Thursday, 13 June 2019

*ସ୍ୱାଧୀନ ହେବାର ପ୍ରଥମ ଦିନ*

ଶିରୀପୁରରେ ଏସ. ଡି. ଓ. ଥାଆନ୍ତି ସଲିମ୍ ଅଲି। ସେକେଣ୍ଡ ଅଫିସର ଅର୍ଥାତ୍ ତାଙ୍କ ଅଧସ୍ତନ କର୍ମଚାରୀ ଥିଲେ ବିନୋଦ ଦାସ। ତାଙ୍କ ହାତରେ ଥାଏ ଗୋଟିଏ ଠେଙ୍ଗା, ଠେଙ୍ଗା ଅଗରେ ଉଡୁଛି ତ୍ରିରଙ୍ଗା ପତାକାଟିଏ।

ସଲିମ୍ - "ଆଜି ଆପଣଙ୍କୁ ଠିକ୍ ମାନୁଛି ବିନୋଦ ବାବୁ। ସତେ ଯେମିତି ନେତାଜୀ।"

ବିନୋଦ ଦାସ - "ଚାକିରିରେ ତ ମୁଣ୍ଡ ବିକିଛି, ନେତା ହେବା ଭାଗ୍ୟ କପାଳରେ ଏ ଜନ୍ମରେ ଲେଖି ନାହିଁ। ତେବେ ଆଜିଠୁଁ ସମସ୍ତିଙ୍କର ଭାଗ୍ୟ ବଦଳିଲା। ଏଣିକି ସବୁ ସୁଧୁରିଯିବ।

ସଲିମ୍ - "କେମିତି ?"

ବିନୋଦ ଦାସ - "ଭାରତ ଏଣିକି ସ୍ୱାଧୀନ ଦେଶ।"

ସଲିମ୍ - "ଆଜି କିଏ କେଉଁ ସ୍ବପ୍ନ ଦେଖୁଥିବେ। ଆପଣଙ୍କ ସ୍ବପ୍ନ ଆପଣ ମୋତେ କହିଲେ। ଭଗବାନ କରନ୍ତୁ ଆପଣଙ୍କ ସ୍ବପ୍ନ ସଫଳ ହେଉ।"

ବିନୋଦର ମନରେ ଗୋଟିଏ ସରୁ ସନ୍ଦେହ ବାରମ୍ବାର ଉଙ୍କିମାରି ପୁଣି ଲୁଚି ଯାଉଥାଏ, - ୟାଙ୍କ ସହାନୁଭୂତି ପାକିସ୍ଥାନ ପଟୁ ନୁହେଁ ତ ?

ସଲିମ ଅଲି ଓଡ଼ିଆ ମୁସଲମାନ। ତାଙ୍କ ବାପା ଜଣେ ସଂସ୍କୃତ ପଣ୍ଡିତ। ସେ ହାଇସ୍କୁଲରେ ସଂସ୍କୃତ ପଣ୍ଡିତ ଥାଇ ସଂସ୍କୃତ କାବ୍ୟକୁ ଓଡ଼ିଆରେ ଅନୁବାଦ କରି ଖ୍ୟାତି ପାଇଥିଲେ।

ତଥାପି ଚାଲିଥିବା ଘଟନା ସବୁ ସନ୍ଦେହ ଉତ୍ପନ୍ନ କରାଉଥାଏ।

ବିନୋଦ କହିଲା, "ହଁ ସାର, ଯାହା ଯାହା ଦାୟିତ୍ୱ ଆସୁ ଆମେ ନିଶ୍ଚୟ ତୁଲାଇବୁ। ଜୀବନ ପଛେ ଦେବାକୁ ପଡୁ, କ୍ଷତି ନାହିଁ। ୟେ ସ୍ୱାଧୀନତା ରହିବ। ଆମ ଦେଶକୁ ଆମେ ଗଢ଼ିବୁ।"

ସଲିମ୍ - ସବୁ ତ ଚାହିଁବେ ଦେଶ ଭଲ ହେଉ। କିନ୍ତୁ କରିବେ କେତେ ଜଣ ? ଲୋକେ ନିଜ ନିଜ ସ୍ୱାର୍ଥରେ ହିଁ ଲାଗିବାକୁ ଅଭ୍ୟସ୍ତ, ପୁଣି ଗୋଟିଏ ଶ୍ରେଣୀର ସ୍ୱାର୍ଥ ଅନ୍ୟ ଶ୍ରେଣୀର ସ୍ୱାର୍ଥ ବିରୋଧୀ। ଆପଣା ସ୍ୱାର୍ଥକୁ ଛାଡ଼ି, ଗାଁଯାକର ଇଲାକାଜାକର ଦେଶଯାକର ସମସ୍ତିଙ୍କ ସମବେତ ସ୍ୱାର୍ଥକୁ ବଡ଼ ବୋଲି ଭାବିବାକୁ ଅଭ୍ୟାସ କରିବାକୁ ଆମକୁ କେତେ ବର୍ଷ ଲାଗିବ ? ତା ନ କରିପାରିବାଯାକେ ଶାନ୍ତି ନା ଶୃଙ୍ଖଳା ନା ନ୍ୟାୟ ନା ଆଦର୍ଶ, କ'ଣ ରହିପାରିବ ଦେଶରେ ? ସେସବୁ ନ ରହିଲେ କି ପ୍ରଗତି କି ଉନ୍ନତି ସମ୍ଭବ ହେବ ? ସମସ୍ତେ ତ ରହିବେ ନିଜ ନିଜ ଲାଭ ଉଠାଇବା ଧନ୍ଦାରେ, ଲୋଭରୁ କଣ ହୁଏ ତା ତ ଆପଣ ସବୁଦିନ କଚେରୀରେ ଦେଖୁଛନ୍ତି। ଆସିଗଲା ସମୟ ଯେତେବେଳେ ସମସ୍ତିଙ୍କ ନୈତିକମାନ, ଦାୟିତ୍ୱବୋଧ, କର୍ତ୍ତବ୍ୟବୋଧ, ନିଷ୍ଠାପରତା, ଅଧ୍ୟବସାୟ, ସାହସ ସବୁ ରହିବା ଉଚିତ ଖୁବ୍ ଉଚ୍ଚରେ, ତାହେଲେ ଯାଇ ସ୍ୱାଧୀନତାର ମୂଲ୍ୟ ରହିବ, ଦେଶ ଖୁବ୍ ଉଚ୍ଚକୁ ଉଠିପାରିବ। ତା ନ ହୋଇ ଯଦି ଏ ସବୁର ପତ୍ତନ ହେଲା ତେବେ ନାନା ଅଶାନ୍ତି ନାନା ସମସ୍ୟା ନାନା ବିବାଦ ଦେଶରେ ଘୋଟିବ। ଆପଣ ଦେଖିପାରୁ ନାହାଁନ୍ତି ? ଭାବପ୍ରବଣତା ତ ଆମଠିଁ ଖୁବ୍ ଅଛି, କିନ୍ତୁ କାମ ନ କଲେ ପାଟିକି ଭାତ ଉଠି ପାରିବ ?"

ବିନୋଦ କହିଲା, "ହେବ ସାର। ବିଶ୍ୱାସ ରଖନ୍ତୁ। ଯେଉଁ ଲୋକେ ଏତେ କଷ୍ଟ ସହି ସ୍ୱାଧୀନତା ଆଣିଲେ, ସେମାନେ କ'ଣ ତାକୁ ତୁଲାଇବେ ନାହିଁ ?"

ସଲିମ୍ - "ଆପଣ ମୋ ଠୁଁ ଦଶ ବର୍ଷ ସାନ। ଯୁବକ ଲୋକ। ଯୁବକ ସବୁବେଳେ ଆଶାବାଦୀ ହେବା ଭଲ।"

ବିନୋଦ  - "ଆପଣଙ୍କ ଭଳି ପରିଷ୍କାର ବିଚାରଥିବା ଲୋକ ଚାକିରି ନ କରି ଦେଶର ନେତୃତ୍ୱ ନେବା କଥା।"

ସଲିମ୍ - "ନା ଭାଇ, ନେତା ହେବାର ଯୋଗ୍ୟତା ମୋ ପାଖରେ ନାହିଁ। କିନ୍ତୁ ଆପଣ ଚାକିରି ନ କରି ନେତା ହୋଇଥିଲେ ଏତବେଳକୁ ଭଲ ନେତା ହୋଇସାରନ୍ତେଣି। ଏବେ ତ ଆଉ ଇଂରେଜ ନାହିଁ ଦଣ୍ଡ ଦେବାକୁ। ତେଣୁ ନେତା ହେବା ସହଜ। ନିଜ ଭିତରେ ଯଦି ପିଟା ପିଟି ଲାଗିବ, ସେ କଥା ଭିନେ। କିନ୍ତୁ ଏ ସଂସାରରେ ଯେ ଯେଉଁ ବାଟ ଧରେ, ବିନୋଦ ବାବୁ, ଯେ ଯେଉଁକାମ ବାଛିନିଏ, ତା'ର ଶାନ୍ତି ସେଇଥିରେ। ଦେଶକାମ କରିବାକୁ ମନ କଲେ ଖାଲି ରାଜନୀତି ହିଁ ଏକମାତ୍ର ବାଟ ନୁହେଁ, ନିଜ ନିଜ ପରିସରରେ ନିଜ ଶକ୍ତି ଭିତରେ ସମସ୍ତେ କିଛି କିଛି କରିପାରିବେ। ଖାଲି ବକ୍ତୃତା ଦେଇ ବୁଲିଲେ ତ ଦେଶକାମ ହୁଏ ନାହିଁ। ଆପଣା କର୍ତ୍ତବ୍ୟ କିଏ କେଉଁ ପରିମାଣରେ ପାଳନ କରିପାରୁଛି ସେଇଟା ଅସଲ କଥା। ନିଃସ୍ୱାର୍ଥ, ନିଷ୍କାମ ହୋଇ ପରର ହିତକୁ ବଡ଼ କରି ଆପଣା କର୍ତ୍ତବ୍ୟକୁ ଠିକ୍ ଠିକ୍ କରିଗଲେ ସେଇଟା ହେବ ଦେଶକାମ, ସେଥିପାଇଁ ନିଜକୁ ପ୍ରସ୍ତୁତ କରିବାକୁ ପଡ଼ିବ, ନିଜ ପାଇଁ ସବୁ ପ୍ରକାର ଲାଭ, ଲୋଭ, ସ୍ୱାର୍ଥର ମୋହ ଛାଡ଼ିବାକୁ ପଡ଼ିବ। ନାଁ ଖୋଜିବା ଚଟକ ବି ଅନ୍ତର ଭିତରେ ଲେଶମାତ୍ର ନ ଥିବ। ଯେତେ କଷ୍ଟ ଯେତେ କ୍ଷତି ଆସୁ ସହିବାକୁ ପଡ଼ିବ। ୟେ ଖୁବ୍ ଅସାଧାରଣ ସାଧନା, ସହଜରେ ହୁଏ ନାହିଁ। ପ୍ରକୃତରେ କହିଲେ, ଆମେ କେତେ ଜଣ ଅଛୁ ସେପରି ? କିଏ କେତେ ଅଂଶରେ ? ସାରା ଦେଶରେ ବା କେତେଜଣ ଅଛନ୍ତି ? ଅଥଚ ସ୍ୱାଧୀନତା ଆସିଗଲା, ଅତି ତରବରରେ ନିଜକୁ ନିଜେ ବଦଳାଇ ଉନ୍ନତ କରି ରାତିକା ରାତି ସେହିପରି ହୋଇ ପାରିଲେ ଏତେ ବଡ଼ ଦାୟିତ୍ୱକୁ ଦେଶ ସମ୍ଭାଳି ପାରିବ। ଆଜି ସ୍ୱାଧୀନତାର ପ୍ରଥମ ଦିନରେ ସେହି ଚିନ୍ତା ଆମ ମନକୁ ଆସିବା ଉଚିତ ବିନୋଦ ବାବୁ। ଏ ପବିତ୍ର ଦିନରେ ଦାୟିତ୍ବ ଚିନ୍ତା ହିଁ ପ୍ରଧାନ।"

୧୩.୬.୧୯

No comments: