ସ୍ୱାଧୀନତା ଆସିବା ସମୟର କଥା।
ମଧୁ ପ୍ରଧାନ ଭାବୁଥାନ୍ତି - "ଗାନ୍ଧୀ ଚେଲା ବୋଲେଇ ମେଣ୍ଢା ଛାଲ ଘୋଡ଼ି ହୋଇ ଯେତେ ଗଧିଆମାନେ ଗୋଠରେ ପଶିଗଲେ ସେମାନେ ରଜା ହୋଇ ବସିବେ ନାହିଁ ତ ! ପଶିଥାନ୍ତୁ। ନିଜେ ଚିହ୍ନା ପଡ଼ିବେ। ବିପଦ ତ ଆପଣା ଘର ଭିତରେ ବି ଥାଏ। ଆପଣା ପୁଅକୁ ବି ବିପଦର ଆଶଙ୍କା ଥାଏ, ବିପଦର ସମ୍ଭାବନା ଥାଏ ସବୁବେଳେ। ବାଟରେ ପୁଅ ଜନ୍ମକରି ଡାଆଣୀକୁ ଡରିଲେ ଚଳିବ ? ତା ବୋଲି ଆଶା ନ ତୁଟୁ, ସାହସ ନ ତୁଟୁ - ଠାକୁରେ ଅଛନ୍ତି। ଦୟା କରିବେ।"
"କିନ୍ତୁ ମୁଁ ଏଗୁଡ଼ାକ କି ଅଲକ୍ଷଣା କଥା ଭାବୁଛି ? ଅବିଶ୍ୱାସ ଓ ନୈରାଶ୍ୟ ତ ଚରମ ତାମସିକତା, ମଣିଷକୁ ସେ ଘୋଟିଲେ ସବୁ ସରିଗଲା। ନା, ସବୁ ଭଲ ହେବ। ହଠାତ୍ ନ ହେଉ, କିନ୍ତୁ ହେବ ନିଶ୍ଚିତ। ସ୍ୱାଧୀନତା ତ ଆସିଲା ! କ୍ରୀତଦାସ ହୋଇ ଜନ୍ମ ହୋଇଥିଲି, ସ୍ୱାଧୀନ ହୋଇ ଆଖି ବୁଜିବି। ମୋ ଜୀବନ ପାଇଁ ସେତିକି କ'ଣ ବଡ଼ ସାନ୍ତ୍ବନା ନୁହେଁ ?"
"ବାକି ଯାହା କିଛି ଅଡୁଆ ରହିଲା, ସେ ସବୁ ଆମ ଦିହାତିରେ ସଜଡ଼ା ନ ହେଲେ, ସଜାଡ଼ିବେ ତାକୁ ପୁଅ, ନାତି, ପଣ ନାତି...। ଅକଳନ୍ତି ଯୁଗର ଅନ୍ଧାର, ଅଳିନ୍ଧୁ, ଭୋକ ଶୋଷ, ଘୋଟି ରହିଛି ଏ ଦେଶକୁ। ନିଜେ ମହାପୁରୁ ଏତେ ଥର ଅବତାର ନେଇ ଜନ୍ମ ହେଲେ ତଥାପି ତୁଟିଲା ନାହିଁ। ଆଉ ରାଜନୈତିକ ସ୍ୱାଧୀନତା ଆସିଗଲା ବୋଲି ସବୁ କଣ ରାତିକା ରାତି ସୁଧୁରିଯିବ ? ସବୁ ଖଳପ୍ରପଞ୍ଚ ଦେବତା ପାଲଟି ଯିବେ ? ଏ କ'ଣ ଦିନିକିଆ କଥା ! ଲୋକଙ୍କ ନିଦ ଭାଙ୍ଗି ଆସୁଛି। ଦେଶରେ ଏକା ନଟକେ ସବୁ ଭଲ ହୋଇଯାଉ ବୋଲି ଲୋକେ ଆତୁରି ହେବେ। ଅଥଚ ନିଜେ, - ଏକା ଥରକେ କଣ ଦଶ ଆଙ୍ଗୁଠି ନେଇ ପାଟିରେ ପୂରେଇବେ, କେତେ ଠିକିବେ। କେତେ ପାହାର ଖାଇବେ। କେତେ କଚଡ଼ା ଖାଇ ନିଜ ଆଣ୍ଠୁଗଣ୍ଠି ଛିଣ୍ଡେଇବେ। କେତେକାଳ ବିତିବ। ସେଉଠୁ ଶିଖିବେ। ସେଇ ବାଗରେ ଆମେ ସମସ୍ତେ ଶିଖିବୁଁ - ଯେ ଆମ ପାଇଁ ଭଲ କ'ଣ ଅସାର କ'ଣ, ଠିକ୍ କ'ଣ ଭୁଲ କ'ଣ ! ତାକୁ ଶିଖିଲେ ମଣିଷ ହେବୁ, ନିଜ ଦେଶକୁ ଭଲକରି ଚଳାଇ ଶିଖିବୁ, ଯେମିତି ଦେଶଟିଯାକ ସବୁଠି ଥିବ ସୁଖ, ଶାନ୍ତି, ସମୃଦ୍ଧି, ସ୍ନେହ, ସମସ୍ତିଙ୍କଠି ଶିରୀ ସମ୍ପଦ, ସତ୍ୟ, ଅହିଂସା, ମୈତ୍ରୀ, ପ୍ରୀତି। ଶୋଷଣ ନ ଥିବ, ଅଜ୍ଞାନ କି ଅଭାବ କାହାରିଠିଁ ନ ଥିବ, ପୃଥୀଵୀଯାକରେ ଆମ ଦେଶର ମର୍ଯ୍ୟାଦା ଥିବ, ଦେଶ ହୋଇଥିବ ସବୁ ବିଷୟରେ ଶକ୍ତିଶାଳୀ, ଉନ୍ନତ, ଆଦର୍ଶ। - ସେଥରେ କେତେ ବର୍ଷ ଲାଗିବ କେଜାଣି ! ମଝିରେ ବିପଦ ବି କମ୍ ନାହିଁ ତ !"
୧୨.୬.୧୯

No comments:
Post a Comment