ଏଇ ଗାଁ ମାଟିରୁ ତ ସମସ୍ତେ, ସେଠି କେହି ବଡ଼ ନାହିଁ, ସାନ ନାହିଁ। ଗାଁ ଚାରିଆଡ଼େ ଯେଉଁ ଶହ ଶହ ବର୍ଷର ପୁରୁଣା ବରଗଛମାନ ଅଛି, ପୁଅଠୁ ପଣ ନାତି ହୋଇ ୟା ଓହଳରୁ ସେ ଗଛ ତା ଓହଳରୁ ସେ ଗଛ ଏହିପରି ହୋଇ କୁଟୁମ୍ବ ବଢ଼ାଇଛନ୍ତି। ସେମିତି ଏ ଗାଁର ପୁରୁଣା ଘର ସବୁ, ବ୍ରାହ୍ମଣଠୁଁ ପାଣଯାକେ ସମସ୍ତେ। ସମସ୍ତେ ସମସ୍ତିଙ୍କି ଲଙ୍ଗଳା ଦେଖିଛନ୍ତି। ଦେଖିଛନ୍ତି କେତେବେଳେ କାହା ଘର ଛାତ ଧୂଳିଆ ପିଟା ହୋଇଛି। ଆଉ କେତେବେଳେ ଭଙ୍ଗା ଡିହ ଉପରେ କାନ୍ଥ ଭୁଷୁଡ଼ି ପଡ଼ି ପାଣିରେ ବୋହି ଯାଇଛି, ଅରମା ବଢ଼ିଛି। କେତେ ଏଇ ଗାଁ ଲୋକ ବିଦେଶ ଯାଇ ବଢ଼ିଛନ୍ତି, ପୁଣି ଛିଡ଼ି ଛିଡ଼ି ଆସି ଏଇ ଧୂଳିରେ ନୂଆ କରି ଖଡ଼ି ଧରିଛନ୍ତି। ଯୁଗେ ଯୁଗେ ଏଇ ମଳି ମୁଣ୍ଡିଆଙ୍କ ରୁଚି ଅରୁଚି ଘେନି ଗଢ଼ା ହୋଇଛି ଗାଁ ମତ, ସେହି ଏକାଠି ହୋଇ ସମାଜର ମତ। ବରଷଯାକ ପୁନିଅଁ ପର୍ବ ଓଷାବାରର ଜାଲ, ନିତି ସକାଳେ ସଂଜେ ଠାକୁର ପାଖେ ଜେ'ଜେ', ସଞ୍ଜରେ ଚଉଁରା ମୂଳେ ସଞ୍ଜ ବତୀ। ଘରେ ଘରେ ବଡ଼ ବଡୁଆ, ଭଲ ମନ୍ଦରେ ଦିଅଁ ମଙ୍ଗୁଳା, ଠାକୁରାଣୀ ମାଜଣା - ସବୁ ବୁଝାଏ ସେଇ ଗୋଟିଏ କଥା, ଯେ ଏଇ ପୁରୁଣା ଗାଁର ନିଜର ଗୋଟାଏ ଅଲେଖା ନୀତି ଅଛି, ଗୋଟାଏ ବିରାଟ ସମ୍ବିଧାନ, ଅକଳନ ସମୟର ଚାପ ଆଉ ତାତିରେ ସେ ପାଗ ହୋଇଛି, ଅଗଣତି ଘରକରଣା ମଣିଷ ଆପଣା ଜୀବନ ବଞ୍ଚି ତାକୁ ଗଢ଼ି ରଖିଦେଇ ଯାଇଛନ୍ତି। ସେ ଗୋଟିକିଆ ମଣିଷର ବ୍ୟକ୍ତିଗତ ରୁଚି ଅରୁଚି ମତାମତ ଠୁଁ ବଡ଼, ତାକୁ ମାନିବାକୁ ପଡ଼ିବ।
କିନ୍ତୁ ସେଥିରେ ବି ତ ଥିଲା ଆପଣା ସ୍ୱାର୍ଥକୁ ପଛ କରି ସମସ୍ତିଙ୍କ ମଙ୍ଗଳକୁ ଆଗ କରିବା କଥା, ଆପେ ନଷ୍ଟରେ ପଡ଼ିଲେ ଚିନ୍ତା ନାହିଁ, ସମସ୍ତିଙ୍କର ଭଲ ହେଉ। ସେଥିରେ ଥିଲା, ସମସ୍ତେ ଆଗ ଦେଖିବେ ଏ ଗାଁରେ କେହି ଯେପରି ଉପାସରେ ନ ରହିବ, ଯେପରି ଚାଷୀକୁ ଜମି ମିଳିବ। ମୂଲିଆକୁ ମୂଲ ମିଳିବ, କମାର ହେଉ, କୁମ୍ଭାର ହେଉ, ଯେ ଯେଉଁ ବୃତ୍ତି ଧରିଛି ସେ ଯେପରି ତାର ସେ ବୃତ୍ତି ଚଳେଇ କୁଟୁମ୍ବ ପୋଷି ପାରିବ। ସେଥିରେ ଥିଲା ପୋଷା ଜନ୍ତୁ ହେଉ କି ଗାଁର ମଣିଷ ହେଉ ଅପାରଗ ହୋଇ ପଡ଼ିଲେ ତାର ଯେପରିକି ବଞ୍ଚିବାର ବ୍ୟବସ୍ଥା ଥିବ, ଦୁର୍ବଳକୁ ଗାଁ ସାହାପକ୍ଷ ହେବ, କାହାରି ନିକୁଛିଆ ଗୁଜୁରାଣ ଅମେଣ୍ଟ ରହିବ ନାହିଁ। ବାଦ ଛେଦ ଛାଡ଼ି ଗାଁଯାକ ଗୋଟିଏ ଘର ପରି ପରସ୍ପରକୁ ଦେଖି ଚାହିଁ ଆଦରି ଭଲ ପାଇ ଗୋଟାଏ ହୋଇ ସୁଖରେ ରହିଥିବେ ଗାଁ ଗୋଟାକର ଲୋକେ, ଠାକୁରଙ୍କୁ ପୂଜା କଲାବେଳେ ପିତୃପୁରୁଷଙ୍କୁ ଜଳ ଆଞ୍ଜୁଳି ଟେକିଲାବେଳେ ମନରେ ଥିବ ଆତ୍ମବିଶ୍ୱାସର ନିବେଦନ -
"ଏ ଗାଁର ମଣିଷ ମୁଁ, ନୀତିକି ତଳକୁ ପକାଇ ଦେଇ ନାହିଁ, ଟେକି ଧରିଛି। ତେଣୁ ମୁଁ ତମର ଉପଯୁକ୍ତ ଦାୟାଦ, ତମ ଧର୍ମର ଅଧିକାରୀ।"
୯.୪.୧୯

No comments:
Post a Comment