ବିପିନ ଚାହୁଁଛି ସବୁ ପୁରୁଣା ଢାଞ୍ଚା ଭାଙ୍ଗି ଦେବ। ତା କଥାକୁ ମାନୁ ନାହିଁ ଫୁଲଶରା ଗାଁ, ପାଟେଳି ଗାଁ। ସେତିକି ନୁହେଁ ସେ ବି ଚାହୁଁଛି ରାୟଗଡ଼, ପ୍ରତାପଗଡ଼, ସାରଙ୍ଗଗଡ଼ ଭଳି ଗୋଟିଏ ପରେ ଗୋଟିଏ ଗଡ଼ର ପତନ ହେଉ।
ଦଣ୍ଡା ବାଟେ ଜୀପ୍ ଗାଡ଼ି ଚାଲିଛି। କରେ କରେ ଜମି ଦାଢ଼ରେ ଫୁଟିଛି ନାଲି ନାଲି ଗୋଲ ଗୋଲ ଫୁଲ, ତା ସେକରେ ବହଳ ଛନଛନିଆ ସବୁଜ ଅଗରା ଗଛରେ ହଳଦିଆ ଫୁଲ ମାଳ ମାଳ, ସେହି ଦୃଶ୍ୟରେ ତା'ର ମନ ଭରି ଯାଉଛି, ସେ ତୀକ୍ଷ୍ଣ ଆନନ୍ଦ ଅନୁଭବ କରୁଛି। ତା ଭିତରେ ସେ ଏକ ସତ୍ୟର ଅନୁଭବ କରୁଛି। ତଥାପି ତା ଭିତରେ ଦ୍ୱନ୍ଦ୍ୱ ଚାଲିଛି। ଗୋଟିଏ ପଟେ ଅଛି ସେ ନିଜେ ଅନ୍ୟ ପଟେ ଅଛି ରବି।
ରବି, ତା'ର ପ୍ରିୟ ବନ୍ଧୁ, କେତେ ବନ୍ଧୁ ତ ଥିଲେ, ସେମାନେ ସ୍ୱତନ୍ତ୍ର ହୋଇଗଲେଣି, ଆଉ କେହି ଏଡ଼େ ସରଳ ସହୃଦୟତା ଦେଖାଇ ତା ଆଡ଼କୁ ଦୁଇ ବାହା ଖୋଲି ଆଗେଇ ଆସେ ନାହିଁ, ବିପିନ୍ ର ବି ରବି ପ୍ରତି ଅନ୍ୟ ଭାବ ନାହିଁ। କିନ୍ତୁ ମଣିଷର ଅସ୍ତିତ୍ୱ-ଅନୁଭୂତି ସତେ କି ଏ ହୃଦୟଭାଵ ଉପରେ ଦେଖାଦିଏ ନାହିଁ, ତାର ଆସନ ଅହଂକାର ମନ ବୁଦ୍ଧି ଉପରେ ସେଇଠି ରବି ତାର ପ୍ରତିପକ୍ଷ।
ସେ ଭାବୁଥିଲା ରବିର ଯେଉଁ ସରଳ ଗାଉଁଲି ଭାବ ଅଛି, ତାକୁ ସେ ରଗଡ଼ି ପୋଛି ନିଶ୍ଚିହ୍ନ କରିବ, ତା ପରେ ପୋଛାପୋଛି ସିଲଟ ଉପରେ ସେ ଲେଖିବ ନୂତନ ଅକ୍ଷର।
୫.୬.୧୯

No comments:
Post a Comment