Saturday, 22 June 2019

*ସତ୍ୟ ଓ ନ୍ୟାୟର ମଶାଲ*

ନ ହଉ ପ୍ରମୋଶନ, ଡିଅନ୍ତୁ ତାକୁ ଆହୁରି ଆହୁରି ତଳ ଲୋକେ, ହଉନ୍ତୁ ଧନୀ, କ୍ଷମତାଶାଳୀ, ହଉନ୍ତୁ ସେମାନେ ଉପରିକ ମାନଙ୍କର କି ମନ୍ତ୍ରୀ ମାନଙ୍କର ପ୍ରିୟ, ସେ ତେଣିକି ଅନେଇବ ନାହିଁ, ଆଶା କି ଲାଳଚା ରଖିବ ନାହିଁ। ଚାକିରି ସେ କରିଚି ଯୋଡ଼ିଏ କାରଣରୁ, - କୁଟୁମ୍ବ ପୋଷିବାକୁ ତା'ର ଏ ବେତନ ଦରକାର, ଆଉ, ଏ କାମ କରିବା ଦ୍ୱାରା ସେ କେତେ ଲୋକଙ୍କର କିଛି ଉପକାର କରିବାକୁ ସୁବିଧା ସୁଯୋଗ ପାଇପାରୁଛି।

ଏତିକିରେ ତା ଅଭାବ ପୂରିବ ନାହିଁ, ନିଅଣ୍ଟ ଚାଲୁଥିବ। ଚାଲୁ। ହଜାର ହଜାର ଲକ୍ଷ ଲକ୍ଷ ଲୋକ ଅଛନ୍ତି, ଯେଉଁ ମାନଙ୍କ ଆୟ ତା ଆୟଠୁଁ କେତେ ନାହିଁ କେତେ ତଳେ, କାହାର ସବୁ ଦିନେ ଦି'ଓଳି ବି ଚୂଲି ଜଳେ ନାହିଁ, ସେମାନେ ଓ ତାଙ୍କ ପିଲା କୁଟୁମ୍ବ ଆହୁରି କଷ୍ଟରେ ଚଳନ୍ତି। ସେ ଯଦି ତାଙ୍କ ସ୍ତରରେ ଥାଆନ୍ତା, ତାଙ୍କ ପରି ତ ଚଳୁଥାନ୍ତା। ସେ ଯଦି ତା ଠୁଁ ଧନୀ ମାନଙ୍କ ତୁଳନା କରିବ ତେବେ ତା ମନରେ କଷ୍ଟ ହେବ। ତା ନ କରିବା ଉଚିତ। ସଂସାରରେ ତହୁଁ ବଳି ତହୁଁ ବଳି ଅଛନ୍ତି।

ସେ ନିଜ ଦୁର୍ବଳତା ପାଇଁ ଲଜ୍ଜିତ ହେଲା। ସେ ଭାବିଲା, ସେଦିନ ଅଫିସରେ ସତେଇଶ ଜଣଙ୍କ ପ୍ରମୋଶନ କଥା ପଢ଼ି ଦୁଃଖିତ ହେବା କଥା, ସେ ଦୁଃଖିତ ହେଲା, ସେତେବାଟ ଠିକ୍ ଥିଲା, କିନ୍ତୁ ସେ ଏତେ ଅଧୀର ହୋଇ ପଡ଼ିଥିଲା ଯେ, ରାଘବ ଚୌଧୁରୀଙ୍କ ପାଖରେ ନିଜ ଦୁର୍ବଳତା ଦେଖାଇ ଆସିଥିଲା। ଇଏ ସେହି ରାଘବ ଚୌଧୁରୀ, ଯାହାକୁ ସେ ଦୁର୍ନୀତି ଓ କପଟାଚାରରେ ଜୁଡୁବୁଡୁ ବୋଲି ଜାଣି ନିଜେ ସେ ତାକୁ କେତେ ଘୃଣା କରୁଥିଲା, ସତର୍କ ହୋଇ ଏଡ଼ି ଏଡ଼ି ଚାଲୁଥିଲା। ତା ହେଲେ ନିଜେ ସେ କେତେ ତଳକୁ ଖସି ପଡ଼ିଲା। ଆଉ ତା ପାଇଁ କି କିମ୍ଭୀର କାନ୍ଦଣା ସେ ନ କାନ୍ଦିଲେଟି ? ଆଉ ତା ଉହାଡ଼ରେ ତାଙ୍କ ଉଦ୍ଦେଶ୍ୟ ! ତାଙ୍କର ସେ ସ୍ନେହବୋଳା କଥାଗୁଡ଼ିକ ପ୍ରକୃତରେ ବିଷଲଡୁ ହିଁ।

ସେ ଭାବିଲା ଯେ ପ୍ରକୃତରେ ପ୍ରମୋଶନ ନ ପାଇବାରୁ ତା ଅଣ୍ଟା ଭାଙ୍ଗି ପଡ଼ିଥିଲା।  ଯଦି ପ୍ରମୋଶନ ଦେଇଦେବେ ତାହେଲେ ସେ କ'ଣ ତାଙ୍କର ସଖୀ କଣ୍ଢେଇ ହେବ ?

ଇସ୍ କେଡ଼େ ବିଭତ୍ସ ଇଙ୍ଗିତ ସେ ଦେଲେ ! ସେ ମିଛ, ଶଠତା, ଛଳନା, ଖୋସାମତ ଶିଖିବ, ତାଙ୍କୁ ପଚାରି ପଚାରି ସବୁ କାମ କରିବ, ପଇସା ଖାଇବ, ନ୍ୟାୟ ଅନ୍ୟାୟ ବିଚାର ରଖିବ ନାହିଁ, ସେ ହେବ ରାଘବ ଚୌଧୁରୀଙ୍କ ଯୋଗ୍ୟ ଚେଲା, ଏଇଆ ତ ?

ନା, ତା ବିବେକ କହୁଛି, କଦାପି ସେ ଏପରି ହେବାକୁ ଦେବ ନାହିଁ। ସେ ଧରିଛି ଗୋଟିଏ ମଶାଲ, ନିଜେ ଯେତେ ଅତ୍ୟାଚାର, ଯେତେ ଉତ୍ପୀଡ଼ନ ପାଉ ସେ ମଶାଲ ସେ ତଳକୁ ନୁଆଇଁବ ନାହିଁ, ନିଭାଇବା ତ କାହିଁ ଦୂର କଥା। ଯେତେ ଯେତେ ଲୋକଙ୍କୁ ତା ପଛରୁ ଆଗକୁ ଓଟାରି ପଦୋନ୍ନତି ଦିଆଯାଉ, ସେ ତିଳେ ବି ବିଚଳିତ ହେବ ନାହିଁ, ତା'ର ଉତ୍ସାହ, ତା'ର ଦକ୍ଷତା, ତା ପରିଶ୍ରମ ଆଦୌ ଧିମେଇବ ନାହିଁ, ବରଂ ବଢ଼େଇବ।

କହନ୍ତି ନାହିଁ, "କେତେ ଫଳ ତ ଖାଇଛି, ଗୋଟେ ଫଳ ନ ଖାଇଲେ କ'ଣ ହେଇଯିବ ?"

୨୨.୬.୧୯

No comments: