ସ୍ୱାଧୀନତା ସଂଗ୍ରାମ ଇଂରଜ ମାନଙ୍କ ସହ ଚାଲିଥିବା ବେଳେ, ଯେତେବେଳେ ଓଡ଼ିଆ ଜାତିକୁ ଓ ଓଡ଼ିଆ ଭାଷାକୁ ହତ୍ୟା କରିବାଭଳି ଏକ ଷଡ଼ଯନ୍ତ୍ର ଚାଲିଥିଲା, ସେତେବେଳେ ଓଡ଼ିଶାର ସ୍ୱାଧୀନତା ସଂଗ୍ରାମୀଗଣ ଉତ୍କଳ ସମ୍ମିଳନୀ ଗଢ଼ି ଓଡ଼ିଆ ଭାଷା ଭାଷୀ ଅଞ୍ଚଳକୁ ଏକ ସୂତ୍ରରେ ବାନ୍ଧିବାର ଚେଷ୍ଟା କରି ବହୁମାତ୍ରାରେ ସଫଳ ହୋଇଥିଲେ। କଂଗ୍ରେସର ବଙ୍ଗ, ବିହାର ଓ ମାନ୍ଦ୍ରାଜ ନେତାଙ୍କ ଜିଦ କାରଣରୁ ବହୁ ଓଡ଼ିଆ ଭାଷା ଭାଷୀ ଅଞ୍ଚଳ ଓଡ଼ିଶା ବାହାରେ ରହିଗଲା। ମାତ୍ର ୧୧ ବର୍ଷ ପରେ ଦେଶ ସ୍ଵାଧୀନ ହେଲା, କିନ୍ତୁ ସେହି ସବୁ ସ୍ଥାନରେ ଓଡ଼ିଆ ଭାଷା ସ୍ୱାଧୀନ ହୋଇ ପାରିଲା ନାହିଁ, ଆଞ୍ଚଳିକତାର ଭେଦ ଏତେ ଗ୍ରାସ କରିଥିଲା ଯେ ଓଡ଼ିଆ ଭାଷା ଭାଷୀଙ୍କ ଭାଷା ରକ୍ଷା ପାଇଁ ବଙ୍ଗ, ବିହାର ଓ ଆନ୍ଧ୍ର ପ୍ରଦେଶର ଶାସକ ମାନେ କୌଣସି ଚିନ୍ତା କଲେ ନାହିଁ।
ଗୋଟିଏ ଶାସକର ମତି ଗତି ଉପରେ ସେ ଦେଶ/ରାଜ୍ୟରେ ଥିବା ପ୍ରଚଳିତ ଭାଷାର ଉନ୍ନତି ଅବନତି ବହୁ ଭାବେ ନିର୍ଭରକରେ। ଆମ ପଛରେ ସ୍ୱାଧୀନ ହୋଇ ମୃତ ହିବୃ ଭାଷାକୁ ଇସ୍ରାଏଲ ଜୀବଦାନ ଦେଇପାରିଲା। ସେ ଚାହିଁଥିଲେ ଇଂରାଜୀର ସହାୟତା ନେଇଥାନ୍ତା, କିନ୍ତୁ ନେଲା ନାହିଁ। ଅପର ପକ୍ଷରେ ଆମେ ଆମ ଦେଶରେ ଥିବା ସମସ୍ତ ଜୀବିତ ଭାଷାକୁ ମୃତ କରିବା ଦିଗରେ ଧାଇଁଲୁ। ସ୍ୱାଧୀନତା ପରେ ଯେଉଁ ସରକାର ଆସିଲା ଓ ଅନେକ ବର୍ଷ ଭାରତକୁ ଶାସନ କଲା, ସେ ସରକାର ଭାରତୀୟ ଭାଷାକୁ ପଛକୁ ଠେଲି ଦେଇ ସେହି ବିଦେଶୀ ଇଂରେଜଙ୍କ ଭାଷାରେ ହିଁ ଶାସନ କଲା। ତେଣୁ ସ୍ୱାଧୀନ ଭାରତର ନ୍ୟାୟାଳୟ ଚାଲିଲା ଆମକୁ ପରାଧୀନ କରିଥିବା ଇଂରେଜର ଭାଷାରେ, ସଚିବାଳୟ ଚାଲିଲା ଇଂରାଜୀ ଭାଷାରେ, ଶିକ୍ଷାଳୟ ଚାଲିଲା ଇଂରାଜୀ ଭାଷାରେ। ପରିଣାମ ସ୍ଵରୂପ ଏ ଦେଶର ବୁଦ୍ଧିଜୀବୀ ମାନଙ୍କ ଭିତରେ ଥିବା ସ୍ୱାଭିମାନ ଶବ୍ଦଟି ମରିଗଲା। ସେମାନେ ଇଂରେଜଙ୍କର ମୋଷ୍ଟ ଓବିଡିଏଣ୍ଟ ଶବ୍ଦଟିକୁ ମନେ ରଖିଲେ।
ବିଦେଶୀ ଭାଷାର ପ୍ରୀତି କାରଣରୁ ଆଜି ସମସ୍ତ ଭାରତୀୟ ଭାଷା ଘୋର ସଂଘର୍ଷମୟ ସ୍ଥିତି ଦେଇ ଗତି କରୁଛି। ଆମ ଓଡ଼ିଶାରେ ଗୋଟିଏ ପଟେ ଭାଷା ପ୍ରେମୀମାନେ ଭାଷାକୁ ରକ୍ଷା କରିବା ପାଇଁ, ତାକୁ ଗୌରବମୟ ସ୍ଥାନରେ ପହଞ୍ଚାଇବା ପାଇଁ କ୍ଲାସିକାଲ ଷ୍ଟାଟସ ଦେବାରେ ସମର୍ଥ ହୋଇଥିବା ବେଳେ ଆଉ ଗୋଟିଏ ପଟେ ଗୋଟେ ନିର୍ବାଚିତ ସରକାର ସାରା ଓଡ଼ିଶାର ସବୁ ବ୍ଲକରେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲି ଦେଇଛି। ଏବେ ଆମେ ଶୁଣିଲୁ ଓଡ଼ିଶାରେ ଓଡ଼ିଆ ଅଧ୍ୟାପକ ନିଯୁକ୍ତି ପାଇଁ ଯେଉଁ ପରୀକ୍ଷା ହେଲା, ସେଥିରେ ଏକ ନୁହଁ ଅନେକ ମୁଣ୍ଡବିଗିଡ଼ା ପ୍ରଶ୍ନ ପଡ଼ିଛି। ଏହା କ'ଣ ଆମର ଭାଷା ପ୍ରତି ଥିବା ମମତାର ସୂଚକ ?
ଆମେ କେବେ ଚେତିବା ??
କୁଆଡ଼େ ଗଲା ଆମର ସ୍ୱାଭିମାନ ???
ଏ କଥା ଦିବାଲୋକ ପରି ସ୍ପଷ୍ଟ ଯେ, ଭାଷା ପ୍ରତି ସାମାନ୍ୟ ମମତା ନ ଥିବା ଜଣେ ବ୍ୟକ୍ତି, ଯିଏ କୋଡ଼ିଏ ବର୍ଷ ଭିତରେ ଧାଡ଼ିଏ ଓଡ଼ିଆ କହିବାକୁ ସକ୍ଷମ ନୁହଁ, ଯାହାଙ୍କୁ ଓଡ଼ିଆ ଧାଡ଼ିଏ ପଢ଼ିବା ପାଇଁ ଇଂରାଜୀ ଲିପିର ଓଡ଼ିଆ ଲେଖା ଲୋଡ଼ା, ଯିଏ ରାଜ୍ୟର ମୁଖ୍ୟ ହୋଇ ନିଜ ନିର୍ବାଚନ ମଣ୍ଡଳୀରୁ ଘୋଷଣା କରିପାରୁଛନ୍ତି ଯେ ସାରା ଓଡ଼ିଶାର ସବୁ ବ୍ଲକରେ ମୁଁ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ଖୋଲିବି, ଯାହାଙ୍କୁ ଆମେ ଖବରକାଗଜ ମାନଙ୍କରେ ଚେତାଇବା ପରେ ମଧ୍ୟ, ସେ ସେଥିପ୍ରତି କର୍ଣ୍ଣପାତ କରନ୍ତି ନାହିଁ, ଆମେ ଓଡ଼ିଆ ସେହି ବ୍ୟକ୍ତିଙ୍କୁ ନିର୍ବାଚନ ପରେ ନିର୍ବାଚନ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟ ଯୁକ୍ତ କରାଉଛୁ। ତେଣୁ ସବୁ ଜାଣିଶୁଣି ଆମେ ଆମ ଭାଷାର ଅବନତି କରୁନାହୁଁ ତ ?
ଏଇ ମାସ ପୁଣି ଥରେ ଆମ ଓଡ଼ିଆ ସ୍ୱାଭିମାନର ପରୀକ୍ଷାର ବେଳ।
ଆମ ନିଜର ବିବେକକୁ ଭଲଭାବେ ପଚାରିବାର ବେଳ।
ଆସନ୍ତା ମାସ ଜଣା ପଡ଼ିବ ଓଡ଼ିଆ ସ୍ୱାଭିମାନର ମୂଲ୍ୟ।
୧.୪.୧୯

No comments:
Post a Comment