୪ ଫେବୃଆରୀ ୧୯୪୮ରେ ସରକାର ସଙ୍ଘକୁ ନିଷିଦ୍ଧ ଘୋଷଣା କଲେ। ସାତ ବର୍ଷର ଶିଶୁକୁ ବନ୍ଦୀ କରିବାକୁ ଚେଷ୍ଟା କରିଥିଲା ଗୋରା ଇଂରେଜ। ଏବେ ବାଇଶ ବର୍ଷର ଯୁବକକୁ ହତ୍ୟା କରିବାକୁ ଚେଷ୍ଟା କଲା କଳା ଇଂରେଜ। ଏ ଖବର ନାଗପୁର କାରାଗାରରେ ଶ୍ରୀଗୁରୁଜୀ ଜାଣିଲେ। ୫ ତାରିଖ ଦିନ ଅଧିବକ୍ତା ଶ୍ରୀ ଦତ୍ତୋପନ୍ତ ଦେଶପାଣ୍ଡେ ଜେଲକୁ ଯାଇଥିଲେ ଗୁରୁଜୀଙ୍କୁ ଭେଟିବା ପାଇଁ। ସେହି ସମୟରେ ଗୁରୁଜୀ ତାଙ୍କ ହାତରେ ପ୍ରେସ ବିଜ୍ଞପ୍ତି ପାଇଁ ଏକ ଲେଖା ପଠାଇଲେ। ସେଥିରେ ସଙ୍ଘ ବିସର୍ଜିତ ହେଲା ବୋଲି ସୂଚନା ଥିଲା। ଗୁରୁଜୀ ସେହି ବାର୍ତ୍ତାରେ ଲେଖିଥିଲେ ଯେ ସଙ୍ଘ ଆରମ୍ଭରୁ ସରକାରୀ ନିୟମ ପାଳନ କରିଆସିଛି। ଏବେ ସରକାର ସଙ୍ଘକୁ ନିଷିଦ୍ଧ କରିଛନ୍ତି। ତେଣୁ ଯେପର୍ଯ୍ୟନ୍ତ ଏହି ଆଦେଶ ସରକାର ପ୍ରତ୍ୟାହାର ନ କରିଛନ୍ତି ସେପର୍ଯ୍ୟନ୍ତ ସଙ୍ଘ କାର୍ଯ୍ୟ ବିସର୍ଜିତ କରିଦେବା ଉଚିତ। କିନ୍ତୁ ଏଠାରେ ମୁଁ ଦେଶବାସୀଙ୍କୁ ସ୍ପଷ୍ଟ କରିଦେବାକୁ ଚାହେଁ ଯେ ସଙ୍ଘ ଉପରେ ଯେଉଁ ଦୋଷ ଲଗାଯାଇଛି ତାକୁ ମୁଁ ସମ୍ପୂର୍ଣ୍ଣ ଅସ୍ବୀକାର କରୁଛି ଓ ଅମାନ୍ୟ କରୁଛି।
ଦୁର୍ଭାଗ୍ୟ, ସରକାର ଏହି ସୂଚନାକୁ ପ୍ରଚାର କଲେ ନାହିଁ।
ସରକାରଙ୍କ ବ୍ୟାପକ ଦୁଷ୍ପ୍ରଚାର ଦ୍ୱାରା ପ୍ରାରମ୍ଭରେ କିଛିଦିନ ଦେଶର ଜନତା ଭ୍ରମିତ ହୋଇଯାଇଥିଲେ। କିନ୍ତୁ, ଯେତେବେଳେ କଥା ଆଗକୁ ଗଲା ଧୀରେ ଧୀରେ ଅନ୍ଧାର ଦୂର ହେବାକୁ ଲାଗିଲା। ଦେଶର ଜ୍ଞାନୀ ଗୁଣୀ ସମାଜକୁ ବୁଝିବାକୁ ଡେରି ହେଲା ନାହିଁ ଯେ ଏହା ସଙ୍ଘକୁ ଫସାଇବାର ଏକ ସୁନିୟୋଜିତ ଷଡ଼ଯନ୍ତ୍ର।
କମ୍ୟୁନିଷ୍ଟ, ସୋସାଲିଷ୍ଟ କେବଳ ନୁହଁ, କଂଗ୍ରେସର କିଛି ନେତା ମୁଖ୍ୟତଃ ପଣ୍ଡିତ ନେହେରୁ, ଆଜି ଯାହାଙ୍କ ଜନ୍ମଦିନ ସେ ଚାହୁଁଥିଲେ ସଙ୍ଘକୁ ସମ୍ପୂର୍ଣ୍ଣ ଶେଷ କରିଦେବା ପାଇଁ। ଯେଉଁ ସଙ୍ଘ ଅଖଣ୍ଡ ଭାରତରେ ଲାହୋର ଓ ସିନ୍ଧୁ ପ୍ରାନ୍ତର ଅନେକ ସ୍ଥାନରେ ଗୈରିକ ପତାକା ଉଡ଼ାଉ ଥିଲା ଭାରତକୁ ଖଣ୍ଡିତ କରିଥିବା ଏ ପାପୀମାନେ ସେହି ସଙ୍ଘକୁ ଗୈରିକ ପତାକା ଉଡ଼ାଇବା ପାଇଁ ଇଞ୍ଚେ ବି ଜମି ଦେବେ ନାହିଁ ବୋଲି କହି ବୁଲିଲେ। ଖାଲି କହି ବୁଲିଲେ ନାହିଁ ୧୯୪୭ ଅଗଷ୍ଟ ୧୫ ରୁ ୩୦ ଜାନୁଆରୀ ୧୯୪୮ ଭିତରେ ଏମାନଙ୍କ ଚରିତ୍ର ପଢ଼ନ୍ତୁ, ସେ ସମୟରେ ଏପରି ଗୋଟିଏ ଦିନ ଯାଇ ନ ଥିବ ଯେଉଁଦିନ ଏମାନେ ସଙ୍ଘକୁ ହତ୍ୟା କରିବା କଥା କହି ନ ଥିବେ।
କାରଣ ସ୍ପଷ୍ଟ, ସଙ୍ଘ ଥିଲା ଅଖଣ୍ଡ ଭାରତର ପୂଜାରୀ। ଦେଶ ବିଭାଜନର ପ୍ରସ୍ତାବକୁ ସଙ୍ଘ ପ୍ରଚଣ୍ଡ ବିରୋଧ କରୁଥିଲା। ବିଶେଷକରି ସିନ୍ଧୁ ପ୍ରଦେଶର ହିନ୍ଦୁଙ୍କ ରକ୍ଷା ପାଇଁ ସବୁ କିଛି ସ୍ୱାହା କରିଦେଇଥିଲା ସଙ୍ଘ। ଜିନ୍ନାଙ୍କ ଡାଇରେକ୍ଟ ଆକ୍ସନ ଦ୍ୱାରା ହତ୍ୟା ହେଉଥିବା ହିନ୍ଦୁ, ବେଘର ହିନ୍ଦୁ, ବିସ୍ଥାପିତ ହିନ୍ଦୁ ଓ ଅତ୍ୟାଚାରିତ ହିନ୍ଦୁମାନଙ୍କର ଏକମାତ୍ର ତ୍ରାଣକର୍ତ୍ତା ଥିଲା ସଙ୍ଘ।
ଏ ସବୁ ଦିବା ସତ୍ୟକୁ ଆଖି ବୁଜି ଦେଇ ଦେଶକୁ ବିଭାଜିତ କରିଥିବା ପାପୀମାନଙ୍କ ଆଗରେ ସଙ୍ଘ ହିଁ ଥିଲା ଏକମାତ୍ର ଶତ୍ରୁ।
ଏ ପାପୀମାନେ କରିଥିବା ଦେଶ ବିଭାଜନର ମହାପାପକୁ ଧୋଇବାର ଏକ ମାତ୍ର ରାସ୍ତା ଥିଲା ସଙ୍ଘ ହତ୍ୟା। ସେଥିପାଇଁ ଏହି ପାପୀମାନେ ସୁଅବସର ଖୋଜୁଥିଲେ। ସେହି ଅବସର ତାଙ୍କୁ ଗାନ୍ଧୀ ହତ୍ୟା ରୂପେ ମିଳିଗଲା। ଗାନ୍ଧିଜୀଙ୍କ ହତ୍ୟା ହେବା ମାତ୍ରେ ସେମାନେ ଷଡ଼ଯନ୍ତ୍ର ତିଆରି କଲେ। ଗାନ୍ଧିଜୀଙ୍କ ହତ୍ୟାକୁ ସଙ୍ଘ ବିଚାର ସହ ଯୋଡ଼ି ଦେଇ ସଙ୍ଘ ବିରୋଧରେ ପ୍ରଚାର ଓ ସଙ୍ଘ କର୍ମୀଙ୍କ ପ୍ରତି ହିଂସା ଓ ଦମନର ଲୀଳା ଚଳାଇଲେ। ANTHONY ELENJIMITTAM ଙ୍କ ଲିଖିତ ପୁସ୍ତକ "PHILOSOPHY AND ACTION OF THE R.S.S. FOR THE HIND SWARAJ" ର ମୁଖବନ୍ଧରେ ଶ୍ରୀ ଯମୁନାଦାସ ମେହେଟା ଲେଖିଛନ୍ତି "ବିଶ୍ୱ ଇତିହାସରେ ଏହା ପୂର୍ବରୁ ଏପରି କୌଣସି ଉଦାହରଣ ମିଳିବ ନାହିଁ ଯେଉଁଠି ଗାନ୍ଧିଜୀଙ୍କ ପରି ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କ ଦୁରୂପଯୋଗ ନିଜ ସ୍ୱାର୍ଥ ପାଇଁ କରାଯାଇଥିବ।
କୁଖ୍ୟାତ "ସଙ୍ଘ ଶିକାର" ଇତିହାସର ଯେଉଁ ପୃଷ୍ଠାରେ ଲେଖାଯାଇଛି ତାହା ସେତିକି କାଳିମାମୟ ଯେତିକି କାଳିମାମୟ ୩୦ ଜାନୁଆରୀ ୧୯୪୮ର ଅଶୁଭ ସନ୍ଧ୍ୟା।
ଏ ଦୁଇଟି ଭିତରୁ
ଗୋଟିଏ ହେଲା ଗାନ୍ଧିଜୀଙ୍କ ହତ୍ୟା।
ଦ୍ୱିତୀୟଟି ହେଲା ଗାନ୍ଧିଜୀଙ୍କ ବିଚାରର ହତ୍ୟା।
ଅର୍ଥାତ୍ "ସଙ୍ଘ ଶିକାର" ଅଭିଯାନ ଚଳାଇ ଗାନ୍ଧିଜୀଙ୍କ ପ୍ରାଣପ୍ରିୟ ସିଦ୍ଧାନ୍ତ ସତ୍ୟ ଓ ଅହିଂସାର ହତ୍ୟା।
କ୍ରମଶଃ...
୧୪.୧୧.୧୮

1 comment:
ଏକଦମ୍ ଠିକ୍।
Post a Comment