Sunday, 2 June 2019

*ଛାଞ୍ଚ ବଦଳିବା ଦରକାର*

ଜିପ୍ ଖାତରୁ ବାହାରିବା ପରେ ଆଗକୁ ଚାଲିଲା। କାମ ଦେଇଥିବା ଉନ୍ନୟନ କର୍ମଚାରୀମାନେ ଏଇ ଜୀପ୍ ରେ ଯାଇ କାମ ନିରୀକ୍ଷଣ କରିଥାନ୍ତି। କେଉଁଠି ଘର ତୋଳା ହେଉଛି, କେଉଁଠି ମାଟି ଖୋଳା ହେଉଛି, କେଉଁଠି ବଢ଼େଇ କାଠ ଚିରୁଛି, କେଉଁଠି ବୋଲା ହେଉଛି ଓଡ଼ିଶୀ ଛାନ୍ଦ, ସେହି ଯେଉଁ ସାହିତ୍ୟକୁ ଦେଶର ମହାମହା ପଣ୍ଡିତ ଅର୍ଥ କରିବାକୁ ଯାଇ ଝାଳନାଳ ହୁଅନ୍ତି ତାକୁ ବୋଲୁ ଥାଆନ୍ତି ନିରକ୍ଷର ମୂଲିଆ ମୁଲିଆଣୀଏ। କଥାକଥାକେ ସେଠି ଆଲୋଚନା ପଡ଼ିଯାଏ ବଡ଼ ବଡ଼ ଦର୍ଶନତତ୍ତ୍ୱର - ଆତ୍ମା କ'ଣ ? ପରମାତ୍ମା କ'ଣ ? ଦୁଇ ନା ଏକ, ଭଗତି କ'ଣ, ଜ୍ଞାନ କ'ଣ - ସେହି ମାଟିଚକଟା ଅଗାଡ଼ିଖୁଣ୍ଟା ପରିବାକଟା ପାଖେ, ଆଉ ଆଲୋଚନା ପଡ଼େ କେତେ ପୁରୁଣା ପାଠ ବିଷୟରେ, କବିରାଜି, ଚଉତିଷୀ, ଶିଳ୍ପୀ, ଲୀଳାବତୀ, ପୁରାଣ, କେତେ ଅଛିଣ୍ଡା ସେ କାହାଣୀ। ଅପାଠୁଆପଣ, ଶୁଣିଶିଖାଗୁଣ, ଚର୍ଚ୍ଚା ଅଭାବରୁ ସେ ଗପରେ କୁସଂସ୍କାର ଅନ୍ଧବିଶ୍ୱାସ ଭୁଲ ଧାରଣା ଗୋଳି ମିଶି ହୋଇ ବାରଣା ଅଂଶରେ ଭୁଲ ପଛେ ଥାଉ ଚାରଣା ଭାଗରେ ସେଥିରେ ମଞ୍ଜି ଅଛି, ସାର ଅଛି। ଆଶ୍ଚର୍ଯ୍ୟ ଲାଗୁଛି ଦାନା କନା ନ ଥିବା ଲୋକମାନେ ସଂସ୍କୃତିକୁ କେମିତି ଜାବୁଡ଼ି ଧରିଛନ୍ତି।

ଏତେ ବୁଲି ବୁଲି, ଏତେ ପାଟି କରି, ଏତେ ବର୍ଷରେ ଏଇ ଯାହା ଆଖିରେ ପଡୁଛି, କେଉଁଠି ଅରାଏ ସୁସ୍ଥତା, ତାକୁ କ'ଣ ପରିବର୍ତ୍ତନ କୁହାଯିବ ? କାହିଁ ଏଠି ପରିବର୍ତ୍ତନ ? କେବେ ହେବ ?  ଓଲଟି ସେପାଖେ ଟିକେ ଧୋବ ଧାଉଳିଆ ହେଉ ହେଉ, ଏଠି ଗୋଟିଏ ଶଡ଼କ ସେଠି ଗୋଟିଏ କୋଠା ଠିଆ ହେଉ ହେଉ ଯେଉଁ ବାଦଛେଦ ଲାଗି ଯାଉଛି, ମନ ଫଟାଫଟି ବଢୁଛି, ସବୁ ଉନ୍ନୟନ ପ୍ରଗତି ବାଟରେ ସେ ସବୁଠୁ ବଡ଼ ପ୍ରତିବନ୍ଧକ, ଭବିଷ୍ୟତ ଲାଗି ମହାବିପଦ।

ସେ ବିପିନ୍ - ତାକୁ ସେହି ଅବସ୍ଥା ସମ୍ଭାଳିବାକୁ ପଡ଼ିବ। ଏ ଗରିବ ଲୋକମାନେ ଆଉ କେତେଦିନ ଅନେଇଥିବେ ଆମର ଏଇ ସରକାରୀ ଜିପ୍ କୁ ?

ନିରାଶ ହେଲେ କି ରାଗିଲେ ସେମାନେ କ'ଣ ଦରଖାସ୍ତ ପଠାଇ ଅପେକ୍ଷା କରି ବସିବେ ନା ଆଉ କିଛି କରିବେ ?

କାହିଁକି ବାରମ୍ବାର ନଈ ବଢ଼ି ହେଉଛି, ଅଟକାଇ ହେଉ ନାହିଁ, କାହିଁକି ସବୁ କାମ ଡେରି ହେଉଛି, କେଉଁଠି ତ୍ରୁଟି ରହୁଛି, କେଉଁଠି ଘଳିଆ ବାଟେ ଧନ ବୋହିଯାଉଛି, କାହିଁକି କେଉଁଠି ପିଇବାକୁ ପାଣି ନାହିଁ, ରୋଗ ଭଲ କରିବାକୁ ଡାକ୍ତର ନାହିଁ କି ଔଷଧ ନାହିଁ, ଶିଳ୍ପ ବଢୁ ନାହିଁ, ଆମଦାନୀ ବଢୁ ନାହିଁ, ଦାରିଦ୍ର୍ୟ ଯାଉ ନାହିଁ, ଅଶିକ୍ଷା ଯାଉ ନାହିଁ...

ସିଗାରେଟରେ ଲମ୍ବା ଶୋଷାଏ ମାରି ଏକର ସେକର ଅନାଇଁ ସେ ଭାବିଲା, "ଯେତେବେଳେ ଛାଞ୍ଚ ବଦଳି ଯିବ ସେତେବେଳେ ଏ ସବୁ ସୁଧୁରିଯିବ।

୨.୫.୧୯

No comments: