ସାଧୁ ଜେନା କହିଲା, "ଭଲ କଥା ମନେ ପକାଇ ଦେଲ, ବୁଢ଼ାବୁଢ଼ୀମାନେ କହନ୍ତି ତାଙ୍କ ଦେଖନ୍ତରେ ବି ଗୋଟା ଗୋଟା ଗାଁ କୋଉଠି କୋଉଠି କୋଠରେ ଚଳୁଥିଲେ। କେତେଠି ଶାସନ ଗାଁ ସବୁ ସେମିତି ଥିଲା। ତାଙ୍କର କୋଠରେ ଚାଷ, କୋଠରେ ଅମାର, ଆଉ କେତେ ପାଇକାଳି ଗାଁ, କେତେ ଚାଷୀ ଗାଁ। ଭାରୀ ମେଣ୍ଟ, କାହାକୁ ପରେଇ ନ ଥାଏ।"
ଜଗୁଆମା କହିଲା, "ଆଗ କାଳ କଥା ଆଉ ଅଛି କିରେ ବାପ ? ଆମ ଦେଖନ୍ତରେ ତ କୋଉ ଗାଁରେ କିଏ ଉପାସରେ ରହୁଥିଲା ? ରାଣ୍ଡୀ ହଉ ତ ଖଣ୍ଡୀ ହଉ, ଓଳିଏ କିଏ ଉପାସରେ ପଡୁଥିଲେ ଲୋକେ କହୁଥିଲେ ମଲା ମଲା, ଗାଁକୁ ନିନ୍ଦା ହେଲା, ଆଗ ତା କଥାଟି ବୁଝ। ଷାଠିଏ ସତୁରି ପ୍ରାଣୀ ଏକା ରୋଷେଇରେ ଚଳୁଥିଲେ। କୁଆଡ଼େ ଗଲା ସେ ଦିନ ! ତୋର ମୋର ବଢ଼ିଲା, ଏକା ଘରେ ରହି ପାଞ୍ଚ ଘରଣୀ ପାଞ୍ଚଠି ପାଣ୍ଠି କଲେ। କୋଠ ଜିନିଷ ବିକି ଭାଙ୍ଗି ଆପଣା ସୁବିଧା ଆପଣା ବାଟ କରି ଲାଗିଲେ, ସେ ଘର ବି ଭାଙ୍ଗିଲା, ସମସ୍ତିଙ୍କ ଶିରୀ ବି ତୁଟିଲା। ଛି ଏ କଳିକାଳ ! ମଣିଷକୁ ନ ମାରି ଦଇବ ରଖିଚି କାହିଁକି ହଟହଟା ହବାକୁ କେଜାଣି ! ସେ କାଳ ମଣିଷ ବି କୁଆଡ଼େ ମରି ହଜି ଗଲେ, ସେ ସ୍ନେହ ସରାଗ ବି ପୋଡ଼ି ଜଳି ଗଲା। ସେଇଠୁ ଇନ୍ଦ୍ର ବି ପାଳିଲା ନାହିଁ, ଭୂଇଁ ଆଉ ସେ ଫଳ ଦେଲା ନାହିଁ, ଗାଈ ଚେର ବି ଶୁଖିଗଲା ! ଆଉ ସେ କାଳ ପଖାଳ ସାତ ସପନ।"
'ସାତ ସପନ ଫେର ସତ ହବ ଜଗୁଆମା।" ରବି ଆଶ୍ୱାସ ଦେଲା, "ଏ ମାଟି ଶୋଇ ପଡ଼ିଥିଲା, ପୁଣି ଚେଇଁ ଉଠିବ। ଯେଉଁ ମାର୍ଗରେ ଭାଙ୍ଗିଚି ପୁଣି ସେଇ ମାର୍ଗରେ ଗଢ଼ି ହେବ। ଖାଲି ଆମ ମନ ଦୃଢ଼ କଲେ - ।"
"ତମ କଥାରେ ଫୁଲ ଚନ୍ଦନ ପଡୁ ବାପ ! କୋଟି ପରମାଇ ହେଇ ଥାଉ। ଆମର କୋଉ ଆଇଷ ଆସୁଚି ଆମେ ଦେଖିବୁ କି, ସରଗପୁରେ ଥାଉଁ କି ନରକପୁରେ ଥାଉଁ ଆମେ କଲ୍ୟାଣ କରୁଥିବୁ।"
୧୨.୪.୧୯

No comments:
Post a Comment