Thursday, 27 June 2019

*ଗାଁ ସଭା ଆରମ୍ଭ ହେଲା*

ତିନିଟା ବେଳେ ଇନ୍ସପେକ୍ଟର ବାବୁ ଆସି ବିନୋଦକୁ ଡାକିନେଲେ। ଚାଲିଚାଲି ଗଲାବେଳେ ଘର ଦୁଆରମୁହଁ ମାନଙ୍କରୁ ସ୍ତ୍ରୀଲୋକମାନେ ସେମାନଙ୍କୁ ଅନାଇଁ ଦେଖୁଥାନ୍ତି, କେତେପିଲା ପଛେ ପଛେ ଧାଉଁଥାନ୍ତି, କେତେ ମନ୍ତବ୍ୟ ଶୁଭୁଥାଏ, ବେଳେ ବେଳେ କେଉଁ ବୁଢ଼ା କି ବୁଢ଼ୀ କହିବାର ଶୁଭୁଥାଏ, "ଦୁଷ୍ଟଙ୍କୁ ସାଧ୍ୟ କର" "ଜେଲଖାନାକୁ ନିଅ।"
ଗାଁ ମଝିରେ ଥିବା ମହାବୀର ମଣ୍ଡପ ଆସିଗଲା। ସେଇଠି ସମସ୍ତେ ବସିଥିଲେ। ଚେହେରାରୁ ଜଣା ପଡୁଥିଲା ଅଧେ ଥିଲା ଵାଲା ଆଉ ଅଧେ ନ ଥିଲା ବାଲା। ସମସ୍ତେ ଠିଆ ହୋଇ ପଡ଼ିଲେ। ଦଣ୍ଡବତ ଆଦାନ ପ୍ରଦାନ ହେଲା।

ବିନୋଦ ପଚାରିଲା, "ଦୁଇ ପକ୍ଷର ସମସ୍ତେ ଅଛନ୍ତି ?"

"ହଁ"

ମଣ୍ଡପ ଉପରେ ଏ ଗାଁର ସବୁ ମୁଖିଆମାନେ ଅଛନ୍ତି ତ  ?

ମଣ୍ଡପ ଉପରୁ ଉତ୍ତର ଆସିଲା "ହଁ", ତଳୁ ଘୋ ଘା ହୋଇ ପ୍ରତିବାଦ ହେଲା - ସେମାନେ ତାଙ୍କ ପଟର ମୁଖିଆ ହୋଇଥିବେ, ଆମର ମୁଖିଆ ସେ ନୁହଁନ୍ତି। ଆମେ ସମସ୍ତେ ଏଇଠି ଅଛୁ।

ବିନୋଦ - "ସମସ୍ତ ମୁଖିଆ ମାନେ ଏଇଠି ବସ।"

ନା, ଆମେ ସେଠି ବସିବୁ ନାହିଁ।

ବିନୋଦ ତଳକୁ ଆସିଲା। କହିଲା, ଏହି ତଳେ ସବୁ ବସିବା।

ଦୁଇ ଦଳ ମୁହାଁ ମୁହିଁ ହୋଇ ତଳେ ବସିଲେ। ବିନୋଦ ବସିଲା ସେମାନଙ୍କ ମଝିରେ, ତା ସହ ସେ ପୋଲିସ ଅଧିକାରୀ ଦୁଇଜଣ ବି ବସିଲେ।

ବିନୋଦ କଥା ଆରମ୍ଭ କଲା - "ଠାକୁର ପୂଜା ଯାନି ଯାତ୍ରା ହେଲେ ଲୋକେ ସ୍ନେହରେ ଏକାଠି ହୁଅନ୍ତି, ଭୋଗ ବଣ୍ଟା ବଣ୍ଟି ହୁଅନ୍ତି, ଏକାଠି ଗାଁଯାକ ପର୍ବ କରନ୍ତି, ଯନ୍ତାଳ କରି ଖାଆନ୍ତି, ଏଠି କଣ ସବୁ ଓଲଟା ଚାଲିଛି !

ଘର କଲେ କେତେବେଳେ ବି କଳି ଲାଗେ, ଘର କଳି ଘରେ ମେଣ୍ଟେ, ସେମିତି ଗାଁ କଳି ବି ଗାଁରେ ମେଣ୍ଟିଯାଏ, ଯେତେବଡ଼ ଅଡୁଆ ହେଉ ଗାଁର ମୁଖିଆଲୋକେ ଏକାଠି ବସି ନିଜ ଭିତରେ ନିଶାପ କରି ଭାଙ୍ଗିଦିଅନ୍ତି, ଏଠି ଆପଣଙ୍କର କି କଳି ହୋଇଛି ଯେ, ଲାଗି ରହିଛି ବର୍ଷ ବର୍ଷ। କି ଅଶାନ୍ତି, କି ଉଦ୍ ବେଗ ନ ହେଉଥିବ !  କେତେ ସମୟ, କେତେ କାମ ମାରା ହେଉଥିବ ସେହି କଳି କଥାରେ ! କି କଥା ଏଇଟା ?  ଏଇଟା କଣ ଗାଁକୁ ଭଲ ?"

ଗୋପୀନାଥ ପଟର ବଡ଼ ନେତା ଭାଗୁ ସାହୁ କହିଲେ, "କାହିଁକି କଳି ହେଉଛି, କିଏ କଳି କରୁଚି, ଆପଣ ବୁଝନ୍ତୁ। କଳି ଭାଙ୍ଗିବାକୁ ଆମେ କଣ ମନା କରୁଛୁ ? ମାନୁଛି କିଏ ? ଏ ପରା ଯେଝା ହାତରେ ଯେ ଚୌଦପା।"

"ସେଇଆ ସେଇଆ," ତାଙ୍କ ପଟରୁ ଅନ୍ୟମାନେ କହିଲେ।

"ରଖିଥାହୋ, ତମ କୁହାଳିଆ ପଣ," ଆର ପଟରୁ ଉଦ ପଧାନ ପାଟିକଲା, ସବୁ ନାଟର ଗୋବର୍ଦ୍ଧନ ପରା ତେମେ କେଇଜଣ, ଆମ ନାଁରେ କେଇଦଫା ମକଦ୍ଦମା ଲଗେଇଲଣି ? ତେମେସବୁ କେତେ ମାଡ଼ ଫଉଜଦାରୀ ଲଗେଇଲଣି ? କେତେଲୋକଙ୍କୁ ଭାଗତାଷ ଜମିରୁ ଛଡ଼େଇଲଣି ?"

ଅଭିଯୋଗ ପରେ ଅଭିଯୋଗ ଚାଲିଲା। ହୋ ହାଲା ହେଲା। ବିନୋଦ ସମସ୍ତଙ୍କୁ ନିରସ୍ତ କରୁଥାଏ।

ଆର ପାଖରୁ ବୁଢ଼ା ବୈରାଗୀ ପଟ୍ଟନାୟକେ ଚିଁ ଚିଁ ସ୍ୱରରେ ପାଟି କଲେ, "ହଜୁର୍ ନିଜ କାନରେ ଶୁଣୁଛନ୍ତି ସବୁ, ଏ ହୁର୍ଦୁଙ୍ଗାଙ୍କର କେଡ଼େ ବହପ ଦେଖୁଥାନ୍ତୁ, ହ୍ୟାପ୍ କୋଡ଼ିଏ ହାତ ଦୂରରେ ହାତ ଯୋଡ଼ି ତଳେ ଠିଆ ହେବା ଲୋକ, ଅଇଛା ଇନ୍ଦ୍ର ଚନ୍ଦ୍ର ମାନୁ ନାହାନ୍ତି, ମୁଣ୍ଡ ଉପରେ ଚଢୁଛନ୍ତି। ହଜୁର୍ ଏଠି ଥାଉ ଥାଉ, ଦାରୋଗା ମୁନ୍ସୀ ଥାଉ ଥାଉ ଡର ଭୟ ନାହିଁ, ଅମରମତା ହେଉଛନ୍ତି, ଆଉ ବେଳେ କଣ, ହଜୁର୍ ବୁଝୁଥିବେ।"

ବିନୋଦ ତାଙ୍କ ପାଟି ବି ବନ୍ଦ କରେଇ, ଆଗକୁ ହାତ ବଢ଼େଇ ସମସ୍ତଙ୍କୁ ପଚାରିଲା, ୟେ ଆପଣମାନଙ୍କର କେଉଁ କାଳର ଠାକୁର ?

ରଘୁନାଥ ଦଳରୁ ଶୁଭିଲା, "ୟେ ତ କେଉଁ କାଳରୁ ଅଛନ୍ତି।"

ବିନୋଦ - "ଏ ଠାକୁର ସମସ୍ତଙ୍କୁ ସମ ଦୃଷ୍ଟିରେ ଦେଖନ୍ତି। ତାଙ୍କ ପାଖରେ ପର ଉପରେ ଘୃଣା ରାଗ ହିଂସା ଭଲ ନୁହେଁ। ଆପଣମାନେ ସମସ୍ତେ ଏକା ଗାଁର ଲୋକ। ମୁଁ କି ପୁଲିସ ଵାବୁମାନେ ଆପଣଙ୍କର କୁଣିଆଁ।"

ରଘୁନାଥ ଦଳରୁ ଜଣେ ମୁହଁ ପୋତି କହିଲା, "ହାକିମ ଗାଁ ଯାକର କୁଣିଆଁ ହ'ନ୍ତୁ। ପୋଲିସବାଲା ତ କେଉଁ କାଳୁ ଭାଗୁ ସାହୁର କୁଣିଆଁ।"

ବିନୋଦ - "ଆମେ କୁଣିଆଁ ଅଇଛା ଅଛୁ, ଆଉ ଟିକେ ପରେ ନ ଥିବୁ, ଗାଁରେ ରହିବ, ଚଳିବ, ମୁହଁ ଦେଖା ଦେଖି ହେବ ତୁମେମାନେ। ଆଜି କଳି ଅଛି, କାଲି ଶରଧା ଲାଗିବ, ଏଠି ଯେମିତି ଏକାଠି ବସିଛ, ସେମିତି ତେମେ ସବୁଦିନେ ଏକାଠି ବସ, ଭଲରେ ଚଳ। ଆମେ କେବେ ଆସିଲେ ପୁଣି ସବୁ ଘରୁ ପାନ ଖାଇବୁ।"

ଏତିକି ଶୁଣିବା ମାତ୍ରେ ଉଭୟ ପଟ ଲୋକ ପାନ ବଟା ଖୋଲି ବିନୋଦ ପାଖରେ ଦେଖାଇଲେ, ବିନୋଦ ଉଭୟପଟୁ ପାନ ନେଲା ଓ କହିଲା ଏବେ ମୁଁ ଆପଣମାନଙ୍କ କଥା ଶୁଣିବି। ଜଣେ କହିବା ସମୟରେ ଅନ୍ୟମାନେ ଚୁପ୍ ରହି ଶୁଣିବେ, ଆଉ କେହି ସେ ସମୟରେ ନିଜର କିଛି ପ୍ରତିକ୍ରିୟା ରଖିବେ ନାହିଁ। ମୁଁ ଆର ପଟକୁ ପଚାରୁଥିବି। ଦେଖିବା କେଉଁ କେଉଁ କଥା କାହାକୁ ପିତା କରିଛି।

୨୭.୬.୧୯

No comments: