Saturday, 7 April 2018

*ଅପୌରୁଷେୟର ପୁରୁଷତ୍ୱ - ୩*

ମନୁ ସ୍ମୃତିର ଦ୍ଵିତୀୟ ଅଧ୍ୟାୟର ଏକ ଶ୍ଳୋକରେ ଅଛି -

ଏତତ୍ ଦେଶ ପ୍ରସୂତସ୍ୟ ସକାଶା ଦଗ୍ର ଜନ୍ମନଃ।
ସ୍ୱଂ ସ୍ୱଂ ଚରିତ୍ରଂ ଶିକ୍ଷରେନ୍ ପୃଥ୍ୱୀବ୍ୟାଂ ସର୍ବ ମାନବାଃ।।

ଅର୍ଥାତ୍ "ଏଇ ଦେଶରେ ଉତ୍ପନ୍ନ ବ୍ରାହ୍ମଣମାନଙ୍କ ଠାରୁ ସମ୍ପୂର୍ଣ୍ଣ ପୃଥିବୀର ମନୁଷ୍ୟମାନେ ନିଜ ନିଜ ଚରିତ୍ରର ଶିକ୍ଷା ଗ୍ରହଣ କରିବା ଉଚିତ। ଏହି ଶ୍ଳୋକରେ ଦୁଇଟି ଗୂଢ଼ ଅର୍ଥ ରହିଛି -

ପ୍ରଥମ - ଶବ୍ଦ, ଭାଷା, ଅର୍ଥର ଆଧାର ହେଉଛି ପ୍ରେମ ଓ ଜ୍ଞାନୀପୁରୁଷଙ୍କ ବାଣୀରେ କଲ୍ୟାଣକାରୀ ଲକ୍ଷ୍ମୀଙ୍କ ନିବାସ ହେଇଥାଏ।

ଦ୍ଵିତୀୟ - ଏହି ଜ୍ଞାନୀମାନଙ୍କ ଦ୍ଵାରା ହିଁ ସମ୍ପୂର୍ଣ୍ଣ ପୃଥିବୀର ପ୍ରାଣୀମାନଙ୍କୁ ଆଚାର ଶିଖିବାର ନିର୍ଦ୍ଦେଶ ରହିଛି। ବେଦ ଜାଣିଥିବା ଲୋକ ସମ୍ପୂର୍ଣ୍ଣ ବିଶ୍ୱକୁ ଜ୍ଞାନ ଦେବାର କ୍ଷମତା ରଖିଥାନ୍ତି।

ବେଦରେ ଏମିତି କିଛି ଶ୍ଳୋକ ରହିଛି, ଯେଉଁଥିରେ ଭାରତୀୟ ସମାଜର ମୂଳସ୍ତମ୍ଭ କଥା କୁହାଯାଇଛି ଓ ଯାହାର ଭୁଲ ବ୍ୟାଖ୍ୟା ଭାରତୀୟ ସମାଜକୁ ଖଣ୍ଡ ଖଣ୍ଡ କରିଦେଇପାରେ।

ଋଗ୍ ବେଦର ଦଶମ ମଣ୍ଡଳର ସୂକ୍ତ ସଂଖ୍ୟା ୯୦ରେ ଋଷି ନାରାୟଣଃ, ଦେବତା ପୁରୁଷଃ, ଛନ୍ଦ ଅନୁଷ୍ଟପ, ତ୍ରିଷ୍ଟପ। ଏହି ସୂକ୍ତ ପୁରୁଷ ସୂକ୍ତ ଅଟେ। ଏଥିରେ ବିରାଟ ପୁରୁଷର କଳ୍ପନା କରାଯାଇଛି।

ସହସ୍ର ଶୀର୍ଷା ପୁରୁଷାଃ ସହସ୍ରାକ୍ଷଃ ସହସ୍ରପାତ୍।
ସଭୂମି ବିଶ୍ୱତୋ ବୃତ୍ୱାତ୍ୟତି ଶଠଦ୍ ଶାଙ୍ଗୁଳମ୍।।
ତସ୍ମାତ୍ ବିରାଟ ଅଜାୟତ ବିରାଜୋ ଅଧି ପୁରୁଷଃ।
ସ ଜାତୋ ଅତ୍ୟରିଚ୍ୟତ୍  ପଶ୍ଚାାଦଭୂମି ମଥୋ ପୁରଃ।।

ଅର୍ଥାତ୍ ବିରାଟ ପୁରୁଷ(ଈଶ୍ୱର) ସହସ୍ର (ଅନନ୍ତ) ଶିର, ଅନନ୍ତ ଚକ୍ଷୁ ଓ ଅନନ୍ତ ଚରଣଯୁକ୍ତ ଅଟନ୍ତି। ସେ ଭୂମି (ପୃଥିବୀ) କୁ ଚାରିପଟୁ ବ୍ୟାପି ଆହୁରି ଦଶ ଅଙ୍ଗୁଳି ପର୍ଯ୍ୟନ୍ତ ବଢ଼ିଯାଇଛନ୍ତି। ଯାହା କିଛି ହୋଇଛି ଓ ଯାହାକିଛି ହେବ, ଏ ସବୁ ଈଶ୍ବରପୁରୁଷ ହିଁ ଅଟନ୍ତି।  ସେ ଦେବତ୍ୱର ସ୍ୱାମୀ, କାରଣ ସେ ପ୍ରାଣୀମାନଙ୍କର ଭୋଗ  ନିମିତ୍ତ ନିଜର କାରଣ ଅବସ୍ଥାକୁ ଛାଡ଼ି ଜଗତ ଅବସ୍ଥାକୁ ପ୍ରାପ୍ତ କରିଥାନ୍ତି। ଏ ସାରା ବ୍ରହ୍ମାଣ୍ଡ ତାଙ୍କରି ମହିମା ଅଟେ। ସେ ନିଜେ ତ ତାଙ୍କ ମହିମାଠୁ ବଡ଼ ଅଟନ୍ତି।  ଏଇ ପୁରୁଷର ଗୋଟିଏ ପାଦ ହିଁ ବ୍ରହ୍ମାଣ୍ଡ ଅଟେ। ତାଙ୍କର ଅବିନାଶୀ ତିନି ପାଦ ତ ଦିବ୍ୟ ଲୋକରେ ଅଛି। ତିନି ପାଦ ଥିବା ପୁରୁଷ ଉର୍ଧ୍ଵ ଦିବ୍ୟ ଧାମକୁ ଉଠିଛି ଓ ତାଙ୍କର ଏକ ପାଦ ଏଇଠି ଅଛି। ତା ପରେ ସେ ଭୋଜନ ସହିତ ଓ ଭୋଜନ ରହିତ ଚେତନ ଅବଚେତନ ବସ୍ତୁରେ ବିବିଧ ରୂପରେ ପରିବ୍ୟାପ୍ତ ହୁଅନ୍ତି।

କ୍ରମଶଃ...

୮. ୪. ୧୮

No comments: