Tuesday, 11 June 2019

*ମଣିଷର ଲୋଡ଼ା ଶାନ୍ତି*

ରବି ଶୋଇଥିଲା, ହଠାତ୍ ନିଦରୁ ଉଠିପଡ଼ିଲା। ସମସ୍ତେ ଶୋଇଛନ୍ତି। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇ ବହୁଦିନ ପରେ ଫେରିଥିବା ବୃଦ୍ଧ ଆରତ ପଣ୍ଡା ବି ଶୋଇଛନ୍ତି ଗଛ ତଳେ। ରବି ତାଙ୍କର ପରାକ୍ରମ ବିଷୟରେ ବହୁତ ଶୁଣିଛି। ପାଟେଳିଗାଁର ଏହି ଆରତ ପଣ୍ଡାଙ୍କ ନାଁ ଏ ଖଣ୍ଡ ମଣ୍ଡଳର ଲୋକଙ୍କ ସ୍ମରଣରେ ଅଭୁଲା ଇତିହାସ।

ଦୀର୍ଘଶ୍ଵାସ ପକାଇ ରବି ଗାଁ ମଝି ଆଡ଼କୁ ଚାହିଁଲା। ଗାଁ ଶୋଇ ରହିଛି। କେତେବେଳେ ବିଲୁଆ ଦେଖି ପକାଇ ନିଦ ବାଉଳାରେ ବିଳିବିଳେଇଲା ପରି କୁକୁର ଭୁକୁଛନ୍ତି। ବାଦୁଡ଼ିଙ୍କ ପକ୍ଷୀ ଫଡ଼ଫଡ଼ ଶୁଭିଯାଉଛି। ରବି ଆପଣା ଭିତରେ ଗୋଟାଏ ଉନ୍ମାଦନା ଅନୁଭବ କରୁଛି। କିଏ ତାକୁ ଖୋଜୁଛି, କିଏ ତାକୁ ଝୁରୁଛି। ମନେ ପଡ଼ିଗଲା - ବୋଉ। ବାପା। ଦୁହିଁଙ୍କର ଦୁଇ ପ୍ରକାର ସ୍ନେହ, ଜଣକର ପୂର୍ଣ୍ଣ ଆତ୍ମସମର୍ପଣରେ ତ ଆଉ ଜଣଙ୍କର ବିରୋଧରେ। ଉଭୟ ସ୍ଥଳରେ ସ୍ନେହ ହିଁ ଗଭୀର ସ୍ନେହ।

ବାପା ବୋଉ, ଚିରନ୍ତନ ସ୍ନେହର ବନ୍ଧନ ଯାଚୁଥିବା ହାତ ଦି'ଯୋଡ଼ା, ଚିରକାଳ ଆପଣାଠି ତାକୁ ମାଡ଼ି ରଖିବାକୁ ଖୋଜେ। ସେ ହାତ ଶିଥିଳ ହୋଇ ଭୁଇଁରେ ଭରା ଦେଇ ପଡ଼ି ରହିଥିବ।

ସେମାନେ ଖୋଜୁଥିଲେ ତାକୁ ସଂସାରୀ କରି ରଖିବାକୁ।

ସେ ସ୍ପଷ୍ଟ ବୁଝି ପାରିଲା ଯାହା ପାଇଁ ସେ ଉଠି ପଡ଼ିଛି, ସେ ବାପା ବୋଉ ନୁହଁନ୍ତି। ସେ ଛବି। ଶୋଷିଲା ଚାହାଣୀରେ ଦୂରକୁ ଅନାଇଁ ସେ ଛବିକୁ ଦେଖୁଛି। ତା'ର ମନେପଡୁଥିଲା ସେଦିନ ସେ ପାଟେଳିଗାଁ କୋଠ ଘର ଉତ୍ସବର ଖବର ଦେବାପାଇଁ ଯାଇଥିଲା ତାଙ୍କ ଘରକୁ। ଛବି ପ୍ରତି ତାର ଏତେ ଦିନର ସଞ୍ଚିତ ଆବେଗ ପୁଣି ଆପଣା ଭିତରୁ ବାହାରି ତାହାର ଆଖିରେ ମାୟା ଅଞ୍ଜନ ବୋଳି ଦେଇଛି। ତା ମନ ଭିତରେ ଓଦା ଓଦା ନରମ ନରମ ଭାବ ଆଉ ବେଦନାର ଅସ୍ପଷ୍ଟ ଝଙ୍କାରଟିଏ ତାକୁ ଆବୋରି ରହିଛି।

ତା ବି ସଫା ହୋଇଯାଉଛି। ଅନୁଭବ କରି ହେଉଛି, ଏଇ ଜହ୍ନ, ଏଇ ସେ ପ୍ରିୟ ଗାଁ, ତା'ର କର୍ମଭୂମି, ଯେଉଁଠି ଭାବ ଘେନିଲା ରୂପ। ସାନଠୁଁ ବଡ଼ଯାକେ ସମସ୍ତେ ତାକୁ ଭଲ ପାଆନ୍ତି। ବନ୍ଧଭଙ୍ଗା ନଈ ବଢ଼ି ପରି ଘୁ ଘୁ ହୋଇ ଉଲ୍ଲାସ ଆନନ୍ଦ ତା'ର ଚେତନା ଭିତରେ ପ୍ରବେଶ କରୁଛି। ସେ ଫିଟିଯାଉଛି ବିଛେଇ ହୋଇଯାଉଛି।

ଦିଶି ଦିଶି ଯାଉଛି ଆହୁରି କେତେ ଗାଁ, କେତେ ମଣିଷ, ମଣିଷକୁ ମଣିଷ ଧାର ଲାଗିଯାଇଛନ୍ତି ଦୁନିଆଁସାରା। ସେ ନିଜେ ଏକ ନୁହେଁ, ବହୁ।

ରାତି କେତେ ହେବ ? ତିନି ନା ଦୁଇ ?? ନିଘୋଡ଼ ନିଦରେ ଶୋଇଛନ୍ତି ସମସ୍ତେ।

କେତେ ସଂଘର୍ଷ-ଚେତନା। କେତେ ସମସ୍ୟାର ସିଝା ଦାଗ, ଚିଆଁ ଦାଗ। କିନ୍ତୁ ସବୁ ନିଦ୍ରିତ।

ସେ ଚିନ୍ତା କରୁଛି -

ଚେତିବାକୁ ପଡ଼ିବ, ରୋଧିବାକୁ ପଡ଼ିବ, ମଣିଷର ଲୋଡ଼ା ଶାନ୍ତି।

କେମିତିକା ଶାନ୍ତି ?

ସମସ୍ତିଙ୍କ ପାଟିକି ଆହାର, ସମସ୍ତଙ୍କ ରହିବା ପାଇଁ ଘର, ସ୍ନେହ ବିଶ୍ୱାସ ଦିଆ ଘେନା, ବୁଝାମଣା ଆଉ ଦମ୍ଭିଲା ଭାଇ ପଣରେ ଛନ୍ଦାଛନ୍ଦି ହୋଇ ଏକ ପୃଥିବୀ, ଏକ ଘର, ଜୀବନ ସେଠି ସରଳ, ସୁନ୍ଦର, ଆଶା ଆନନ୍ଦରେ ଉଜ୍ଜ୍ୱଳ, ନିତି ନିତି ବିକାଶରେ ବୈଚିତ୍ର୍ୟମୟ।

୧୧.୬.୧୯

No comments: