Tuesday, 18 June 2019

*ବିରାଟ ସାଧାରଣ ସଭା*

ସଭାସ୍ଥଳ ଲୋକାରଣ୍ୟ। ମଣିଷ ଗହଳି ଦେଖି ବିନୋଦ ନିଜକୁ ବୋଧ ଦେଉଛି, ଦେଶ ସ୍ଵାଧୀନ ହେଲା, ଏବେ ଯାହା ହେବ ସବୁ ଭଲ ହେବ, ସବୁ ଠିକ୍ ହେବ।

କେହି ଜଣେ କହିଲେ, "ଏତେ ପଛରେ ଗହଳିରେ ଠିଆ ହୋଇଛନ୍ତି ଆଜ୍ଞା।"

ବିନୋଦ ଦେଖିଲା - ପିଲାଟିଏ କାଖେଇ ଶିକ୍ଷକ ଶଶୀ ମିଶ୍ର ଠିଆ ହୋଇଛନ୍ତି। ପିଲାଟିର ଖୁଜୁବୁଜୁ ନାହିଁ, ତୁନି ହୋଇ ରହିଛି, ଗୁଲୁଗୁଲୁ କରି ଚାରି ଆଡ଼କୁ ଚାହୁଁଛି।

ଶଶୀ ମିଶ୍ର - "ଆଗକୁ ଯାଆନ୍ତୁ ଆଜ୍ଞା। ଆପଣମାନେ ବଡ଼ବଡ଼ ଲୋକେ ଆଗକୁ ସିନା ଯାଆନ୍ତେ।"

"କିଏ ବଡ଼ କିଏ ସାନ ଆଜ୍ଞା ?" ହସିଦେଇ ବିନୋଦ କହିଲା, "ଆପଣଙ୍କଠୁଁ ମୁଁ ବଡ଼ ? ନା ଆଗରେ ରହିଲେ କିଏ ବଡ଼ ହୋଇଯାଏ ? ଚାରିଆଡ଼େ ମାଇକ ଲାଗିଛି, ଏଠୁ ବି ଭଲ ଶୁଭିବ।"

ଅକଳନ ଜଳ ରାଶି ପରି ରାଜ୍ୟଯାକର ଜନତା ଶିରୀପୁର ପଡ଼ିଆରେ ଏକତ୍ରିତ ହୋଇଥାନ୍ତି। ବିନୋଦ ମନରେ କେତେ କେତେ ବିଚାର ଲହଡ଼ି ଭାଙ୍ଗୁଥାଏ। ସେ ଚିନ୍ତା କରୁଛି, ଏ ଜନତାଙ୍କୁ କେତେ କାଳ ବାନ୍ଧି ରଖି ହେବ ? ଏହି ଜନତାର ଆଶା ଓ ପ୍ରୟୋଜନ ହିଁ ତା'ର ଇତିହାସର ସୂଅ। ସେ ତା'ର ନିଜର ଇତିହାସ ଗଢ଼ି ଗଢ଼ି ଚାଲିଥିବ। ସେଥିପାଇଁ କେତେ ନେତାଙ୍କୁ ଟେକିବ କଚାଡ଼ିବ, ପୁଣି ଟେକିବ ଆଉ କାହାକୁ, ପୁଣି କେତେବେଳେ କଚାଡ଼ି ଦେବ।

ଯେଉଁ ବ୍ୟବସ୍ଥାରେ ଟଙ୍କାକେ ଦଶଅଣା ଭାଗ ଲୋକ ମଣିଷ ପରି ଦି' ଓଳି ପେଟପୂରା ଖାଇବାକୁ ପାଆନ୍ତି ନାହିଁ, ମଣିଷ ହୋଇ ସାଧାରଣ ଗୁଜୁରାଣ ବି ମେଣ୍ଟେଇ ପାରନ୍ତି ନାହିଁ, ପଲପଲ ଲୋକ ସଡ଼କ କଡ଼ରେ କି ଗଛ ମୂଳେ ଶୁଅନ୍ତି, ଯେଉଁ ବ୍ୟବସ୍ଥାରେ ହେତୁ ପାଉ ପାଉ ପିଲା ମନରେ ନିରାଶାର ହା' ପଶିଯାଏ, ଯହିଁରେ ଚାଲେ ଅଳ୍ପ ଦୁଷ୍ଟ ଲୋକଙ୍କ ଦ୍ୱାରା ବେଶୀ ଲୋକଙ୍କ ଉପରେ ଅନ୍ୟାୟ, ଅନୀତି, ଶୋଷଣ, ଉତ୍ପୀଡ଼ନ ଯେତେ ଯେ ଢିରା ଦେଲେ ବି ତାକୁ ସାଇତି ରଖିବା ସମ୍ଭବ ନୁହଁ। ସୂଅ ତୋଡ଼ରେ ସେସବୁ ଭାସିଯିବ। ହଠାତ୍ ନୁହେଁ, ହୁଏତ ଚଞ୍ଚଳ ବି ନୁହେଁ। ମଝିରେ କେତେ କେତେ ପ୍ରତିରୋଧ, ତାର କେତେ କେତେ ଉପାୟ ! ସାକୁଲା ସାକୁଲି, ଭୁଲାଭୁଲି, କେତେ ଛଦ୍ମବେଶ ପକାଇ କେତେଲୋକ ଆସିବେ ଭୁଲବାଟ ଦେଖାଇବାକୁ, ହିତକାରିଆ ବୋଲାଇ ଆସୁଥିବେ ବୁଝାଇ ସୁଝାଇ ଅଟକାଇ ରଖିବାକୁ। ଅସମ୍ଭବ କଣ - ପୁଣି କେତେବେଳେ କିଏ ବନ୍ଧୁକ ଦେଖାଇବ, କିଏ ଠେଙ୍ଗା ଉଞ୍ଚାଇବ, କିଏ ଝଣ ଝଣ କରିବ ଜଞ୍ଜିରରେ ବାନ୍ଧିବା ପାଇଁ, ଏମାନେ ସବୁ ମିଶି ବୃଥା କୋକୁଆ ଭୟ ସୃଷ୍ଟି କରିବେ, ତଥାପି ରୋକି ପାରିବେ ନାହିଁ।

ମନ୍ତ୍ରୀ ଭାଷଣରେ ଗାନ୍ଧିଜୀଙ୍କ କଥା କହିବାରୁ ଶଶୀ ମିଶ୍ର କହିଲେ, ମହାତ୍ମା ଯାହା କହିଥିଲେ କିଏ ତାକୁ ପାଳନ କରୁଛି। ସବୁ ତ ଓଲଟା କରୁଛ !

ମନ୍ତ୍ରୀ କହୁଛନ୍ତି ସ୍ୱାଧୀନ ହେବାର ଗୌରବ କଥା। ତାଳିମାଡ଼ ଚାଲିଲା। ବିନୋଦ ଭାବିଲା ଯେଉଁ ଚଢ଼େଇ ପିଞ୍ଜରାରୁ ଖସିଗଲାଣି ସେ ସ୍ୱାଧୀନ ଚିନ୍ତା କରିପାରିବ।

ମନ୍ତ୍ରୀଙ୍କ ବଡ଼ ବଡ଼ କଥା ଶୁଣି ଶଶି ମିଶ୍ର କହିଲେ, "ପ୍ରଥମେ ତ ସମସ୍ତିଙ୍କୁ ମୁନ୍ଦିଏ ପିଇବା ପାଣି, ସମସ୍ତିଙ୍କ ପାଇଁ ଘର, ସମସ୍ତିଙ୍କ ପାଇଁ ଧନ୍ଦା, ପାଠ, ଓଷଦ ବ୍ୟବସ୍ଥା କର। ରାଇଜଯାକ ଲୋକ ବଞ୍ଚନ୍ତୁ ଆଗ। ତା ପରେ ଯାହା ବଡ଼ ବଡ଼ କାମ କରୁଚ କର।

ବିନୋଦ ଭାବୁଥାଏ, ମନ୍ତ୍ରୀ ଯଦି ଭଲ ଭଲ କାମ କରିବାକୁ ପ୍ରତିଶ୍ରୁତି ଦେଇଚାଲିଛନ୍ତି, ତେବେ ସେ ତ ଭଲ ଲୋକଙ୍କୁ ନିଜ କାମରେ ମିଶାଇବା କଥା, ତା ନକରି ସବୁ ଚୋରଗୁଡ଼ାଙ୍କୁ ପାଖରେ ପୁରୋଉଛନ୍ତି କାହିଁକି ? ନା, ବଡ଼ ବଡ଼ ଚୋରଙ୍କୁ ସାତଖୁଣ ମାଫି !

ଶଶି ମିଶ୍ର - "ହୋଉ, ଦେଖିବାକୁ ବାକି ରହିଲା କଳା ବଜାରୀ କେଉଁ ଦିନ ଫାଶୀ ଖୁଣ୍ଟରେ ଝୁଲିବ।"

ବିନୋଦ - "କାହିଁକି, ଆପଣ କଣ ଜାଣି ନାହାନ୍ତି, ଦାମ୍ ରେ କିଏ ଚାରି ପଇସା ଅଧିକ ନେଇଗଲେ ତାକୁ ଜେଲ ପଠାଯାଏ।"

ଶଶୀ ମିଶ୍ର - "ମହାମହା ଅପରାଧୀ ହାତୀ ପରି ବୁଲନ୍ତି। ତାଙ୍କ ପାଖ କେହି ପଶେ ନାହିଁ - ଅର୍ଥେନ ସର୍ବେ ବଶାଃ। ବାଧ୍ୟରେ ପଡ଼ି କାହାକୁ କେହି ଧରି ପକେଇଲେ, ଜାଣି ଜାଣି ଏତେ ଘଳିଆ ରଖିଥାନ୍ତି ଯେ ମକଦ୍ଦମା ହୁଏ ନାହିଁ, ହେଲେ ବି ଟଳି ପଡ଼େ। ବାକି ଯାହା ରହେ, ବଡ଼ ବଡ଼ ଓକିଲ ଲାଗିଲେ ବିଦ୍ୟା ବୁଦ୍ଧି ଖଟାଇ ତାକୁ ବି ପାର କରେଇ ଦିଅନ୍ତି। ତଳ କୋର୍ଟରେ ନ ହେଲେ ଉପର କୋର୍ଟରେ, ସେଠି ନ ହେଲେ ଆହୁରି ଉପର କୋର୍ଟରେ।

ବିନୋଦ - ଆପଣ ଏତେ କଥା ଜାଣିଲେ କେମିତି ?

ଶଶି ମିଶ୍ର - ୟେ ସାଧାରଣ ଜ୍ଞାନ ଆଜ୍ଞା, ସମସ୍ତେ କୁହାକୋହି ହୁଅନ୍ତି।

ମନ୍ତ୍ରୀଙ୍କ ଭାଷଣ ସରିବା ପରେ ଧନ୍ୟବାଦ ପର୍ବ ଆରମ୍ଭ ହେଲା। ତା ପରେ ସଭା ସାଙ୍ଗ ହେଲା।

ଶଶି ମିଶ୍ର - "ଯାଉଛି ଆଜ୍ଞା ନମସ୍କାର।"

"ନମସ୍କାର" କହି ବିନୋଦ ବି ଲେଉଟି ଚାଲିଲା।

୧୮.୬.୧୯

No comments: