Thursday, 4 April 2019

*ନୂଆ ସମାଜ ଗଢ଼ିବାକୁ ପଡ଼ିବ*

ଗାଁ ସାରି ବନ୍ଧେ ବନ୍ଧେ ଖଣ୍ଡେ ବାଟ ଗଲା ପରେ ଜକେଇ ଉଠୁଥିବା ମନ ଟାଣ ହୋଇ ପୁଣି ତାର ପୂର୍ବ ଅବସ୍ଥାକୁ ଫେରିଆସିଲା। ରବି ପୁଣି ଭାବିଲା, ଗାଁ ଦରିଦ୍ର ରହି, ଅନ୍ଧ ରହି କେବଳ ଦର୍ଶନ ଶାସ୍ତ୍ର ଅବଲମ୍ବୀ ମନେ ମନେ ସୁଖ ପାଇ ସ୍ଥିର ରହିଛି, ଦୁଃଖକୁ ସୁଖ ପରି ମଣୁ ମଣୁ ଦୁଃଖକୁ ହିଁ ନିଦାନ ବୋଲି ଆଦରିନେଇ ଅଚଳ ରହିଛି।

ପଡ଼ିଲା ଖଣ୍ଡେ ପୁରୁଣା ଆମ୍ବ ତୋଟା। ବୁଢ଼ା ଗଛ ଭର୍ତ୍ତି, ବେଢ଼ଙ୍ଗ ଗଛ ଗୁଡ଼ାକ। କେଉଁ ଗଛଟା ଫାଳେ ଗଛ ପରି ଦିଶୁଛି, କେଉଁଟା ଅଧା ପରି, କେଉଁଟା ଡେଙ୍ଗା, ମଝିରେ ମଝିରେ ଗୋଟାଏ ଗୋଟାଏ ଯେମିତିକି ଭଙ୍ଗା ଛତା ପରି, ଜମି ଦଶ ମାଣ ମାଡ଼ି ରହିଥିବ ଏ ତୋଟା, ଅନ୍ୟ ଚାରିଆଡ଼େ ଯେତେବେଳେ ଆମ୍ବଗଛରେ ଚଣା କଷି ଭୁରୁ ଭୁରୁ ହୋଇ ଉଠିଛି, ଏଠି କିଛି ନାହିଁ।

ଲମ୍ବା ଲମ୍ବା ପାହୁଣ୍ଡ ବଢ଼େଇ ଦେଇ ଧାଇଁଲା ବଇ ମଳିକ, ଆଦୌ ବୁଝି ପାରିଲା ନାହିଁ ରବି ଆଜି କାହିଁକି ଏପରି ବକୁଛି, ରବିର ଉତ୍ସାହରେ ସେ ବି ମାତିଗଲା, ବୁଝୁ ନ ବୁଝୁ ପ୍ରାଣ ପଣେ ରବିର କଥାକୁ ସମର୍ଥନ କରି କହିଲା, "ଠିକ୍ କଥା, ଠିକ୍ କଥା...।"

ବନ୍ଧେ ବନ୍ଧେ ଖୁବ୍ ଉତ୍ସାହରେ ଗପିଗପି ଚାଲିଲେ ଦୁଇ ଯୁବକ। ସେମାନଙ୍କୁ ଖରା ତାତି ବାଧୁ ନ ଥାଏ। ଦରଦର ଝାଳ ବୋହିଯାଉଥାଏ। ସ୍ବପ୍ନଗଢ଼ା ସଂସାର କାର୍ଯ୍ୟ ଚାଲିଥାଏ ତୁଣ୍ଡେ ତୁଣ୍ଡେ, ଅତି ତରତର ହୋଇ।

ରବି - "ଏଇ ପୁରୁଣା ତୋଟାକୁ ଦେଖ ବଇ। ଯାହା ଏଥିରେ ଦେଖୁଚୁ ସବୁ କୋଉ ମାନ୍ଧାତା ଅମଳର, ନୂଆ ଗୋଟିଏ କିଏ ଲଗେଇଚି ଇଆ ଭିତରେ ?  ନା ଲଗେଇ ପାରିବ ? ଏଥିରେ ଜାଗା କାହିଁ ? ଖାଲି ଅଫଳନ୍ତି ଗଛଗୁଡ଼ାକ, ତା ବି ଅବସ୍ଥା ନାହିଁ। ହାଣି ସଫା କରିଦେଲେ କାଠଗୁଡ଼ାକ କାମରେ ଲାଗନ୍ତା। ଦି' ଶହ ବାହାଘର ନିମିତ୍ତ ଅକ୍ଳେଶରେ ଉଠିଯାଆନ୍ତା। ମୂଳ ଖୋଳି ତାଡ଼ି ପୁଣି ଥରେ ଆଚ୍ଛା କରି ସାର ଚଢ଼େଇ ଲଗେଇ ଦିଅନ୍ତା କିଏ କଲମି। ଆମ୍ବ ତୋଟା କି ଦେଖନ୍ତ !

ହେଲେ ବୁଢ଼ାମାନେ କ'ଣ ,ମଙ୍ଗିବେ କି ?

କହିବେ - କିଏ ଲଗେଇଥିଲା, ଥାଉ - ।"

ବଇ ହସିଲା, କହିଲା, "ଯାହା ନୂଆ କରି ଗୋଟାଏ କରିବାକୁ ଯିବ ସେମାନେ ଆସି ଆଗୁଳିବେ।"

ରବି - ଏଇ ପୁରୁଣା ଆମ୍ବ ତୋଟା ଭଳି ଆମ ସମାଜ ଚଳଣିରେ ବଇ, ଏହି ଚଳଣିରୁ ଏତେ ବଡ଼ ମଣିଷ ବାହାରୁଥିଲା। ଅଇଛା ଅଫଳନ୍ତି। ସେଥିରୁ ଯେଉଁତକ ଭଲ ସେଇତକ ରଖି ଆଉ ଥରେ ନୂଆକରି ଗଢ଼ି ପାରିଲେ ସିନା ସମସ୍ତିଙ୍କର ମଙ୍ଗଳ, ନ ହେଲେ କ'ଣ ହେବ ? ଯୁଆଡ଼େ ଚାହଁ କାହାର କେଞ୍ଚାଏ ତ ଅଳ୍ପ କେଇଟାଙ୍କ ମେଞ୍ଚାଏ। ଜାତି ଅଜାତି, ଛୁଆଁ ଅଛୁଆଁ, ପାତର ଅନ୍ତର, ଏ ଦଳ ସେ ଦଳ, ହିଂସା ବାଦ ଏଇ ତ ଆମ ସମାଜ। ମଣିଷପଣିଆଁ ତ ସରିଯାଇଛି, ଖାଲି ମୁର୍ଦ୍ଦାର ଉପରେ ଅତର ଛିଞ୍ଚିଲା ପରି ବାହାର ଚିକ୍କଣ ଦେଖାଇବାକୁ ଥୋଡ଼ାଏ ସଡ଼କ କି ପୋଖରୀ କି ଏଣୁ କି ତେଣୁ କରିଦେଲେ କ'ଣ ହେବ ?"

ବଇ ମଳିକ କହିଲା, "ଅକ୍ଷରେ ଅକ୍ଷରେ ସତ ବାବୁ। କାହାର କଣ ଯାଉଛି କି ? ତୋଡ଼ ପଡୁଚି ଆମ ଗରିବ ମଳି ମୁଣ୍ଡିଆଙ୍କ ଉପରେ। ସମସ୍ତେ ଊଣା ଅଧିକେ ଯାହା ଯେମିତି କଲେ, ଆମ ବେଳକୁ କିଛି ନାହିଁ।

ରବି - ସେଇ ଅବସ୍ଥା ବଦଳାଇବାକୁ ପଡ଼ିବ। ନୂଆ ସମାଜ ଗଢ଼ିବାକୁ ପଡ଼ିବ।"

୪.୪.୧୯

No comments: