"ତୋର ମୋର ଭାବ ଆସେ ଅଭାବରୁ। ଗାଁ ଗୋଟାକ ଏକ ହୋଇ ଆମେ ଯଦି ସମସ୍ତିଙ୍କ ପାଇଁ ଭାତ, ଲୁଗା ଆଉ ଘର ଯୋଗାଇ ପାରିବା, ଆଉ ସମସ୍ତେ ଚଳିବେ ଏକା କଣ୍ଟରେ, ତେବେ ଆଉ କଳି କାହିଁପାଇଁ ? କେହି ଧନୀ ହେବ ନାହିଁ, କେହି ଦରିଦ୍ର ହେବ ନାହିଁ, କେହି ସାହୁ ରହିବ ନାହିଁ, କେହି ଖାତକ ରହିବ ନାହିଁ, କେହି ସାଆନ୍ତ ରହିବ ନାହିଁ, କେହି ଚାକର ରହିବ ନାହିଁ। ସମସ୍ତେ ହେବେ ଗାଁ ଗୋଟାକର ରୋଜଗାରିଆ ପୁଅ ଝିଅ। କମେଇ ପାରିଲେ ସମସ୍ତିଙ୍କ ପତରରେ ଘିଅ ଭାତ। କମେଇଁ ଊଣା ହେଲା ତ ଲୁଣ ଟୋକି ଭାତ ଖାଇବେ। ଏ ଗାଁ ସବୁରି ପିଲାଙ୍କୁ ପାଠ ପଢ଼ାଇବ। କିଏ ଜାଣେ ଏଇ ବାଉରୀ, କଣ୍ଡରା, ଚଷା, ମୂଲିଆ ଘର ପୁଅ ଝିଅଙ୍କ ଭିତରେ କି ବୁଦ୍ଧି କି ପ୍ରତିଭା ଲୁଚି ରହିଛି !
ଏମାନେ ସତେ କି ପଡ଼ିଆ ଭୂଇଁ, ଯେଉଁଠି କେବେ ଚାଷ ହୋଇ ନାହିଁ, କେହି ଜାଣି ନାହିଁ ଚାଷ ହେଲେ ଏଠି କେତେ ପାଚିବ ? କେହି କେବେ ତାଙ୍କୁ ସବିଧା ଦେଇଥିଲା ? ନା, ସତେ କି ପାଠ ପଢ଼ିବା, ଆଉ ମଣିଷ ହେବା ଖାଲି ହଜାର ଜଣରେ ପାଞ୍ଚ ଜଣକ ଏକଚାଟିଆ, ଆଉ କାହାରି ମୁଣ୍ଡ ନାହିଁ, ଆଉ କେହି ମଣିଷ ନୁହେଁ, ଖାଲି ଦି' ଗୋଡ଼ିଆ ପଶୁ। ଆଉ କାହାରି ସଉକ ନାହିଁ, ମନ ନାହିଁ, ଶରଧା ନାହିଁ। କଣ ହେବ ଏମିତି ସମାଜ ରଖି ? କଣ ହେବ ଏଇ ସମାଜର, ଯିଏ ଭୁଲିଗଲା ତାର ରାମକୁ ! ହନୁମାନଙ୍କୁ ଭେଟି ରାମ କୁଆଡ଼େ କହିଥିଲେ ତୁମ ମମ ପ୍ରିୟ ଭରତ ସମ ଭାଇ !
ମଣିଷ ହୃଦ ନ ବୁଝି ସମସ୍ତିଙ୍କି ଝୁଣି ଖାଇ ହଜାରେ ଦିଅଁ ଦେବତା ପୂଜିଲେ କି ଧର୍ମ ହବ ? ରଖି ଦିଅ ତମ ଧର୍ମ କର୍ମ, ଏଣେ ମଣିଷ ଗଡ଼ି ମରୁଚି, ଜଣେ ହସୁଚି ତ ହଜାରେ ଜଣ କାନ୍ଦୁଚନ୍ତି। ଜଣକର ପୁଅ ଗେଲବସର ହଉଚି ତ ରାଇଜଯାକର ପୁଅ ଅଭେକା ହୋଇ ଗଡୁଚନ୍ତି। ଯେ ଯେତେ ବଡ଼ ହେଉ ଜଣକ କଥା ପଛ, ଦଶ ଜଣକ କଥା ଆଗ। ବାରଶ ବଢ଼େଇରେ ଯାଏ କି ଗୋଟାଏ ପୁଅରେ ଯାଏ ?
ବାରଶ ବଢ଼େଇରେ ଯାଏ।
ସେଇଥିପାଇଁ ଆମେ ପଣ କରିଚୁ ନୂଆ ସମାଜ ଗଢ଼ିବୁଇଁ ଗଢ଼ିବୁ।
ଆମକୁ କେହି ଅଟକେଇ ପାରିବେ ନାହିଁ ..।"
୧୩. ୪. ୧୯

No comments:
Post a Comment