Sunday, 23 June 2019

*ଜୀବନ କେଡ଼େ ଆନନ୍ଦମୟ !*

ବିନୋଦ ଘରେ ପହଞ୍ଚୁ ପହଞ୍ଚୁ ତା' ଛୁଆ ତିନୋଟି ଦୌଡ଼ି ଆସିଲେ। ସାନ ଝିଅ ମିଉଁକୁ ତିନି ବର୍ଷ ହେଲାଣି। ସେ ଆସି ତା ଦୁଇ ଗୋଡ଼କୁ କୁଣ୍ଢେଇ ଧରିଲା। ସେ ତାକୁ କାଖ କରି ଗେଲ କଲା। ପୁଅ ଦୁହିଁଙ୍କୁ ଆଉଁସି ପକେଇଲା, କହିଲା, "କିରେ, ପଢ଼ି ବସି ନାହଁ ? ତୁମ ମାଷ୍ଟ୍ରେ ଆସିବେ ପରା ?" "ପଢ଼ିବା-ପଢ଼ିବା" କହି ଦିହେଁ ନାଚିଗଲେ।

ସ୍ତ୍ରୀ ପଚାରିଲା - ଆଜି କି କାମ ଥିଲା ଯେ, ଏତେ ଡେରୀ !

ବୋଉ କହିଲା, "ତା'ର ଆଉ ସହଳ କେବେ ଯେ ଆଜି ଡେରୀ ?"

ବିନୋଦ - "ନା, ସେମିତି ନୁହଁ, ଆଜି ଅଫିସରେ ବଡ଼ ବାବୁଙ୍କ ସହ ଟିକେ ଗପୁ ଗପୁ ଡେରୀ ହୋଇଗଲା।"

ବୋଉ - "ସେଇଟା ଗୋଟେ କଥା, ଘରକୁ ଆସି ଖାଇ ଦେଇ ଯାଇ ନ ଥାନ୍ତୁ ! ତେଣିକି ଯେତେ ଗପୁଛୁ ଗପ।"

ବିନୋଦ ଖିଆ ପିଆ ସାରିଲା। ପ୍ରମୋଶନ ଗପ ଘରେ କହିବ କି ନା, ସେ ଭାବି ପାରୁ ନାହିଁ।

ୟେ ତା'ର ଘର, ଏଠି ସେ ସବୁ ଦୁଃଖ ସୁଖ "ସ୍ୱାଭାବିକ ଭାବେ ପ୍ରକାଶ କରିପାରେ। କିନ୍ତୁ ଏଠି ବୋଉକୁ, ସ୍ତ୍ରୀକୁ, ଛୁଆଙ୍କୁ ସେ କ'ଣ କହିବ ଯେ, ସେ ହାରିଗଲା ?

ତାକୁ ଜଣେ କହିଥିଲେ, "ନିଜର ଦୁଃଖକୁ ମା', ସ୍ତ୍ରୀ ଓ ଛୁଆ ପିଲାଙ୍କୁ ବାଣ୍ଟିବ କାହିଁକି ?" ଏହା ତ ହେବ ପୁରୁଷ ପକ୍ଷରେ ଅଗୌରବ। ନିଜେ ବୋଝ ବୋହିବା, ନିଜେ ଧକ୍କା ସହି ସେ ଧକ୍କା ଦାଉରୁ ପରିବାରକୁ ବଞ୍ଚାଇବା ତା'ର କର୍ତ୍ତବ୍ୟ। ତା ନ କଲେ କେଡ଼େ ନିର୍ବୋଧତା ହେବ, ସତେ ! ଆମେ ଖରାରେ ମରୁଭୂମିରେ ବୁଲିବୁଲି ଫେରିବା, ଘରେ ଖୋଜିବା ଶୀତଳ ପାଣି ମୁନ୍ଦିଏ ? ଅଥଚ ଆମରି ଅବିବେକତା ଯୋଗୁଁ ସେ ପାଣି ମୁନ୍ଦିକ ଶୁଖି ଯାଇଥିବ !"

ତା'ହେଲେ ସେ କ'ଣ କହିବ ନାହିଁ ? ନ କହିଲେ, ଆଉ ଯଦି କେହି ଆସି କହି ଦିଏ, କି ଲାଭ ହେବ ?

ସେ ସାହସ କରି ତା ବୋଉ ଓ ସ୍ତ୍ରୀକୁ ଡାକି ସତ କଥା କହିଦେଲା।

ସେ ଦିହିଙ୍କ ମୁହଁ ଶୁଖିଗଲା। ଦିହେଁ ଦୀର୍ଘଶ୍ଵାସ ପକାଇଲେ।

ତା ବୋଉ କହିଲେ, "ନିଆଁ ଲଗାମାନେ, - ମୋ ପୁଅକୁ ପ୍ରମୋଶନ ଦେଲେ ନାହିଁ ! ହଉ ନ ଦଉ। ଭଗବାନ ତ ଅଛି, ଯୋଉବାଟେ ହେଲେ ଦବ। ଯେ ତୁ ଆଉ ଏତେ ପରିଶ୍ରମ କରନା।"

ପରିଶ୍ରମ ନ କଲେ ଭଗବାନ ଚିଡ଼ିବେ ଲୋ ବୋଉ। ପ୍ରମୋଶନଟା ସିନା ତାଙ୍କ ହାତରେ ନାହିଁ।

"ଛି, ଭଗବାନଙ୍କୁ ତେମେ ଥଟ୍ଟା କରୁଛ !" ସ୍ତ୍ରୀ କହିଲା, "ସଂସାରରେ କେତେ କଥା ଅଛି, ଖାଲି କଣ ଟଙ୍କା ଆଉ ପ୍ରମୋଶନ ? ତାଙ୍କର ଦୟା ଥାଉ, ସେତିକି। ତାଙ୍କ ସଂସାର, ତାଙ୍କ ବିଚାର, ସବୁ ତାଙ୍କୁ ଲଗା, ସେ ବୁଝିବେ।"

ବିନୋଦକୁ ଲାଗିଲା ମରୁଭୂମିର ଦାଉ ଦାଉ ଖରାରେ ଶୀତଳ ପାଣି ମୁନ୍ଦିକ ତାକୁ ମିଳିଗଲା।

ବୋଉ କହିଲେ ମୁଁ କଣ ଭାବୁଛି ଜାଣୁ ? "ମୋରି ଭାଗ୍ୟ ଦୋଷରୁ ତୋର ଏ ଦଶା। ଦେଖିବୁ, ମୁଁ ଯେମିତି ମରିବି, ତୋର ସବୁ ଭଲ ହୋଇଯିବ।"

ସ୍ତ୍ରୀ ଅନୁରାଧା କହିଲା, "ସେ କଥା ମୁହଁରେ ଧର ନାହିଁ ବୋଉ। କାହାର ପେଟ ଅପୋଷା ରହୁଛି କି ? ନା ଅଧିକା ପଇସା ମିଳିଲେ ମୁଣ୍ଡରେ ଶିଙ୍ଗ ଉଠିବ ?"

ବିନୋଦ - "ଅଭାବ ବାଧିଲେ ମଣିଷ ସହିବ। କିନ୍ତୁ ଅପମାନ ?"

ଅନୁରାଧା ଚମକି ପଡ଼ିଲା, କହିଲା, "ଅପମାନ ?"

ବିନୋଦ - "ତେମେ ସବୁ ଚାକିରି କର ନାହିଁ ତ। ମୋ ଦୁଃଖ କେମିତି ବୁଝିବ ? ଅପଦାର୍ଥ, ଅଯୋଗ୍ୟ, ଦୁର୍ନୀତିରେ ବୁଡ଼ିଥିବା ଲୋକ, ଯେଉଁମାନେ ମୋ ଆଗରେ ପିଲା, ମୋ ସାତ ପଛରେ ଚାକିରି କରିଥିଲେ, ସେମାନେ ଗଲେଣି ମୋ ଉପରକୁ, କିଏ କିଏ ମୋ ହାକିମ ହୋଇ ବି ବସିବେ, ମୋ ଉପରେ ହୁକୁମ ଚଳାଇବେ, ମୋ କାମକୁ ବାଛିବେ, ମତେ ତାକୁ ସହିବାକୁ ପଡ଼ିବ, ଏଇଟା କଣ ଅପମାନ ନୁହଁ ?"

ଅନୁରାଧା - "ବଡ଼ ସାନ ଭେଦ ସିନା ତୁମ ଚାକିରି ଭିତରେ ଖାପିବ। ଘର ପରିବାରରେ ସେଇଟା ତ ଲାଗୁ ହେବ ନାହିଁ।
ଚାକିରିରେ କିଏ ତମ ଚପରାଶି, ଘରେ ସେ ତୁମ ପୁରୋହିତ ହୋଇଥିବ, ତୁମେ ତା ଗୋଡ଼ ତଳେ ପଡ଼ିବ, ଚାକିରିରେ ତୁମେ କାହା ହାକିମ ହୋଇଥିବ, ଘରେ ସେ ତୁମ ଗୁରୁଜନ ହୋଇଥିବେ, ଘରେ ତୁମେ ତାଙ୍କୁ ସମ୍ମାନ ଦେବାକୁ ପଡ଼ିବ, ଏଥିରେ ମାନ ଅପମାନ କଣ ?"

ବିନୋଦ ଅନ୍ଧାରୀ ଆକାଶକୁ ଦେଖୁଛି। ତହିଁରେ ଉଜ୍ଜ୍ୱଳ ହୋଇ ଦିଶିଯାଉଛି ତା ସ୍ତ୍ରୀର ମୁହଁଟି, ତା ଆଖି, ତା ଠାଣି, ତା କଥା। ସେ ସାହସ ପାଉଛି, ଆନନ୍ଦ ପାଉଛି, ଜୀବନର ନୂଆ ଅର୍ଥ ପାଉଛି, ତାକୁ ଲାଗୁଛି ଜୀବନ କେଡ଼େ ଆନନ୍ଦମୟ !

ସଂଘର୍ଷ ନ ଥିଲେ  ଆନନ୍ଦକୁ ସେ ଚିହ୍ନନ୍ତା କିପରି ? କେମିତି ଭାବି ପାରନ୍ତା ଯେ ସେଇଟା ମୂଲ୍ୟବାନ ? ଅନ୍ଧାର ନ ଥିଲେ କେମିତି ବା ଦେଖିପାରନ୍ତା ଏଇ ସୁନ୍ଦର ତାରା ମାନଙ୍କୁ ?

୨୩.୬.୧୯

No comments: