Thursday, 11 April 2019

*ଜୀବ ମୁକ୍ତି*

ପର୍ବପର୍ବାଣି କରି କେତେଲୋକ ନିକମା ହୋଇ ବସନ୍ତି। ସେତେବେଳେ ତ ସେମାନେ ଅନେକ କାମ କରିପାରନ୍ତେ।

"ସତ, ସତ," ସାଧୁ ଜେନା କହିଲା, ଆଁ କରି ଅନେଇ ରହିଲା ଦୂରକୁ, ଯେପରିକି ସେ ଦେଖିପାରୁଛି, ହେଇ ଏତେ କାମ ନଷ୍ଟ ହୋଇ କୁଢ଼ା ହୋଇ ପଡ଼ି ରହିଛି ପର୍ବତ ପରି କାମ।

ଆଉ ସେହି ଚିନ୍ତା ଉପରେ ରଙ୍ଗ ବିଛେଇ ଦେଇ ରବି କହିଚାଲିଛି --

"ପର୍ବତ ପରି କାମ ନଷ୍ଟ ହେଉଛି। ସକାଳୁ ଉଦୟ ହୋଇ ଆର ଓଳିକି ଜଗତ ଅନ୍ଧାର କରି ସୂର୍ଯ୍ୟ ଅସ୍ତ ଯାଉଛି, ଆପଣା ଆୟୁଷରୁ ସରୁଛି ଦିନଟିଏ, ଆଉ ସେ ଆସିବ ନାହିଁ। ନ କରିଲା କାମ ଆଉ କରି ହେବ ନାହିଁ। ବୁଝିପାରୁନା, ମୃଦଙ୍ଗ ବଜେଇ ତାନାନାନା କରି ଆମରି କୋକେଇ ବୋହି ଆମେ ହିଁ ଚାଲିଛୁ ମଶାଣିକି। ଏ ସଉକ୍ ରେ ଲାଭ କ'ଣ ଅଛି ? ମଲେ ଯାଇ ଛୁଟି, ସେ ପର୍ଯ୍ୟନ୍ତ କାମ କର, କାମ କର। ସ୍ୱୟଂ ଭଗବାନ କହିଛନ୍ତି, ନିୟତଂ କୁରୁ କର୍ମ ତ୍ଵଂ।"

ସଂସ୍କୃତ ଶୁଣି ସମସ୍ତେ ଗୁମ୍ ମାରି ରହିଲେ। ଜଗୁଆମା' ପୁଣି ଘେରାଏ ବୁଲି ଆସି କଥାରୁ କିଛି ଶୁଣି କହିଲା --"ଆହାହା, କି ଶୋଭା କଥା ! କି ଶୋଭା ରୂପ ! କୋଟି ପରମାଇ ହେଇଥା ରେ ପୁଅ, କୋଟି ପରମାଇ ହେଇଥା....।"

ଉମା ପଶାୟତ କହିଲା, "କାମ ନଷ୍ଟ କଥା କହୁଚ ଯେ ବାବୁ, ତା ବୋଲି ତ ଧର୍ମ କର୍ମ ଅଛି, କରିବାକୁ ହେବ, ନ ହେଲେ ଜୀବର ମୁକ୍ତି ହେବ କେମିତି ?"

ସାଧୁ ଜେନା କହିଲା, ସତ ତ, ପୂର୍ବପୁରୁଷ ଆମର ସେହି କଥା କରିଆସିଲେ। ବେଳ ଯେତେ ଗଲେ ଯାଉ, ପଇସା ଯେତେ ସରୁ, ଧର୍ମଟା ଯିବ କୁଆଡ଼େ ? କ'ଣ କହନ୍ତି ନାଇଁ--ପଇସା ଧିଅର ମଳି, ତା ବୋଲି ଧର୍ମ ବୁଡ଼ିବ ?

ରବି ହସିଲା, କହିଲା ଯେଝା ଧର୍ମ ଯେଝା ନିଜର। ଆମେ ଦଳ ବାନ୍ଧି ହୋ ହା ହେଲେ କଣ ଆମ କଥାଟା ବେଶୀ ଭଗବାନଙ୍କ କାନରେ  ପଡ଼ିବ ? ଆମେ ଅଥାର ବସାଇଲେ  କି କାମ ବନ୍ଦ କରି ଘରେ ରହିଲେ କଣ ଠାକୁରେ ବେଶୀ ଆମକୁ ପରସନ ହେବେ ? ନା ଓଲଟି କହିବେ, ଏଗୁଡ଼ା ଅଳସୁଆ, ଠାପୁଆ, ହତଲକ୍ଷ୍ମୀଆ ? କାମ ବେଳେ କାମ ହେବ। କାମ ନଥିଲା ବେଳେ ଧର୍ମ ହେବ। କାମ ଘେନି ଧର୍ମ ମାରା ପଡ଼ିବ ନାଇଁ କି ଧର୍ମ ଘେନି କାମ ମାରା ପଡ଼ିବ ନାଇଁ।"

"ବାସ, ଏଇ ତ ସାର କଥା।" ବଇ ମଳିକ କହିଲା।

୧୧.୪.୧୯

No comments: