Tuesday, 3 April 2018

*ଆନନ୍ଦମଠ-୯*

ଯୁଦ୍ଧର ଅନ୍ତିମ ସମୟରେ ମହେନ୍ଦ୍ର କହୁଛି - ହେ ସନ୍ତାନଗଣ ! ଦେଖ, ଶିଖର ଦେଶରେ ପ୍ରଭୁ ସତ୍ୟାନନ୍ଦଙ୍କ ପତାକା ଉଡୁଅଛି। ଆଜି ସ୍ୱୟଂ ମୁରାରୀ, ମଧୁକୈଟଭ, କଂସ କେଶୀର ବିନାଶକାରୀ ଯୁଦ୍ଧରେ ଅବତୀର୍ଣ୍ଣ ହୋଇଛନ୍ତି। ଲକ୍ଷ ଲକ୍ଷ ସନ୍ତାନ ପାହାଡ଼ର ଶିଖର ଦେଶରେ ବିରାଜିତ ହେଲେଣି। ଏବେ କୁହ - ହରେ ମୁରାରେ ! ହରେ ମୁରାରେ !
ଉଠ !
ଉଭୟପଟୁ ଶତ୍ରୁକୁ ଘେର ଓ ମାର।
ସେତେବେଳେ ହରେ ମୁରାରେ ଜୟଘୋଷରେ ଅରଣ୍ୟ କମ୍ପିତ ହେଲା।

ଉପରୋକ୍ତ ସାକ୍ଷୀରୁ ଏହା ସ୍ପଷ୍ଟ ଯେ ଶତ୍ରୁମାନଙ୍କ ସଂହାର ଭଗବାନ ବିଷ୍ଣୁଙ୍କ ରଜୋଗୁଣରୁ ହୋଇଥାଏ। ବନ୍ଦେ ମାତରମରେ ଏଇ ରଜୋଗୁଣର ଶକ୍ତିମାନଙ୍କ କଥା ବର୍ଣ୍ଣନ ହୋଇଛି। ମାତୃଭୂମି ମଧ୍ୟ ରଜୋଗୁଣ ଦ୍ୱାରା ବିଧର୍ମୀମାନଙ୍କୁ ବିନାଶ କରନ୍ତି। ଆନନ୍ଦମଠରେ ବର୍ଣ୍ଣିତ ସନ୍ତାନମାନଙ୍କ ସାମର୍ଥ୍ୟ ସମ୍ପୂର୍ଣ୍ଣ ଭାରତୀୟ ସାହିତ୍ୟର ସାମର୍ଥ୍ୟ ହୋଇଗଲା ଯାହା ବର୍ତ୍ତମାନର ସମସ୍ୟାଗୁଡ଼ିକୁ ସମାଧାନ କରିବାର ସାମର୍ଥ୍ୟ ରଖିଛି।

ଏହି ଉପନ୍ୟାସର ମୁଖ୍ୟ କାବ୍ୟତତ୍ତ୍ୱ ହେଉଛି ଦେଶଭକ୍ତି। ଏହି ଦେଶଭକ୍ତିର କାବ୍ୟାତ୍ମକ ସ୍ୱରୂପର ଏପରି ନିରୂପଣ ବିଶ୍ୱର ବହୁତ କମ ଉପନ୍ୟାସରେ ହୋଇଛି। ଏହାକୁ କୌଣସି ସମ୍ପ୍ରଦାୟ ବା ମତର ପ୍ରଚାରାତ୍ମକ ଉପନ୍ୟାସ ଶ୍ରେଣୀରେ ଗଣାଯାଇ ପାରିବ ନାହିଁ। ଉପନ୍ୟାସର ମୁଖ୍ୟ ସନ୍ଦେଶ ହେଲା ଅତ୍ୟାଚାର ବିରୋଧରେ ଶକ୍ତି ସାଧନା ଓ ଅନୁଶୀଳନ ଦ୍ୱାରା ସଶସ୍ତ୍ର ଆନ୍ଦୋଳନ। ଏହାକୁ ଆଧାର କରି ଦେଶର ସ୍ୱାଧୀନତା ସଂଗ୍ରାମକୁ ଜାଗ୍ରତ କରିବାରେ ବାଙ୍କିମଚନ୍ଦ୍ର ସଫଳ ହୋଇଛନ୍ତି। ଉତ୍ତର ବଙ୍ଗର ସନ୍ନ୍ୟାସୀ ବିଦ୍ରୋହ ଓ ଭୟଙ୍କର ମରୁଡ଼ି (1769) ର ଵର୍ଣ୍ଣନ ଏଇ ଉପନ୍ୟାସର ଐତିହାସିକ ସତ୍ୟ ଅଟେ। ଉପନ୍ୟାସରେ ବର୍ଣ୍ଣିତ ପୃଷ୍ଠଭୂମିରେ ଜନଜୀବନର ଭୀଷଣ ଦୁର୍ଦ୍ଦଶା ପାଇଁ ତତ୍କାଳୀନ ମୁସଲିମ ଶାସକ ଓ ଇଂରେଜଙ୍କୁ ବଙ୍କିମଚନ୍ଦ୍ର ଆଦୌ କ୍ଷମା ଦେଇ ନାହାନ୍ତି।

କ୍ରମଶଃ....

୩. ୪. ୧୮

No comments: