ଯୋଗୀ ସାହିର ଲୋକେ କହନ୍ତି, "ମୂଳ ପାଟେଳି ଗାଁ ଏଇ, ତାଙ୍କରି ପୂର୍ବପୁରୁଷ ଏ ଗାଁ ବସେଇ ଥିଲେ, ତାକୁ ନାଁ ଦେଇଥିଲେ। ଏଇ ମାଟିରେ ପୋତା ହୋଇଛନ୍ତି ତାଙ୍କରି ଅକଳନ ଯୁଗର ମହାପୁରୁଷମାନେ, ଆଉ କେତେ ବସିଛନ୍ତି ଜୀଅନ୍ତା। ସେମାନେ କହନ୍ତି, ଏ ଖଣ୍ଡକରେ ଏତକ ଥିଲା ଅପୋଡ଼ା ପୃଥ୍ଵୀ, କେଉଁ ଯୁଗରେ ନଈ ଭିତରେ ଥିଲା, ସିଦ୍ଧ ସାଧକମାନେ ରହିବେ ବୋଲି ନଈ ଆଡ଼େଇ ହୋଇଗଲା, ସିଦ୍ଧ ଏଠି ଆସନ ବସାଇଲେ। ସେହିଦିନୁଁ ଅଛି ୟେ ଏଠି। କାଶ୍ୟପ, କପିଳ ଓ କମଳଙ୍କ ସାଧନା ପୀଠ ଏଠି ଅଛି।
କିନ୍ତୁ ଚାହିଁ ଦେଲେ ଭୂଇଁ କହେ, ନଈ ଏଠି କେବେ ବନ୍ଧ ଭାଙ୍ଗିଥିଲା। ଜାଣନ୍ତା ଦେଖନ୍ତା ଲୋକ କହିବା ଭଳି ବଞ୍ଚି ନାହାନ୍ତି କେବେ ସେ ଭାଙ୍ଗିଥିଲା।
ଚେକା ଚେକା ଗୋଜା ଗୋଜା ହୋଇ ବସିଥିବା ତିନି ସିଦ୍ଧ ନାଥଙ୍କ ଚାରିକରେ କଣ୍ଟା ସିଝୁ ଆଉ ଡେଙ୍ଗା ନାଗଫଣିଆ ବଢ଼େ, ଫୁଲ ଫୁଟେ, ପଛେ ପଛେ ଗୋଲ ଗୋଲ ହୋଇ ରହିଥାଏ କଣ୍ଟା ବବୁର୍ ଗଛ ଗୁଡ଼ାଏ, ଫୁଲ ଖୁନ୍ଦି ହୋଇଯାଏ।
କିନ୍ତୁ ଯୋଗୀ ସାହିର ବୁନିଆଦକୁ ଅସ୍ବୀକାର କରେ ପାଣ ସାହି। ସେମାନେ ହାଡ଼ିପାଙ୍କ କଥା ଶୁଣାନ୍ତି।
ଶତୁରା ପାଣ ଓ ନର୍ସିଙ୍ଗା ପାଣ କହନ୍ତି, "ଏ ଯୋଗୀସାହି - ସେ ତ କେତେ ପଛର, ଏଇ କାଲିକା କଥା, ନଈ ପଠାରେ ବେଣାବୁଦା କାଟି ଭଉଁରିଆ ଟେକିଥିଲେ, ହଃ, କେଵର ମଣିଷ ମ !
ଯୋଗୀ ସାହିରେ କେନ୍ଦେରା ଅଭ୍ୟାସ କଲାବେଳେ, ସେପଟୁ ଶୁଭେ ମହୁରୀର ଉତ୍ତାଳ ଚିତ୍କାର। ଏପଟେ ଖଣ୍ଡିଆ କାନ୍ଥ ଉପରେ ଦାଢ଼ିଆ ଛେଳି ମେଁ ମେଁ କଲାବେଳେ ସେପଟେ ଖଣ୍ଡିଆ କାନ୍ଥ ଉପରେ ଚଢ଼େ ଗଞ୍ଜା କୁକୁଡ଼ା, ପହରିକିଆ ଡାକେ।
ପାଣ ସାହି ଚାରିକରେ ପାଣି ବୁଲିଯାଇଛି; କିନ୍ତୁ ସେ ଯୋଗୀସାହିଠୁ ଟିକେ ଉଞ୍ଚରେ ଅଛି। ପାଣି କାନ୍ଥ ପାଖକୁ ଲାଗି ଆସିଛି, କିନ୍ତୁ ଦୁଆରକୁ ପଶି ନାହିଁ। ଯୋଗୀସାହିରେ ଖାଲି ହାଉ ହାଉ ଲାଗିଛି। ଥାଳ ଧରି ବୁଲିଲେ ବି ସେମାନେ ଚାଷୀ, ଭିକ ମାଗିବା ପୁରାତନ ପରମ୍ପରା ପ୍ରତି ମର୍ଯ୍ୟାଦା, ସାମାଜିକ କର୍ତ୍ତବ୍ୟ ବି। ଘରେ ହଳ ବଳଦ ଅଛନ୍ତି, ଓଳିଆ ଓଦର କୋରମେଇଁ ଘୁମ ଆଉ ପେଡ଼ି ପେଟରା ଅଛି, କେତେ କାଳର ସଞ୍ଚୟ, କେତେ ଛିଣ୍ଡାକନା, ଆଳୁକୁଚି ମାଳୁକୁଚି, କେତେ ଅଦରକାରୀ ଜିନିଷ ଯାହା କେବେ କିଛି କାମରେ ନ ଲାଗିଲେ ବି ଘରୁ କାଢ଼ି ଦେବାକୁ ସତ ବଳେ ନାହିଁ। କାହା ସହିତ କେଉଁ ସ୍ମୃତି ଲାଗି ରହିଛି। ହଠାତ୍ ଦୁଆରେ ପାଣି ଲହାଡ଼ା ଖେଳୁଛି, ଦୁଆର ବନ୍ଧ ଡେଉଁଛି। ଆଗ ଜିନିଷ ଟେକି ରଖା ହେଉଛି ସଂଘା ଉପରେ, ସିନ୍ଧୁକ ବାକ୍ସ ଥିଲେ ତା ଉପରେ। ତା ପରେ ଏଠୁ ନେଇ ସେଠି, ଯେଉଁଠି ଟିକେ ଶୁଖିଲା ଜାଗା ଅଛି, ତା ଉପରେ। ଚାହୁଁ ଚାହୁଁ ପାଣି ମାଡ଼ି ଆସୁଛି, ଘର ଭିତରେ ପାଣିର ପତ୍ତନ ଉପରକୁ ଉପରକୁ ଉଠୁଛି, କଣ ହେବ ତା ପରେ ? ସତେ କଣ ଘର ଛାଡ଼ି ପଦାକୁ ଯିବାକୁ ପଡ଼ିବ ?
୨୭.୪.୧୯

No comments:
Post a Comment