Wednesday, 17 April 2019

*ଆମେ ମାଟିମଟାଳିଆ ସାଧାରଣ ମଣିଷ*

ଏଇ ଯେଉଁ ପୋଥି ଗଦା ଗଦା ରହିଛି ସେ ସବୁ କାହିଁକି ଲେଖା ହୋଇଥିଲା ? କଣ ଖାଇ ପିଇ ଝଡ଼େଇ ହବାକୁ ଲୋକଙ୍କର ଅନ୍ୟ ପନ୍ଥା ନ ଥିଲା ଯେ ତାଳପତ୍ର ଉପରେ ଲେଖନମୁନ ମାଡ଼ି ଦେଇ ମନମୁନ ଖଞ୍ଜି ଦେଇ ସେମାନେ ଶାସ୍ତ୍ର ପୁରାଣ ଲେଖୁଥିଲେ ?

ନା, ସେମାନେ ତୁଚ୍ଛ ମନ ଓରମାଣ ଝଡ଼େଇ ହବାକୁ ପୋଥି ଲେଖୁ ନ ଥିଲେ ପରା, ସେମାନେ ଲେଖୁଥିଲେ ମଣିଷଙ୍କ ଉପକାର ହେବ ବୋଲି। କଣ ଲେଖୁଥିଲେ ? କଣ ଖାଲି ଆଖିରେ ନ ଦେଖିଥିବା କଥା, କୋଉ ଦେବତା କୋଉ ସରଗପୁର ଏମିତି ଖାଲି କାହାଣୀ ଲେଖୁଥିଲେ ? ସେମିତି ବନେଇ ଚୁନେଇ ତ ଗପୁଡ଼ି ଗପେ, ଅଫିମୀ ଗପେ। ନା, ସେମାନେ ଲେଖୁଥିଲେ ଏଇ ଆମରି ସଂସାରୀ ଜୀବନର ହିତ ଅହିତ କଥା, ଯାହା ଭାବୁଥିଲେ, ଯାହା ଦେଖୁଥିଲେ, ଯେମିତି ଚଳିଲେ ଭଲହେବ, ଯେମିତି କାମ କଲେ ସୁଖଶାନ୍ତି ମିଳିବ ବୋଲି ଭାବୁଥିଲେ ସେଇକଥା ଭାବିଚିନ୍ତି ଲେଖୁଥିଲେ।

ବାକି ଏ ଦେବାଦେବୀଙ୍କ କଥା, ଏ ସରଗ ପାତାଳ କଥା, ସେଇଟା ଖାଲି ଉପଲକ୍ଷ୍ୟ ଦେବା ପାଇଁ, ସେ ହେଲା ତାଙ୍କ କବିପଣିଆ, ମଣିଷଙ୍କୁ ଶୁଣିବାକୁ ଆହୁରି ସୁଖ ଲାଗିବ ବୋଲି।

ଏମିତି ଏ ମାଟି ଉପରେ ଯୁଗ ଯୁଗ ତ ବିତିଯାଇଚି, ଶହ ଶହ ପୁରୁଷର କଥା ହେଲାଣି ଆସି, ଭଲ ହେବାକୁ, ଭଲରେ ଚଳିବାକୁ ଆମର ସେଇ ଶହ ଶହ ପୁରୁଷର ମଣିଷ ଆମ ପେଇଁ ଯେତେ ହିତ ବୁଦ୍ଧି ଭାବିଥିଲେ ସବୁ ତାଙ୍କ ପୋଥିରେ ଲେଖିଦେଇ ରଖିଦେଇ ଚାଲିଗଲେ।

ଆମେ ସେଇଠୁ ତାକୁ କଣ କଲେ ? ଆମେ ସେ ଭାବରୁ କାଣିଚାଏ ବି ନେଲେଇ ନାଇଁ, ଖାଲି ପୋଥିକି ପୂଜା କରି ଭୂଇଁରେ ମୁଣ୍ଡିଆ ମାଇଲେ, ଆମ ଘରେ ଯେତେ ଆଲୁଅ ଥାଇ ଆମର ଯେଉଁ ଅନ୍ଧାରକୁ ସେଇ ଅନ୍ଧାର।

ସେଇଠୁ ଆମେ କହିଲେ, ସେମିତି ସେଗୁଡ଼ା ଲେଖିଦେଇ ଯାଇଚନ୍ତି ସିନା, ଯେ ବାବାଜୀ ବଇଷମ ହବ, ସେଗୁଡ଼ାକୁ ସାଧିବ ସରଗକୁ ଯିବ, ଆମେ ମାଟିମଟାଳିଆ ସାଧାରଣ ମଣିଷ, ଆମ ଦେଇ ସେସବୁ ହବ ନାଇଁ।

୧୭.୪.୧୯

No comments: