Saturday, 6 April 2019

*ନୂଆ ବର୍ଷ ସମସ୍ତଙ୍କପାଇଁ ମଙ୍ଗଳମୟ ହେଉ*

ରବି କହିଲା, "ବାଲ୍ମୀକି ଧ୍ୟାନ କରୁ କରୁ ହୁଙ୍କା ହୋଇ ଯାଇଥିଲେ। କେତେ ସେମିତି ହେଲେ। କାଇପଦର ଯିବୁ, ଦେଖିବୁ ଗୋଟେ ବଡ଼ ଓ ଆଉ ଗୋଟେ ଛୋଟ ମାଟିଗଦା, ଚନ୍ଦନ ଲେପା ହୋଇଛି। ଲୋକେ କହିବେ ବଡ଼ଟି ପୀର ସାନଟି ଚେଲା। ସେମାନେ ବି ଧ୍ୟାନ କରୁ କରୁ ହୁଙ୍କା ହୋଇଥିଲେ।

ବଇ କହିଲା, "ଇଏ ବି କେମିତି ଯୋଗୀ ଋଷି ସ୍ଥଳ ପରି ଲାଗେ। କେତେ କାଠଚମ୍ପା ଗଛ ଏଠି, ଆଉ ହେଇ ସେପଟେ ପୁରୁଣା ବଉଳ ଗଛଟା।"

ରବି କହିଲା, "ଆରେ ଆଉ କେଇ ଦିନ ମଣିଷ ହୁଙ୍କା ହୋଇ ବସିଥିବେ ? ହୁଙ୍କାର ବି ନିଦ ଭାଙ୍ଗୁଛି। ସେଥିପାଇଁ ତ ହୁଙ୍କା ଚୂଳରେ ଧଳା ଧଳା ଫୁଲ ଫୁଟୁଛି ରେ ! ହୁଙ୍କା ବି ଜୀବନ ପାଇ ଠିଆ ହେଉଛି। ଶୁଖିଲା କାଠରେ ବି ରସ ସଞ୍ଚରୁଛି। ଏଥର ମଣିଷ ହୃଦୟରେ ହିଂସା ବି ସ୍ନେହ ପାଲଟିଯିବ, ଦୁନିଆଁ ନୂଆ ହେବ।"

ଉଦ୍ ବୁଦ୍ଧ ହୋଇ ବଇ ମଳିକ କହିଲା, "ସବୁ ହେବ, ମନ ଥିଲେ ସବୁ ହବ। କହନ୍ତି ସବୁଠୁ ସାର ଏ ମଣିଷ ଜୀବନ। ଦେବତାମାନେ ଲୋଭାନ୍ତି, ପାଆନ୍ତି ନାହିଁ।"

ରବି କହିଲା, "ଦୁନିଆଁ ସାରା ଆମରି ପରି କେତେ ଲୋକ କେତେ ମନ୍ତେ ଚେଷ୍ଟା କରୁଛନ୍ତି ସମସ୍ତେ କିପରି ସୁଖ ଶାନ୍ତିରେ ରହିବେ, ସବୁ କାଳ ଲାଗି ଯୁଦ୍ଧ ବନ୍ଦ ହେବ ବୋଲି। କାହାର ଚମ ଧଳା, କାହାର କଳା ତ ଆଉ କାହାର ହଳଦିଆ। କାହାର କେମିତି ଚେହେରା, କେମିତି ଭାଷା ତ କେମିତି ପୋଷାକ। ସମସ୍ତିଙ୍କ ହୃଦୟରେ ଏକ ଉଦ୍ଦେଶ୍ୟ, ସମସ୍ତିଙ୍କ ପ୍ରତି ସ୍ନେହ ବିଶ୍ୱାସ। ସ୍ନେହ କଲେ ମଣିଷ ମଣିଷ ହୁଏ। ଡର ଭୟ ଜିତି ପାରିଲେ ମରଣକୁ ବି ଜିଣି ହୁଏ। ମଣିଷ ଜୀଵନ କମି ସୁନ୍ଦର।"

୬.୪.୧୯

No comments: