Saturday, 14 April 2018

*ସାହିତ୍ୟର ଶକ୍ତି*

ଗତ ଜବଲପୁର ଅଧିବେଶନରେ ବିହାରରୁ ଆସିଥିବା ଜଣେ ବରିଷ୍ଠ ସାହିତ୍ୟିକ ଶ୍ରୀ ଭୁବନେଶ୍ୱର ପ୍ରସାଦ ଗୁରୁମୈତାଙ୍କୁ  ସାହିତ୍ୟର ସାମର୍ଥ୍ୟ ବିଷୟରେ ପଚାରିଲି। ସେ କେବେଠୁ ନବେ ପାର କରିସାରିଲେଣି। ତଥାପି ଯୁବକ। ସେ ହିସାର ବିଶ୍ୱବିଦ୍ୟାଳୟର ଭାଷା ସଂସ୍କୃତି ବିଭାଗର ଅଧ୍ୟକ୍ଷ ଥିଲେ। ପ୍ରତ୍ୟେକ ରାଷ୍ଟ୍ରୀୟ ଅଧିବେଶନରେ ତାଙ୍କୁ ନିଶ୍ଚିତ ଦେଖିବାକୁ ମିଳେ।
ସେ କହିଲେ -

ସଂସାରକୁ ସଂସ୍କାର ଦେଇ ନିର୍ମାଣ କରିବାର ସବୁଠୁ ବଡ଼ ଶକ୍ତି ହେଉଛି ସାହିତ୍ୟ। ବାଲ୍ୟାବସ୍ଥାରୁ ସାହିତ୍ୟ ଦେବତାଙ୍କ ପ୍ରତି ମୋ ମନରେ ବଡ଼ ଶ୍ରଦ୍ଧା ଓ ଭକ୍ତି ରହିଆସିଛି। ପିଲାବେଳୁ ପ୍ରାୟଃ ବାର ବର୍ଷ ମୋ ଜୀବନ ମିଥିଳା ଓ କୋଶି ଭଳି ସାମାନ୍ୟ ଗ୍ରାମୀଣ ଅଞ୍ଚଳରେ କଟିଥିଲା। ପରବର୍ତ୍ତୀ ଦଶ ବର୍ଷ ଦରଭଙ୍ଗା ତଥା କାଶୀ ଭଳି ବଡ଼ ସହରକୁ ପଢ଼ିବା ପାଇଁ ଯାଇଥିଲି। କୋଲକାତାରୁ ବି. ଏ. ପଢ଼ି ମୋ ବାପା ସ୍ବଦେଶୀ ଓ ଆର୍ଯ୍ୟସମାଜ ଆନ୍ଦୋଳନରେ ମିଶି ଥିଲେ। ସେ ଯେବେ ଘରକୁ ଆସୁଥିଲେ ମୋ ପାଇଁ ଫଳ, ମିଠା ସହିତ ପ୍ରେରଣାଦାୟୀ ସାହିତ୍ୟ ବହି ଆଣିବାକୁ କେବେ ବି ଭୁଲୁ ନ ଥିଲେ। ସେହି କ୍ରମରେ ସେ କେବେ 'ଭାରତ-ଭାରତୀ', 'ଜୟଦ୍ରଥ ବଧ' ତ କେବେ ବିବେକାନନ୍ଦ ଆଦି ମହାପୁରୁଷଙ୍କ ଜୀବନ ଗାଥା ମୋ ପାଇଁ ନେଇ ଆସୁଥିଲେ। ପରିଣାମସ୍ୱରୂପ ମୋ ଜୀବନର ଦିଗ ବଦଳିଗଲା। ବାଲ୍ୟକାଳରୁ ମୋ ଭିତରେ ଦେଶପ୍ରେମର ଧାରା ପ୍ଳାବିତ ହୋଇଥିଲା। ସେହି ପୂର୍ବପୁରୁଷଙ୍କ ଚରିତ୍ର ଶିକ୍ଷା ତରଙ୍ଗରେ ଜୀବନ ତରଣୀକୁ ବାହିବାର ପ୍ରେରଣା ମିଳିଲା। କର୍ତ୍ତବ୍ୟ ପଥରେ ଦୃଢ଼ ଓ ଅବିଚଳିତ ରହିବାର ଅମୋଘ ମନ୍ତ୍ର ମିଳି ଗଲା। ଅତ୍ୟନ୍ତ ଅଳ୍ପ ବୟସରେ ଗାନ୍ଧୀଜୀଙ୍କୁ ସ୍ୱାଗତ କରିବାର ସୁଯୋଗ ମିଳିଥିଲା ଓ ସ୍ବାଧୀନତା ଆନ୍ଦୋଳନରେ ଖୋଲାଖୋଲି ଭାଗ ନେବାର ସୁଅବସର ମୋତେ ମିଳିଥିଲା। ସେହି ସାହିତ୍ୟ ବହିରୁ ଯେଉଁ ପ୍ରେରଣା ମୋତେ ମିଳିଥିଲା ତାହା ମୋ ଜୀବନର ଆଧାର ସ୍ତମ୍ଭ ରୂପେ ଆଜି ମଧ୍ୟ ବିଦ୍ୟମାନ। ସ୍ବର୍ଗତ ମୈଥିଳୀଶରଣ ଗୁପ୍ତ, ବାଲକୃଷ୍ଣ ଶର୍ମା 'ନବୀନ', ମାଖନଲାଲ ଚତୁର୍ବେଦୀ, ଭାରତେନ୍ଦୁ, ପ. ସୋହନଲାଲ ଦ୍ବିବେଦୀ, ମୁଁନଶୀ ପ୍ରେମଚନ୍ଦ, ପ. ଗୋପବନ୍ଧୁ, ଫକୀରମୋହନ ଆଦି ସହିତ୍ୟିକମାନେ ପ୍ରେରଣାସ୍ପଦ ସାହିତ୍ୟ ଲେଖି ସମାଜକୁ ନବ ଜାଗରଣର ସନ୍ଦେଶ ଦେଇଗଲେ।

କ୍ରମଶଃ...
୧୪. ୪. ୧୮

No comments: