ବିନୋଦ ପୁଣି ଚିନ୍ତା କଲା - ତା ବୋଉ, ତା ସ୍ତ୍ରୀ, ତା'ର ତିନି ଛୁଆ, ସେ ନିଜେ, ଏ ଛ' ଜଣଙ୍କୁ ସେ ପୋଷିବ କିପରି ?
ସେ ଦୀର୍ଘ ଶ୍ଵାସ ପକାଇଲା। ମୁହଁ ଶୁଖାଇ ଚାଲିଲା।
ଏହା ଭିତରେ ଆଉ ଗୋଟିଏ ଘଟନା ତାକୁ ବିଚଳିତ କରିଦେଲା। ମନ୍ତ୍ରୀ ଫେରିଯିବାର ତିନିଦିନ ପରେ ପ୍ରମୋଶନ ତାଲିକା ବାହାରିଛି। ସେଥିରେ ସତେଇଶ ଜଣଙ୍କର ନାଁ ଅଛି, କିନ୍ତୁ ତା'ର ନାଁ ନାହିଁ। ଦୁଃଖ କଥା ହେଲା ତା ସାଙ୍ଗରେ ଓ ତା ପରେ ଚାକିରି ପାଇଥିବା ଲୋକମାନେ ପ୍ରମୋଶନ ପାଇଛନ୍ତି। ତା ମୁହଁ କଳା କାଠ ପଡ଼ିଗଲା।
ଏ କଥା ଯିଏ ଶୁଣିଲା ସିଏ କହିଲା ଏଇଟା ଅନ୍ଧାରୀ ମୂଲକର ବିଚାର ଆଜ୍ଞା, ଏଠି ନ୍ୟାୟ ନାହିଁ।
ବଡ଼ବାବୁ କହିଲେ, "ଆପଣଙ୍କ ମୁହଁ ଉପରେ କହିବାର ନୁହେଁ ଆଜ୍ଞା, ନ ହେଲେ କହିବି ଏଡ଼େ ଅସାଧାରଣ ଦକ୍ଷତା ଆଉ କାହାଠି ମୁଁ କ୍ଵଚିତ୍ ଦେଖିଛି। ଆମେମାନେ ସେଇଆ କଥା ଭାଷା ହୋଇଥାଉଁ, ଅଥଚ କେଡ଼େ ଅନ୍ଧ ବୁଝାମଣା।"
ବିନୋଦ କହିଲା, "ଆପଣମାନଙ୍କର ମୋ ଉପରେ ସେହି ସ୍ନେହ ଥିଲେ ସେହି ମୋ ପାଇଁ ଖୁବ୍। କିନ୍ତୁ ଯେଉଁଟା ମୋ ହାତରେ ନାହିଁ, ମୁଁ ସେଥିପାଇଁ କଣ କରିବି ?"
ବଡ଼ବାବୁ - "ୟେ କଳି ଯୁଗରେ ନ୍ୟାୟ ଧର୍ମ ଆଉ ନାହିଁ ଆଜ୍ଞା, ନ ହେଲେ ଆପଣଙ୍କ ପରି ନ୍ୟାୟବନ୍ତ କାର୍ଯ୍ୟଦକ୍ଷ ପ୍ରତିଭାବନ୍ତ ଅଫିସର କାହିଁ ଉପରେ ଉଠନ୍ତେଣି। ଏଠି ଲାଞ୍ଚୁଆ, ଖୋସାମତିଆ ଲୋକଙ୍କର ଉନ୍ନତି ହୁଏ।"
କିଛି ମାସ ତଳେ ତା ସାଙ୍ଗରେ ଚାକିରି ପାଇଥିବା ଚାରି ଜଣଙ୍କର ପ୍ରମୋଶନ ହୋଇଥିଲା। ସେତେବେଳେ କି ବାଧି ଥିଲା, ଏଥର ତ ବହୁଗୁଣେ ଆହୁରି ଅପମାନ !
ସେ ଭାବିଲା କିଛି ଗୋଟାଏ କରିବା ଉଚିତ। କିନ୍ତୁ କଣ ସେ କରିବ ?
ଉପର ସ୍ତରର ଅଧିକାରୀମାନଙ୍କ ପ୍ରତି ତା'ର ଅବିଶ୍ୱାସ ଆସିଲା। ସେ ଏସ ଡି ଓ ଶ୍ରୀ ଚୌଧୁରୀଙ୍କୁ ଭେଟି ଯାହା ଶୁଣିଲା, ତା କାନ ମୁଣ୍ଡ ଝାଇଁ ମାରିଗଲା।
ସେ ତାକୁ ପ୍ରମୋଶନ ପାଠ ପଢ଼ାଇଥିଲେ। ପ୍ରମୋଶନ କିଏ ଦିଏ ? ତା ଉପରେ ତା ଉପରେ ଥାକ ଥାକ ହୋଇ ଅଛନ୍ତି,
ସେମାନେ କର୍ମଚାରୀ ନାଁ ମାପନ୍ତି। କାହିଁରେ ? ତାଙ୍କ ମନରେ କିଭଳି ମନ ? ମଣିଷର ମନ ? ସେଠି ପାଠ କିଛି କାମ କରେ ନାହିଁ, ସେଠି କେବଳ ସାଠ କାମ କରେ। ଇଂରାଜୀରେ ତା ନାଁ ହେଲା ଟ୍ୟାକ୍ଟ। ଆପଣ ଏ ବାଗରେ କିଛି ଭାବିଛନ୍ତି ?
ବିନୋଦ ଗୁମ୍ ହୋଇ ବସିଲା।
ଚୌଧୁରୀ କହିଲେ, "ଶାସନ ୟେ, ଚାରିଆଡ଼କୁ ଜଗିବାକୁ ପଡ଼େ, ଯେଉଁଠି ଯାହା, ଯାହାକୁ ଯାହା, ଏକା କଣ୍ଟରେ ଚାରିଆଡ଼େ କାମକଲେ ଶାସନ କଣ ଚାଲିପାରିବ ? କେଉଁ ଲୋକର କ୍ଷମତା କେତେ, ଦଉଡ଼ କେତେ ବାଟ ତା ବି ଜାଣିବାକୁ ପଡ଼ିବ। ନିଜ କଥା ଭାବନ୍ତୁ, ଇଂରେଜ ଅମଳରେ କାମ କଲେ, ସେତେବେଳେ ଥିଲା କେବଳ ବଡ଼ ବଡ଼ ଅଫିସରଙ୍କ ହାତରେ କ୍ଷମତା, ତାଙ୍କ ମନ ଘେନି ପାରିଲେ ପ୍ରମୋଶନ ହେଉଥିଲା। ଏବେ ତା' ତ ଦରକାର, କିନ୍ତୁ ତା' ଉପରେ ଆହୁରି ଅଛନ୍ତି ଅନ୍ୟମାନେ। ଲୋକପ୍ରତିନିଧିଙ୍କ ମୁଖ୍ୟ ଯିଏ ସବୁ ମନ୍ତ୍ରୀ ହୋଇଛନ୍ତି, ସେମାନେ। ଲୋକଙ୍କ ସଙ୍ଗେ ସେମାନଙ୍କର ସିଧା କଥା ଭାଷା ଓ କାରବାର। କିଏ ତାଙ୍କର ବନ୍ଧୁ, କିଏ ତାଙ୍କର ବିଶ୍ୱାସୀ, ସେମାନେ କିଏ କେତେବେଳେ ତାଙ୍କ କାନରେ କଣ ଫୋଡ଼ିଦେବେ ଯେ ଆମେ ତା ଜାଣିବା କଷ୍ଟ। ମନ୍ତ୍ରୀ କହିବେ ସେକ୍ରେଟେରୀଙ୍କୁ, ସେକ୍ରେଟେରୀ କମିଶନରଙ୍କୁ, କମିଶନର କଲେକ୍ଟରଙ୍କୁ।
ବିନୋଦ - "ତା ହେଲେ ଆମେ କଣ କରିବା ଦରକାର ?"
ଚୌଧୁରୀ - "ଆମ କର୍ମଚାରୀ ମାନଙ୍କର ମେଣ୍ଟ ହେବା ଦରକାର। ଆମ ଭିତରେ ଉତ୍ତମ ବୁଝାମଣା ରହିବା ଆବଶ୍ୟକ।
ବିନୋଦ - "ମୁଁ ବୁଝିପାରୁ ନାହିଁ ସାର ଆପଣ କଣ କହୁଛନ୍ତି ? ମୁଁ ଗୋଟେ ଆବେଦନ ପତ୍ର ଲେଖିବି କି ?"
ଚୋଧୁରୀ - "ଆବେଦନ ନୁହଁ, ପ୍ରାର୍ଥନା ପତ୍ର ଦିଅ। ସେଥିରେ ଅଳ୍ପରେ ସବୁ କଥା ଲେଖ।"
ବିନୋଦ - "ସାର, ଆପଣ ତାକୁ ସୁପାରିଶ କରିଦେବେ ତ ?"
ଚୌଧୁରୀ - "ତୁମେ ଚିନ୍ତା କର ନାହିଁ, ମୁଁ ଯାହା ଲେଖିବା କଥା ଲେଖିବି, ଅସଲ କଥା ହେଲା କଲେକ୍ଟରଙ୍କୁ କହିବି।"
ବିନୋଦ - ଆପଣ କହିଲେ ନିଶ୍ଚିତ ହୋଇଯିବ ଆଜ୍ଞା।
ଚୌଧୁରୀ - ହଁ, ମୁଁ କହିବି ଯେ, ତୁମେ ମୋତେ ସାହାଯ୍ୟ କରିବ ତ ?
ବିନୋଦ - "ମୁଁ କି ସାହାଯ୍ୟ କରିବି ?"
ଚୌଧୁରୀ - "ସାହାଯ୍ୟ ନ କଲେ ପାଟିକି କ'ଣ ଗୁଣ୍ଡା ଯାଏ ! ଆପଣଙ୍କୁ ବହୁତ ବୁଝାଇ ସାରିଲିଣି। ଏବେ ଯାହା କରିବେ ଆପଣଙ୍କ ଇଚ୍ଛା। ମୁଁ ଆପଣଙ୍କ ପରି ଅଦର୍ଶବାଦୀ ଥିଲି ଫଳ ହେଲା ଶୂନ୍। ମୁଁ ବି ଆପଣଙ୍କ ପରି ଉପରକୁ ଉଠି ପାରି ନ ଥିଲି।"
ବିନୋଦ ତୁନି ହୋଇ ବସିଥାଏ। ସ୍ୱାଧୀନ ଭାରତରେ ଚାକିରିର ଅବସ୍ଥା ଏମିତି ହେବ, ସେ କଳ୍ପନାରେ ସୁଦ୍ଧା ଭାବି ନ ଥିଲା।
୨୧.୬.୧୯

No comments:
Post a Comment