ସାମ୍ନାରେ ଏଇ ତାର ଅଢ଼େଇ ବଖୁରିଆ ସାନ କୁଡ଼ିଆ। ଭାଙ୍ଗିବା ଫାଟିବା ଆଉ ମରାମତି ହେବା ଲାଗି ରହିଛି। ଛାପିଛାପିକା ଛାଇ କରି ଘର ଓ ଅଗଣାକୁ ଘୋଡ଼େଇ ରଖିଛି ଦଶ ପାଞ୍ଚଟା ସଜନାଗଛ, ଉପରେ କଷି ଛୁଇଁ ସରୁ ସରୁ ପୋକ ପରି ଓହଳିଛି, ଗଣ୍ଠିରେ ମେଞ୍ଚା ମେଞ୍ଚା ହଳଦିଆ ନାଲି ଅଠା ଆଉ ଦେହରେ ଗରମ କୋଟ୍ ପିନ୍ଧିଲା ପରି ସଁବାଳୁଆ ପୁଟ। ପାଖରେ କିଆବାଡ଼, ଟୁବିଗାଡ଼ିଆ, ବାଉଁଶବଣ, ଆମ୍ବତୋଟା।
ହାଠାତ୍ ନୂଆକରି ଗାଆଁଟା ଯେପରିକି ରବିର ଆଖି ଆଗରେ ଝଟକି ଉଠୁଛି, ନୂଆହୋଇ ଚିହ୍ନା ଦେଉଛି ଗାଁର ସବୁ ପୁରୁଣା ଦୃଶ୍ୟ।
ରବି ଦୀର୍ଘଶ୍ଵାସ ପକାଇଲା।
ତରତର ଭୋଜନ ସାରି ପାଟିରେ ପାନଖିଲ ଯାକି ବାହୁଙ୍ଗୀଟା ଧରି ପ୍ରସ୍ତୁତ ହୋଇ ବାହାରି ପଡ଼ିବାକୁ ବଇ ମଳିକକୁ ଦଶ ମିନିଟରୁ ବେଶୀ ଲାଗିଲା ନାହିଁ। ଆଖଡ଼ା ଘର ପିଣ୍ଡାରେ ଖୋଲାରେ ଥୁଆ ହୋଇଥିଲା ରବିର ସାମାନ୍ୟ ବୋକଚା ବୁଜୁଳା, ଆଉ ଖଣ୍ଡେ ସୁଟକେଶ।
ରବି କହିଲା, "ଗୋଟାଏ ମଣିଷମାନିଆଁ କିଛି ବୋଝ ଭାର ନାଇଁରେ ବଇ, ମୁଁ ବୋହି ନେଇଥାନ୍ତି। କିନ୍ତୁ ଚାରି ଆଡ଼କୁ ଭାବି ଦେଖିଲି, ବାଟକୁ ଜଣେ ସାଙ୍ଗୀ ଦରକାର।"
ବଇ କହିଲା, "ମୁଁ ଥାଉଁ ଥାଉଁ ତମେ ଆପଣ ଜିନିଷ ବୋହିବ ?"
ବଇ ରବିର ସମବୟସୀ, ପିଲାଦିନର ସାଙ୍ଗ।
ରବି ଜାଣେ, ବଇ ତାରି ପାଇଁ ପାଣିକି ଡେଇଁ ପଡ଼ିବ।
କିନ୍ତୁ ସାହସ କରି ବଇ ମଳିକକୁ ସାଙ୍ଗରେ ଧରି ନୂଆ ବାଟରେ ଗଲା ବେଳେ ପଦେ ପଦେ ପୁରୁଣା ମାଟିର ମୋହ ମନକୁ ଘାରୁଥାଏ। ପିଲାଦିନୁଁ ସେ ଓ ଏଇ ଗାଁ ଏକାଠି। ପ୍ରତି ସ୍ଥାନ ସହିତ ସ୍ମୃତି ଗୋଳିଆ ମିଶା ହୋଇ ରହିଛି। ଏଇ ଦାଣ୍ଡରେ ଦୋଳକୁ ମେଳନ ହେବ, ଆଖପାଖ ପନ୍ଦର ଖଣ୍ଡି ଗାଁରୁ ଠାକୁରେ ଆସିବେ ଭୋଗ ଖାଇବାକୁ। ରାମନଅମୀକୁ ରାମାୟଣ ଲୀଳା ଲାଗେ ଲାଗେ ଚାଲିବ ଏକୋଇଶ ରାତି, ରଜକୁ ଲଢ଼େଇ ପାଲା ହେବ। ବର୍ଷଯାକ କେତେ ଯାନିଯାତ। ଏହିପରି ଗୋଟି ଗୋଟି କରି ହିସାବ କରିଗଲେ କେତେ କଥା ! କେତେ ସ୍ନେହୀ ଲୋକ ଏ ଗାଁରେ, ସମସ୍ତେ ଏକାଠି ଛନ୍ଦାଛନ୍ଦି। ଆପଣା ଜୀବନକୁ ଲେଉଟାଇ ଭାବିଲେ ସବୁଠି ଏଇ କ୍ଷେତ ପଡ଼ିଆ ତୋଟା ଘରବାର ଆଉ ମଣିଷ, କଳ୍ପନାରେ ନୂଆ ସୃଷ୍ଟି କଲେ ଖାଲି ଏହାର ଏପାଖ ସେପାଖ। ଏ ଗାଁର ସେ ଧାରିଛି, ଶୁଝାଇ ପାରି ନାହିଁ କାଣିଚାଏ ବି। ଗାଁର ଅଭାବ କଥା ଭାବିଛି, ମେଣ୍ଟାଇ ନାହିଁ କିଛି।
୩.୪.୧୯

No comments:
Post a Comment