ଗଲାଣି ସେ ମଣିଷ, ମାଟି ତଳେ କେତେ ଗହୀରରେ କେଉଁଠି ପୋତି ହୋଇ ପଡ଼ିଥିବ ତାର ହାଡ଼। ତାର ଚାଉଳ କେଉଁ ତଳେ କଳା କଳା ଅଙ୍ଗାର ପରି ହୋଇ ମାଟିରେ ମିଶିଥିବ। ସେହି ମାଟି ତଳେ କେଉଁଠି ବିଛେଇ ହୋଇ ପଡ଼ିଥିବା ତା ସତୀ ସ୍ତ୍ରୀର ରକ୍ତ ପୋହଳା କଣ୍ଠି, ହାତୀ ଦାନ୍ତର ମାଳି, ମୋତି ହାର, ରଙ୍ଗବୋଳା ମାଟିର ଅଳଙ୍କାର, କାନର ପଣସଫୁଲ। କେଉଁଠି ପଡ଼ିଥିବ ତାର ଘରକରଣାର ସହସ୍ରେ ଶଙ୍କୁ। ତଷୁରେ ପୋତା ହୋଇ ବେତ ପେଡ଼ିରେ ପଶି ଲୁହା ସିନ୍ଦୁକରେ ନିବୁଜ ହୋଇ କେଉଁ ଗହୀରରେ ପୋତା ହୋଇଥିବ ତାର ସେ ଶହ ଶହ ବର୍ଷର ପୋଥି, ତାର ଶାସ୍ତ୍ର, ତାର ଭଉଁରିଆ, ତାର ଇତିହାସ। ଆଉ ଉପରେ ଖାଲି ଟାହି ଟାପରା କରିବାକୁ କେଉଁଠି କେମିତି ଗୋଟାଏ ଗୋଟାଏ ପୁରୁଣା ଦେଉଳ, ଯେ କହେ--କ'ଣ ଥିଲୁ, କ'ଣ ହେଲୁ ଦେଖ, ପୁରୁଣା ପାଖରେ ନୂଆକୁ ଥୋଇ କଣ୍ଟ, ଆହୁରି ବଡ଼ ବଡ଼ ଆଖି କରି ଅନା, ଅନାଇଁଥା।
ସେହି ପୁରୁଣାକୁ ଖାଲି ମୁଣ୍ଡିଆ ମାରି ମଣିଷ ଦିନ ଚଳାଏ। ତୁଣ୍ଡରେ ପଦେ ଅବିଶ୍ୱାସର ମନ୍ତବ୍ୟ, ସେହି ତାର ଅତୀତ ପ୍ରତି ସଂଭ୍ରମ "ସେଦିନ ଯାଇଛି, ଆଉ ଆମ ଦେଇ ହେବ ନାହିଁ।"
ଆମେ ଆଉ କିଛି କରିବୁ ନାହିଁ। ଏବେ ଖାଲି ମଣିଷର ଅଧିକାର ଖୋଜିବୁ। ଆନ୍ଦୋଳନ କରିବୁ।
କର୍ତ୍ତବ୍ୟ ଘର ଶୂନ୍। ଅଧିକାର ପଛରେ ଦୌଡ଼ ଚାଲିଛି। ପର କଥାରେ ମୁଣ୍ଡ ଗଳେଇ ତୁଣ୍ଡ ସୁଖ କରିବାର ଅଧିକାର।
୧୦.୪.୧୯

No comments:
Post a Comment