Friday, 5 April 2019

*ଏକା କ'ଣ ତୁ ଆଉ ମୁଁ ? *

ନଈ ବନ୍ଧର ବଡ଼ ଜାମୁଗଛ ମୂଳେ ସେମାନେ ଟିକିଏ ଠିଆ ହୋଇ ପଡ଼ିଥାନ୍ତି, ଥକିଲାପଣ ପାଇଁ ଯେତେ ନୁହେଁ, ତୁଚ୍ଛା କଥା ଗପିବା ପାଇଁ। ରବି କହି ଲାଗିଲା, "ଜନମ ହେଲାବେଳେ ସମସ୍ତେ ଆସନ୍ତି ସମାନ ହୋଇ, ଗଲାବେଳେ ଯାଆନ୍ତି ସମାନ, ମଝିରେ ଦେଖ କେହି କାହା ସମାନପଣ ମାନୁ ନାହିଁ। ଯେ ହେଲେ କହୁଚି ମୁଁ ବଡ଼, ମୁଁ ଭଲରେ ଚଳୁଥିବି, ମୋର ସୁଖ ମାଡ଼ି ଯାଉଥିବ, ଆଉ କାହାରି ନୁହେଁ, ମୁଁ ଖାଇବି, ମୁଁ ଖର୍ଚ୍ଚ କରିବି, ଆଉ କାହାରିକି ବାଣ୍ଟ ଦେବି ନାହିଁ। ସବୁ ଫଟାଫଟା, ସବୁରି ମନ ସମାଜ ପ୍ରତି ଖଟା, କ'ଣ ହେବ ଏମିତି ସମାଜର ? ୟେ କେବେ ଉଧେଇବ ?"

ବଇ ମଳିକ ପାଳି ଧରିଲା, "କେମିତି ଉଧେଇବ, ଏ ଭସ୍ମ ହେବ।"

ରବି କହିଲା, "ଆରେ, ଭସ୍ମ କରିବା ପାଇଁ ତ ସମସ୍ତେ ଫିକର କାଢୁଛନ୍ତି, ତୁ ଆଉ ଅଧିକା କ'ଣ କହିଲୁ ! ବିଜ୍ଞାନ ଆସିଲା ଯେ ଲୋକଙ୍କ ଭଲ କରିବା ପାଇଁ, ଯାହା ଯାହା ଆବିଷ୍କାର କରାହେଲା, ଓଲଟି ତାକୁ ଲୋକେ ମଣିଷ ମାରିବା କାମରେ ଲଗାଇଲେ। ଗୋଟାଏ ବୋମା ପକାଇ ଦେଲେ ଖଣ୍ଡେ ପୃଥ୍ଵୀ ଜଳି ଭସ୍ମ। କାଉ କେମିତି ଜଳନ୍ତା ଘିଅ ସଳିତା  ନେଇଯାଇ ଘର ଉପରେ ପକାଇଦେଲେ ସାହି ଜଳିଯାଏ ଶୁଣିଚୁ ତ, ଜମୁଡ଼ିହି ଗାଁ ସେମିତି ଜଳିଗଲା। ଏ ବୋମା କାମ ତା ଠୁଁ ବଳି, ୟେ ପଡ଼ିଗଲେ ଜାଳିବ, ମାରିବ, ଫଟେଇବ, ପବନକୁ ବିଷ କରିଦେବ, ମାଟି ଧୂଳିକୁ ବିଷ କରିଦେଵ। ରାଗ ରୋଷ କଳିଗୋଳ, ଯୁଦ୍ଧ କରିବା ପାଇଁ ସବୁ କାରଣ ତ ସବୁବେଳେ ରହିଛି, ଖାଲି ଟିକିଏ ରଞ୍ଜକରେ ନିଆଁ ଲାଗିଗଲେ ସବୁ ସରିଲା। ସେତେବେଳେ କୋଉଠି ରହିବ ତମ ସମାଜ କି  ଧର୍ମ କର୍ମ, ଦେଉଳ କି କୋଠା କି କୁଡ଼ିଆ ?"

ପୁଣି ବଇ ମଳିକ ପାଳି ଧରିଲା, "କିଛି ରହିବ ନାହିଁ, ସବୁ ଭସ୍ମ ହେବ।"

ଅସ୍ଥିର ହୋଇ ରବି କହିଲା, "ସବୁ ଯଦି ଭସ୍ମ ହେବ ତେବେ ତେମେ ଆମେ ଅଛୁ କାହିଁକି ? ଏକା କଣ ତୁ ଆଉ ମୁଁ ? ଏମିତି ଆମ ପରି କୋଟି କୋଟି ମଣିଷ ଅଛନ୍ତି, ଯେଉଁମାନେ ଯୁଦ୍ଧ ନ ହେଉ ବୋଲି ଦିନରାତି ଇଚ୍ଛା କରୁଛନ୍ତି। ସେମାନେ ଖୋଜୁଛନ୍ତି ସମସ୍ତେ କେମିତି ମିଳିମିଶି ସୁଖରେ ଚଳୁଥାନ୍ତୁ, କାହାରି ସଙ୍ଗେ କାହାରି ଖୁରି ନ ଲାଗୁ,ମନାନ୍ତର ନ ହେଉ। ସେମାନେ ବଡ଼ ବଡ଼ କଥା ଖୋଜନ୍ତି ନାହିଁ, ଆପେ ଭଲ ଆଉ ଦୁନିଆଁ ଭଲ ଥିଲେ ତାଙ୍କର ପରମ ଆନନ୍ଦ। ଏତେ ଏଭଳି ଲୋକ ଥାଉ ଥାଉ ତଥାପି ଏ ଦୁନିଆଁଟା ଛାରଖାର ହେବ ନା ?"

ବଇ ଉତ୍ସାହରେ କହିଲା, "କଦାପି ନୁହେଁ।"

ରବି କହିଲା, "ଖାଲି କହିଲେ ହେବ ନାହିଁ, ଭାବିଲେ ହେବ ନାହିଁ, କାମ କରିବାକୁ ପଡ଼ିବ। କିଏ କରିବ ? ଆମେ କରିବୁ। ପ୍ରତି ଘର ହୋଇଯିବ ହିଂସାକୁ ନିକାଲି ନିର୍ମଳ ରହିବା ପାଇଁ ଗୋଟିଏ ଗୋଟିଏ ଦୁର୍ଗ, ପ୍ରତି ମନୁଷ୍ୟ ହେବ ଶାନ୍ତି ଓ ମୈତ୍ରୀର ଅଗ୍ରଦୂତ, ଏକ ବିରାଟ ଭାଇପଣ ଗଢ଼ାହେବ ଘରେ ଘରେ, ଗାଏଁ ଗାଏଁ। ଯେମିତି ଖାଲି ତୁଣ୍ଡରେ କହିଦେଲେ ଚଳିବ ନାହିଁ, କାର୍ଯ୍ୟରେ ଦେଖାଇ ଦେବାକୁ ପଡ଼ିବ, ସୁଖରେ ଦୁଃଖରେ, ସମ୍ପଦରେ ବିପଦରେ ସବୁ ମଣିଷ ଭାଇ ଭାଇ।"

ବଇ ଅନେଇ ରହିଥିଲା ତା ମୁହଁକୁ। ତନ୍ମୟ ହୋଇ ବୁଡ଼ି ରହିଥିଲା। କଥାର ଅର୍ଥ ବୁଝୁ କି ନ ବୁଝୁ, ସେ ଏକ ଭାବରେ ବୁଡ଼ି ଯାଇଥିଲା। ସେ ଭାବରେ ଥିଲା ଆଶା, ଉତ୍ସାହ, ବିପୁଳ ଆନନ୍ଦ।

No comments: