ଇନ୍ସପେକ୍ଟର ଓ ସବଇନ୍ସପେକ୍ଟର ଯାହା ସବୁ ବୁଝାଇଦେଲେ, ତାର ସାରାଂଶ ହେଲା ଯେ ଗୋପୀନାଥ ଦଳର ଲୋକ ଭଦ୍ରଲୋକ, ଶାନ୍ତ, ସୁଧାର, କୁହାର ବୋଲାର, ଆଇନ ମାନି ଚଳିବା ଲୋକ। ରଘୁନାଥ ଦଳର ଲୋକ ଠିକ୍ ତାର ଓଲଟା।
ଇନ୍ସପେକ୍ଟର କହିଲେ ଆପଣ ବି ଗୋପୀନାଥ ଦଳର ଫେବରରେ ରିପୋର୍ଟ ଦେଇଦିଅନ୍ତୁ।
ଦେଖେଁ କଣ ହୋଇଛି, ଇନ୍ କ୍ୱାରି ସରୁ। ଆପଣମାନେ ସବୁ କଣ ଇନ୍ କ୍ୱାରି କରିଛନ୍ତି ସେ ରିପୋର୍ଟ ସବୁ ମୋତେ କୁହନ୍ତୁ, ଆପଣମାନେ କଣ ସବୁ ବୁଝିଲେଣି ?
ରଘୁନାଥ ଦଳର ଗଣ୍ଡଗୋଳିଆ ମୁଖିଆ ମୁଖିଆ ନାଁ ଗୁଡ଼ିକ କହିବେ ? କିଏ ଗଣ୍ଡଗୋଳ କଲେ ? କେବେ କଲେ ?
ଆର ପକ୍ଷର ନେତାଙ୍କ ନାଁ ଗୁଡ଼ିକ ବି କୁହନ୍ତୁ।
ଏମିତି ଅନେକ କଥା ପୋଲିସଙ୍କ ଠାରୁ ସଂଗ୍ରହ କରି ବିନୋଦ କହିଲା, ଏବେ ଆପଣମାନେ ଯାଆନ୍ତୁ, ଠିକ୍ ସମୟରେ କାହାକୁ ଜଣକୁ ପଠାଇଦେବେ ମୋତେ ଗାଁ ମଝିକି ନେଇଯିବା ପାଇଁ।
ଇନ୍ସପେକ୍ଟର - ଗାଁ ବାଲାଙ୍କୁ ତ ଏଇଠିକି ଡାକି ଦେଲେ କାମ ସରନ୍ତା। ଆପଣ କାହିଁକି ଗାଁ ମଝିକି ଯିବେ ?
ବିନୋଦ - ସେକଥା ହୋଇଥିଲେ ତ ମୁଁ ଶିରୀପୁର ଡାକିଦେଇଥାନ୍ତି। ପୁଣି ଦଦରା ବସରେ ପଡ଼ି ଉଠି ଏ ଗାଁ ଯାଏ ଆସିବା କଣ ଦରକାର ଥିଲା ?
ଆପଣମାନେ ଯାଆନ୍ତୁ ସେହି ଗାଁ ମଝିରେ ବ୍ୟବସ୍ଥା କରନ୍ତୁ।
ସେମାନେ ଯିବା ପରେ ବିନୋଦ ଜଗୁକୁ କହିଲା, "
ବାଢ଼ ଭାତ।"
ଏତିକିବେଳେ ବିନୋଦ ବସି ବସି ଭାବୁଥାଏ - ଖାଲି ମକଦ୍ଦମା ! ମକଦ୍ଦମା ! କଚିରି, ପୋଲିସ, ମାଜିଷ୍ଟ୍ରେଟ, ଓକିଲ ! କେବେଠୁ ଗାଁ ଗାଁକେ ପଶିଲାଣି ଏ ରୋଗ ?
କି ଦୋଷ ରହିଛି ଏ ମାଟିରେ, ଯେ ଟିକିଏ ତାତି ବାଜିଲେ ଠାଇ ଠାଇ ଫଡ଼ା ଫଡ଼ା ହୋଇ ଫାଟିଯାଏ, ଆମେ ହେଉଁ ଅଇରି ଖପରା ବଇରି ବାଆ। ସେମିତି ପିଟା ପିଟି ହେଉ ହେଉ ସବୁ ଗଲା, ସ୍ୱାଧୀନତା ଗଲା, ମାଡ଼ି ଆସିଲେ ମୁସଲମାନ ଆକ୍ରମଣକାରୀ, ଯେତେ ରାଜ୍ୟର ଲୁଣ୍ଠନକାରୀ, ଆସିଲେ ଇଂରେଜ, କେଡ଼େ କଷ୍ଟରେ ପୁଣି ଆସିଲା ରାଜନୈତିକ ସ୍ୱାଧୀନତା, ତଥାପି ଏ ଚାଲିଛି, କଜିଆ ଘରେ ଘରେ, ଆଉ କେଉଁ ପ୍ରାନ୍ତୀୟ ଅଞ୍ଚଳରେ ଯେପରି ହୋଇଥାଉ, ଓଡ଼ିଶା ନାଁ କମେଇଛି କଳି କଜିଆ ପାଇଁ, ଖାଲି ଧରାଧରି, ପେଲାପେଲି, ଗୋଡ଼ ଓଟରା ଓଟରି, କଚଡ଼ା କଚଡ଼ି, ଶାଗଖିଆକୁ ପେଜଖିଆ ଦେଖିପାରେ ନାହିଁ, ଏଣେ ଯେ ଲେଙ୍କଡ଼ା ଛିଣ୍ଡୁଛି !
ତଥାପି ଏତେ ଦେଉଳ ଏତେ ଠାକୁର! ଏତେ ଯାନିଯାତ, ନାମ ସଂକୀର୍ତ୍ତନ, ତୁଣ୍ଡରେ ହରିନାମ, ଯେ ଭାବିବ ବ୍ରହ୍ମକୁ ଏଇମାନେ ଚିହ୍ନିଛନ୍ତି, ଧର୍ମକୁ ଏଇମାନେ ରଖିଛନ୍ତି।
ଏକା ଧୂଳିରେ ଘର, ଚାଳକୁ ଚାଳ, ବାରିକୁ ବାରି ଲଗାଲଗି, ଏକା ଗାତରେ ଜୀବନ ଆଉ ମରଣ, ଗାଁ ଏମୁଣ୍ଡେ ହଇଜା ଲାଗିଲେ ଗାଁ ସେମୁଣ୍ଡେ ବି ଡିଏଁ, ଏ ଚାଳରେ ନିଆଁ ଲାଗିଲେ ସେ ଚାଳକୁ ବି ଧରେ, ସକାଳୁ ଉଠିଲେ ମୁହଁ ଚାହାଁ ଚାହିଁ, ସୁଖରେ ଦୁଃଖରେ ଛନ୍ଦା ଛନ୍ଦି, ତଥାପି କଳି, ମୁଣ୍ଡ ପିଟା ପିଟି, ମକଦ୍ଦମା ପାଇଁ ଅଣ୍ଟା ଭିଡ଼ା ଭିଡ଼ି !
ଯୁଆଡ଼େ ଚାହିଁଲେ ଯାହାକିଛି ଶିରୀ ତା' ପ୍ରକୃତିର, ବିସ୍ତୃତିର, ଗଛବୁରୁଛର, ତା ଭିତରେ ଶ୍ରୀହୀନ ହୋଇ ବଞ୍ଚି ରହିଛି ମଣିଷ, ଉଦ୍ଦେଶ୍ୟ ନାହିଁ, ଉଦ୍ୟମ ନାହିଁ, ଧରି ନେଇଛି ସେ ଏମିତି ରହିଥିବ, ଯଦି କିଛି ହେବ ତା ସରକାର କଲେ କରିବେ, ସେ ନୁହେଁ। ପିମ୍ପୁଡ଼ି ମନ୍ଦାରେ ଗୋଟିଏ ଗୋଟିଏ ଜନ୍ଦା ପରି ସେହି ଦଳରେ ଏଠି ସେଠି ଗୋଟିଏ ଗୋଟିଏ ଥିଲାବାଲା କେହି, ସେମାନେ ହେଲେ ସର୍ଵଗ୍ରାସୀ। ସେମାନେ ଯାହା ଚାହିଁବେ ତା କରିବେ, ଅନ୍ୟ ସବୁ ତାଙ୍କ ତଳେ ସେମିତି ରହିଥିବେ। ସମସ୍ତିଙ୍କଠିଁ ବାଦଛେଦ, ସଂକୀର୍ଣ୍ଣତା, ଅନ୍ଧବିଶ୍ୱାସ, କୁସଂସ୍କାର, ଜାତି ଅଜାତି ଭେଦ।
ଖାଉଥାଏ ଭାବୁଥାଏ।
୨୬.୬.୧୯

No comments:
Post a Comment