ଅସଙ୍ଗଠିତ, ସୁପ୍ତ, ହତବଳ ଭାରତବାସୀ ଥରେ ଜାଗ୍ରତ ହେଲେ, ସଙ୍ଗଠିତ ହେଲେ, ଶକ୍ତି ସମ୍ପନ୍ନ ହେଲେ, ଜାତୀୟତାର ଚେତନାରେ ଉଦ୍ ବୁଦ୍ଧ ହେଲେ କ'ଣ କରିପାରନ୍ତି, ତାହାର ଐତିହାସିକ ପ୍ରମାଣ ହେଉଛି ଆମ ଦେଶରେ ପାଳନ କରାଯାଉଥିବା ବର୍ଷ ପ୍ରତିପଦା ଉତ୍ସବ।
ଆଜି ଆମକୁ ଅହିଂସାର ଇତିହାସ ପଢ଼ା ଯାଉଛି। ଆମକୁ ପଢ଼ା ଯାଉଛି ଯେ ଭାରତରେ ଏକତା ନ ଥିଲା। ଏହି ଏକତା ଅହିଂସକ ଇଂରେଜମାନେ ବଡ଼ ପରିଶ୍ରମ କରି ଆମକୁ ଦେଇଛନ୍ତି। ସେମାନେ କାଳେ ଇଣ୍ଡିଆ ପରି ଏକ ଅହିଂସକ ଦେଶ ତିଆରି କରି ୧୯୪୭ ଅଗଷ୍ଟ ପନ୍ଦର ତାରିଖ ଦିନ ଆମ ହାତରେ ଦେଇ ଯାଇଛନ୍ତି। ଆମକୁ କହିଛନ୍ତି - ଆଉ ପଛକୁ ଦେଖ ନାହିଁ, ଆଗକୁ ଚାଲ।
କିନ୍ତୁ ଆମର ପୂର୍ବ ପୁରୁଷଙ୍କୁ ଧନ୍ୟବାଦ। ସେହିମାନଙ୍କର ଅପୂର୍ବ ଚିନ୍ତା ଶକ୍ତିର ପରିଣାମ ସ୍ୱରୂପ ଆମ୍ଭମାନଙ୍କ ହୃଦୟରେ ଆଜି ପର୍ଯ୍ୟନ୍ତ ଆମର ପୁରାତନ ରାଷ୍ଟ୍ର ଭାବନା ଜାଗ୍ରତ କରିବାପାଇଁ ଆମ ଦେଶରେ ବର୍ଷ ପ୍ରତିପଦା ଭଳି ରାଷ୍ଟ୍ରୀୟ ଉତ୍ସବ ସର୍ବତ୍ର ପାଳନ କରାଯାଉଛି। ଆମ ପାଞ୍ଜିରେ ବି ଏହି ତିଥିକୁ ବର୍ଷ ପ୍ରତିପଦା ବୋଲି ଲେଖାଯାଇଛି।
ବାସ୍ତବରେ ଆମ ରାଷ୍ଟ୍ର ଅତ୍ୟନ୍ତ ପୁରାତନ ରାଷ୍ଟ୍ର। ଏହାର ଜନ୍ମ ୧୯୪୭ରୁ ନୁହଁ। ବହୁ ଉତ୍ଥାନ ପତନ ଦେଇ ଆମ ଦେଶ ଗତିକରିଛି। ବହୁବାର ପରାଧୀନ ହୋଇଛି। ପୁଣି ବହୁବାର ପରାକ୍ରମ ସହ ସେ ନିଜର ସ୍ୱାଧୀନତା ହାସଲ କରିଛି।
କେବଳ ଇଂରେଜମାନଙ୍କର ୟୁନିଅନ ଜ୍ୟାକ ନୁହଁ, ଶକ, ହୁନ, ତାତାର, ମୋଗଲ, ପଠାନ୍ ... ବିଭିନ୍ନ ବାହ୍ୟ ଶକ୍ତିଙ୍କ ପତାକା ଆମ ଦେଶରେ ଉଡ଼ିଛି। ପରାକ୍ରମର ସହିତ ଆମେ ସେମାନଙ୍କର ସମ୍ମୁଖୀନ ହୋଇଛୁ। ଯୁଦ୍ଧରେ ଜୟ ପରାଜୟ ଲାଗି ରହିଥାଏ। କେତେବେଳେ ଆମେ ବିଜୟ ଲାଭ କରିଛୁ ତ ଅନ୍ୟ କେତେବେଳେ ଆମେ ପରାଜିତ ହୋଇଛୁ। ଯେତେବେଳେ ଆମେ ପରାଜିତ ହୋଇଛୁ ସେତେବେଳେ ସୌଭାଗ୍ୟବଶତଃ କେହି ନା କେହି ପରାକ୍ରମୀ ମହାପୁରୁଷ ଏ ଦେଶରେ ଜନ୍ମ ନେଇଛନ୍ତି। ତାଙ୍କରି ନେତୃତ୍ୱରେ ଦେଶବାସୀ ପୁଣି ଜାଗ୍ରତ ହୋଇ ବିଜୟ ପତାକା ଉଡ଼ାଇଛନ୍ତି। ବର୍ଷ ପ୍ରତିପଦା ଉତ୍ସବ ସେହିପରି ଏକ ପରାକ୍ରମର ସ୍ଵାକ୍ଷର ବହନ କରେ।
ଶକମାନଙ୍କ ବର୍ବର ଅତ୍ୟାଚାର ଆଗରେ ସେଦିନ ଭାରତବାସୀ ହାରିଯାଇଥିଲେ। ବହୁ ବର୍ଷର ବିବାଦ ଓ ସାମାଜିକ ବିଘଟନର ପାପକୁ ଭୋଗ କରୁଥିଲେ। ସେତିକିବେଳେ ଭରତମାତାଙ୍କ କୋଳରେ ଜନ୍ମ ନେଇଥିଲେ ଜଣେ ପ୍ରବଳ ପ୍ରତାପୀ, ମହାରାଜାଧିରାଜ ସମ୍ରାଟ ବିକ୍ରମାଦିତ୍ୟ। ତାଙ୍କର ପରାକ୍ରମ ସୂର୍ଯ୍ୟଙ୍କ ସହ ତୁଳନୀୟ। ତାଙ୍କର ସେନାପତିତ୍ୱରେ ଭରତବାସୀଙ୍କ ମଧ୍ୟରେ ପୁନର୍ବାର ନବଜାଗରଣ ଦେଖାଗଲା। ଶକମାନଙ୍କର ବର୍ବର ଅତ୍ୟାଚାର ପ୍ରପୀଡ଼ିତ ଭାରତବାସୀ ନବୀନ ପ୍ରାଣୋନ୍ମାଦନାରେ ଉଛ୍ୱସିତ ହୋଇ ଉଠିଲେ। ଆରମ୍ଭ ହେଲା ରକ୍ତାକ୍ତ ସମର। ଗୌରବୋଜ୍ଜ୍ୱଳ ଅତୀତର ପରମ୍ପରାରୁ ପ୍ରାଣ ସଞ୍ଚୟ କରି ଭାରତବାସୀ ଶକମାନଙ୍କୁ ନିର୍ମୂଳ କରିବାକୁ ସମର୍ଥ ହେଲେ। ଦୀର୍ଘ କାଳର ପରାଧୀନତା ଦୂର ହେଲା। ଶକମାନେ ପୁଣ୍ୟଭୂମି ଭାରତବର୍ଷରୁ ବିତାଡ଼ିତ ହେଲେ। ବର୍ଷ ପ୍ରତିପଦା ତିଥିରେ ବିକ୍ରମାଦିତ୍ୟ ସମ୍ରାଟ ହେଲେ। ଯୁଗଯୁଗକୁ ସେହି ପୁଣ୍ୟସ୍ମୃତିକୁ ହୃଦୟରେ ଧାରଣ କରି ରଖିବା ପାଇଁ ନବୀନ ସମ୍ବତ୍ ଗଣନା ଆରମ୍ଭ ହେଲା। ତେଣୁ ଏହା ବି ଆମର ଏକ ସ୍ୱାଧୀନତା ଦିବସ।
ଆଜିର ତମସାଚ୍ଛନ୍ନ ଭାରତବର୍ଷର ରାଷ୍ଟ୍ରଜୀବନ ଏହିପରି ଜଣେ ପରାକ୍ରମୀ ବିକ୍ରମାଦିତ୍ୟଙ୍କ ଆଗମନର ପ୍ରତୀକ୍ଷା କରିଛି। ଆମ ସମସ୍ତଙ୍କ ସାମୂହିକ ପ୍ରୟାସ ଏହି ଲକ୍ଷ୍ୟକୁ ପ୍ରାପ୍ତ କରିବାରେ ସମର୍ଥ ହେଉ।
୨.୪.୧୯

No comments:
Post a Comment