦେଶକୁ ସ୍ୱାଧୀନ କଲେ। ଏମାନେ ଯଦି ଚ ଆଜି ଏ ସ୍ୱାର୍ଥୀ କପଟୀ ଲୋକଙ୍କ ଖାପଚାରେ ପଡ଼ିବେ, ଏହା କଣ ବେଶୀ ଦିନ ଚାଲିବ ?
ନା, ମୋର ମନ କହୁଛି, ଏହା ବେଶୀ ଦିନ ଚାଲିବ ନାହିଁ। ଆଜି ନାହିଁ ତ କାଲି ଲୋକେ ସତ୍ୟକୁ ବୁଝିବେ। ଆଜି ନ ଚେତି ଥିଲେ କାଲି ଚେତିବେ। ଏବେର ସ୍ୱାର୍ଥପର ନେତା ଦେଶବାସୀଙ୍କୁ ବେଶୀ ଦିନ ଅନ୍ଧାରରେ ରଖିବା ସମ୍ଭବ ହେବ ନାହିଁ। କାରଣ ଏ ଦେଶ କେଇ ଜଣ ନେତାଙ୍କର ନୁହଁ, ଏହା ତ ସମଗ୍ର ଜନତାଙ୍କର।
୧୭.୬.୧୯

No comments:
Post a Comment