ଧୋବେଇ ମିଶ୍ର କହିଲେ, "ବାପ ସମ୍ପତ୍ତି ରଖିଦେଇ ଯାଏ କ'ଣ ନା ମୋ ପୁଅ ସୁଖରେ ରହିବ। ପୁଅ ଦେଖେ ସବୁ ତ ଅଛି, ମୁଁ ଖଟିବି କାହିଁକି ? ଚାଲେ ସେଉଠୁ ମଦ କି ଗୁଲି କି ଅଏସ୍ କି ଅଳସପଣ। ବାପ ରଖିଥିବା ସମ୍ପତ୍ତି ପୁଅକୁ ହୁଏ ରୋଗ, ତାକୁ ନିକମା କରେ। ନାହିଁ ଯଦି ସେବାଟେ ନ ଯାଏ ତେବେ ଯାଏ ଭାଗ୍ୟର ଉପହାସରେ କାଳ କବଳରେ। ଲୋକେ ଏମିତି କୋଠା ତୋଳି ରଖିଯାଆନ୍ତି ଯେ ଜାଣ ସେଥିରେ ତିରିଶ ଚାଳିଶ ପରିବାର କୁଟୁମ୍ବ ଚଳିବେ, ମାହଲା ମାହାଲା କୋଠା, ଏଣେ ଦେଖିଲା ବେଳକୁ ମଣିଷ ଚଲ୍, ଘର ହୁଏ ଚେମେଣିଆଁ ବସା, କାହା ପଦାର୍ଥ କିଏ ଖାଏ।"
ସାଧୁ ଜେନା କହିଲା, "ଘର ଅଛି ମଣିଷ ନାହାନ୍ତି, ଏମିତିଆ କଥା କଣ ହେଉଚ ? ଠାକୁର କଥା ବି ସେଇଆ। କେତେ ହଜାର ହଜାର ଲକ୍ଷ ଲକ୍ଷ ଠାକୁର ଆଉ ଦେଉଳ ମାଟି ତଳେ ରହିଚି ତାହା କିଏ କଳନା କରିଚି ? ଏ ଦେଶ ଗୋଟାକ ସେମିତି। ମାଟି ଖାଇ ଖାଇ ପ୍ରତିମାମାନ ପଡ଼ି ରହିଛନ୍ତି, କୋଉ ପାହାଡ଼ରେ, କୋଉ ଵିଲରେ, କୋଉ ଦଣ୍ଡାରେ। ପାଲିସ୍ ମୁଗୁନି ପଥର, ସତେ କି ଲହୁଣୀବୋଳା ହୋଇଛି। ମୁହଁରେ ଆଖିରେ ଠାଣିରେ କି ଭାବ ! ପଥରକୁ ପାଲିସ୍ କରି ଖାଲ ଢିପ ଢାଲୁ କରି କେମିତି କାମ କରିଚି କୋଉ ବିନ୍ଧାଣୀ ଯେ ଏତେ ଯୁଗ ବିତିଗଲା ତା ମୁହଁରୁ ହସ ଘୋରି ହେଇ ନାଇଁ। ଖଣ୍ଡେ ଖଣ୍ଡେ ପଥରରେ ଏତେ ସରୁ ଛୁଞ୍ଚି କାମ, ଏତେ କମକୁଟ ଲଟା ପତ୍ର ଆଖିବାଳ, ନଖଦାଢ଼, କୋଉ ପଥର ଅପନ୍ତରାରେ ପଡ଼ିଛି ତ କିଏ କାହା ଗୁହାଳରେ ପରା ହୋଇ ଚଟାଣ ହୋଇଛି, କାହା ପିଣ୍ଡା ହୋଇଛି, ସତେ କି ସେମିତି ସେ ଝଟକୁଛି। ହେଲେ ସେ କାହିଁକି ଗଢ଼ା ହୋଇଥିଲା ? କେତେ ବେଳ କେତେ କଉଡ଼ି ନ ଲାଗିଥିବ ତାକୁ ଗଢ଼ିବାକୁ ?"
୧୬.୪.୧୯

No comments:
Post a Comment