"ଆଜି ସ୍ୱାଧୀନତାର ପ୍ରଥମ ଦିନ," ବିନୋଦ ଖାଉ ଖାଉ କହିଲା, "କମ୍ ବଡ଼ ଦିନଟିଏ ଇଏ, ଭାରତବର୍ଷରେ ଗଲା ଦୁଇଶ ବର୍ଷରେ ଏମିତି ଦିନଟି କେବେ ଦେଖା ଦେଇ ନ ଥିଲା। ଏଇ ଓଡ଼ିଶା କଥା ଭାବୁନ, ଓଡ଼ିଶାକୁ ଇଂରେଜ ନେବାର ହେଲାଣି ଶହେ ଚୌରାଳିଶ ବର୍ଷ। ଏତେଦିନ ଇଂରେଜୀ ରାଜତ୍ୱ ଥିଲା, ଆଜି ତା ଆଉ ନାହିଁ। ତୁମ ହାତରେ ଅମୃତ ଅଛି, ଶାଗପତ୍ର ଦୋଟି ହଳଦି ପାଣି କରିଦେଲେ ସେ ବି ସୁଆଦ ଲାଗିବ, ମୁଁ ଜାଣେ, ତେବେ, ଆଜି ପରା ଉତ୍ସବ ଦିନରେ, ଦାମୀ ଭୋଜୀ ଭାତର ରନ୍ଧା ଭଳି ଗୋଟିଏ କିଛି କରିଥିଲେ ବୋଧହୁଏ ଭଲ ହୋଇଥାନ୍ତା।
ଅନୁରାଧା କହିଲା, "ମୋତେ କହିଥିଲେ, ମୁଁ କଣ ମନା କରିଥାନ୍ତି ? ଆଗରୁ କହିଥାନ୍ତ, ବଜାର କରି ଦେବାକୁ ଜଗୁମିଶ୍ରକୁ ଆଗରୁ ମୋ ପାଖକୁ ପଠାଇଥାନ୍ତ କି ନିଜେ ହେଲେ ଟିକିଏ ଚାଲିଯାଇଥାନ୍ତ। ଯେମିତି ଯାଅ ସେମିତି ସାଇକେଲ ଚଢ଼ି ଖେପି ଯାଇଥାନ୍ତ, ଯାହାହେଲେ କିଛି କରିଥାନ୍ତି ! କହିଲ ତ ନାହିଁ !"
ବିନୋଦ, "ରବି ଆସି ପାରେ, ନ ହେଲେ ମୁଁ ଯିବି ବଜାର କରି। ତୁମେ ରାତିରେ ପିଠାପଣା କରିବା ଓ ଦୀପାଳି ଜାଳିବା ପାଇଁ ପ୍ରସ୍ତୁତ ହୁଅ।"
ପୁଣି ବିନୋଦ ଚାକିରି ବେଳର ଦୁଃଖ ସବୁ ମନେ ପକାଇଲା।
ଏତିକିବେଳେ ବିନୋଦଙ୍କ ବୋଉ ଉଠିଲେ, କହିଲେ, "ହଉ ହଉ, ଭଗବାନ କରନ୍ତୁ ମୋ ପୁଅର ସବୁ ଦୁଃଖ କଷ୍ଟ ଦୂର ହେଉ, ତା ଆଶା ପୂରଣ ହଉ, ସେଇଆ ମୋ ଆଖି ଦେଖୁ, କାନ ଶୁଣୁ।"
ବିନୋଦ - "ଆମ ପାଇଁ ଭାବ ନା ବୋଉ, ସଂସାରଯାକର ଭଲ ପାଇଁ ଭଗବାନଙ୍କୁ ପ୍ରାର୍ଥନା କର।"
ମା' ବୁଢ଼ୀ - "ଜୀବନଟା ସାରା ଦେଖିଲିଣି ସବୁ ତ ଓଲଟା ଫଳୁଛିରେ। ସତେ କଣ ଭଗବାନ ଏଇଥର ମୋ ପୁଅକୁ ଦୟା କରିବେ ! ହେ ମହାପ୍ରଭୁ !"
ବିନୋଦ - "ନିଶ୍ଚୟ, ଦେଖିବୁ-ଦେଖିବୁ।"
ଶଶୀ ମିଶ୍ର - "ସ୍ୱାଧୀନତାକୁ କେଉଁ ଅନ୍ଧାରୀ ଯୁଗରୁ ତ ଚିହ୍ନି ସାରିଥିଲେ ଭାରତର ଲୋକେ। ନିଜ ନିଜ ଜୀବନର ଆଦର୍ଶ ବୋଲି ତାକୁ ଘେନି ସାରିଥିଲେ। ତେଣୁ ଯଦି ମରଣ ଆସୁଛି ବୋଲି ଜାଣୁଥିଲେ ତେବେ ବି କାତର ହେଉ ନ ଥିଲେ, ଆପଣା ନୀତିରୁ, ବିଚାରରୁ କି ବାଟରୁ ତିଳେ ହେଲେ ଘୁଞ୍ଚୁ ନ ଥିଲେ। କୁଆଡ଼େ ଗଲେ ସେ ଲୋକେ ?
ଶଶି ମିଶ୍ର ମଠେଇ ମଠେଇ ଚାଲିଲେ, ଆଜି କଣ ଦିଆଲୀ ! ନା, ଆଜି ତ ଶ୍ରାବଣ ମାସ କୃଷ୍ଣ ପକ୍ଷ ଚତୁର୍ଦ୍ଦଶୀ ରାତି। ଆଜି ଅଗଷ୍ଟ ପନ୍ଦର ଉଣେଇଶ ଷଡ଼ଚାଳିଶ ରାତି।
ଘରେ ଘରେ ମାଳ ମାଳ ଦୀପମାଳା ବସିଗଲେ ଦିଆଲୀ ହୁଏ ନାହିଁ। ଦି ବର୍ଷ ତଳେ ତ ଏମିତି ଦିଆଲୀ କରିଥିଲେ। ସେତେବେଳେ ଦ୍ଵିତୀୟ ମହାଯୁଦ୍ଧ ସରିଥିଲା, ଇଂରେଜ ଯୁଦ୍ଧ ଜିତିଥିଲା। ସେମାନେ ମହମ ବତୀ ଜାଳି ହେଣ୍ଡି ମାରୁଥିଲେ ସେଦିନ। ଦି ବର୍ଷ ପରେ ଆଜିର ଏ ଦୀପ ବୁଝାଉଛି, ଇଂରେଜମାନଙ୍କର ମୂଳ ଓପଡ଼ା ସରିଲାଣି।
ଆଜିର ତାତ୍ପର୍ଯ୍ୟକୁ ଏ ଦେଶବାସୀ ବୁଝିବେ ତ !
ଆଜି ଚତୁର୍ଦ୍ଦଶୀ। କାଲି ଚିତାଲାଗି ଅମାବାସ୍ୟା। ଜଗନ୍ନାଥ ମହାପୁରୁ କାଲି ସୁନା ଚିତା ପିନ୍ଧିବେ। ତାଙ୍କୁ ଚିତା ଲାଗି କରାହେବ। ଆମେ ଚିତୋଉ ପିଠା ଖାଇବା।"
ବିନୋଦ ଦାସ - "ଆରେ ଶଶୀ ବାବୁ ଯେ। ନମସ୍କାର ଆଜ୍ଞା। ଆମ ଘରକୁ ଆସନ୍ତୁ ଆଜ୍ଞା। ଆଜି ପରା ଦିନରେ ଆପଣଙ୍କ ପରି ମହତ ଲୋକମାନଙ୍କର ପାଦଧୂଳି ପଡ଼ିଲେ ଆମର ଭାଗ୍ୟ।"
ଅଜ୍ଞ, ମୁଁ କିବା ଅଧମ ! ଯେ ନିଜେ ମହତ, ସଂସାରର ଗୋଡ଼ି ମାଟି ତାଙ୍କ ପାଇଁ ମହତ। ତେଣୁ ସିନା ଆପଣଙ୍କ ତୁଣ୍ଡରେ ଏ ବଚନ - ଶଶୀ ମିଶ୍ର କହିଲେ।
ଦିହେଁ ବଜାର ସାରି ବିନୋଦର ବସା ପିଣ୍ଡାକୁ ଗଲେ। ସେଠି ବି ମାଳ ମାଳ ଦୀପ।
ବିନୋଦ - "ଆଜିଠୁଁ ଆମ ଦେଶର ନୂଆ ଇତିହାସ ଚାଲିଲା। ଏ ଯୁଗ ହେବ ସୁଖ ସମୃଦ୍ଧିର।"
ଶଶୀ ମିଶ୍ର - "ଭଗବାନ ଆମକୁ ସେ ସଦବୁଦ୍ଧି ଦିଅନ୍ତୁ। ଆମେ ନିଜକୁ ନ ଗଢ଼ିଲେ କିଛି ହେବ ନାହିଁ। ତାଙ୍କ କୃପା ନ ଥିଲେ ବି କିଛି ହେବ ନାହିଁ।"
ବିନୋଦ - "ଆପଣଙ୍କୁ କେମିତି ଦିଶୁଛି ?"
ଶଶୀ ମିଶ୍ର - "ଆମ ଦୋଷ ତ୍ରୁଟି ବଦଳିଥିବାର ମୁଁ କିଛି ଦେଖିଲି ନାହିଁ। କାଲି ଯାହା ଥିଲା ଆଜି ସେଇଆ ଅଛି। କେତେ ତ୍ୟାଗୀ ମହାପୁରୁଷ ନିଜର ସବୁ ସୁଖ ଉଜାଡ଼ି ଦେଇ ପ୍ରାଣ ପଣେ ସ୍ଵାଧୀନତା ଆଣିଲେ, କିନ୍ତୁ ଆଜି ଦେଖ କ୍ଷମତା ପାଇଁ କି ଲଢ଼େଇ ଚାଲିଛି। ଦୁଷ୍ଟ ଲୋକଙ୍କୁ ପାଳକ ପଡ଼ିଛି। ସେମାନଙ୍କ ହାତକୁ ଦେଶ ଚାଲିଗଲେ ଦେଶର କି ଅବସ୍ଥା ହେବ ! ମୁଁ ଚିନ୍ତାରେ ପଡ଼ିଯାଇଛି।"
୧୪-୬-୧୯

No comments:
Post a Comment