Friday, 20 April 2018

* ଶିକ୍ଷାରେ ନୈତିକତା*

ସାହିତ୍ୟ ଓ ଜୀବନ ଅଙ୍ଗାଙ୍ଗି ଭାବେ ଜଡ଼ିତ। ସାହିତ୍ୟକୁ ଜୀବନଠାରୁ କୌଣସି ପ୍ରକାରେ ଅଲଗା କରି ହୁଏ ନାହିଁ। ଏହା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ଵ ଭଳି। ଶିକ୍ଷା, ବୌଦ୍ଧିକ ସଚେତନତା, ସାମାଜିକ ସମ୍ପର୍କ, ଆତ୍ମନିର୍ବାହ ପ୍ରଣାଳୀ ଓ ଜୀବନର କଟୁ ତିକ୍ତ ଅନୁଭୂତିର ସମାହାର ହେଉଛି ସାହିତ୍ୟ। ଏହା ଉଚ୍ଚତର ସାମାଜିକ ଜୀବନ ନିର୍ବାହ କରିବା ପାଇଁ ପ୍ରେରଣା ଦିଏ ଓ ଏକ ସୁସ୍ଥ ସମାଜ ଗଠନ କରେ। ସାହିତ୍ୟରେ ଆଧ୍ୟାତ୍ମିକତା ବିଶ୍ୱଜଗତରେ ଶ୍ରେଷ୍ଠ ଜୀବନଶୈଳୀର ନିର୍ମାଣ କରିଥାଏ। ଅଧ୍ୟାତ୍ମ ଆଧାରିତ ବୈଜ୍ଞାନିକ ପ୍ରଗତି ଅବିବେକପୂର୍ଣ୍ଣ ଉପଭୋଗ ଉପରେ ଅଙ୍କୁଶ ଲଗାଇ ଏପରି ଜୀବନ ପଦ୍ଧତିର ବିକାଶ କରେ ଯାହା ଜୀବନକୁ  ସୁଖ, ଶାନ୍ତି ତଥା ସମୃଦ୍ଧି ପ୍ରଦାନ କରିବାକୁ ସମର୍ଥ ହୁଏ।

ଅଧ୍ୟାତ୍ମ ବିହୀନ ବୈଜ୍ଞାନିକ କୌଶଳର ଯେପରି ପ୍ରଗତି ହୋଇ ଚାଲିଛି ସେହିପରି ସମ୍ପୂର୍ଣ୍ଣ ବିଶ୍ୱରେ ଅବିଶ୍ୱାସ, ହିଂସା, ଅନୈତିକତା ଓ ଧାର୍ମିକ ଉଗ୍ରତା ମଧ୍ୟ ବଢ଼ି ଚାଲିଛି। କିନ୍ତୁ ଭାରତୀୟ ଆଧ୍ୟାତ୍ମିକ ପରମ୍ପରାରେ ଏହାର ସମାଧାନର ତତ୍ତ୍ୱ ବିଦ୍ୟମାନ ଅଛି ଯାହା ସାହିତ୍ୟ ମାଧ୍ୟମରେ ବିସ୍ତାରିତ ହୋଇଛି।

ଭାରତୀୟ ସଂସ୍କୃତିର ଶିକ୍ଷା ଦାନ ସଂରଚନାରେ ଜନ୍ମିତ ଶିଶୁଟିଏ ନିଜ ଗୃହ ବଂଶ ପରମ୍ପରା ଓ ପିତାମାତାଙ୍କ ସଂସ୍କାରରୁ ତାର ବାଲ୍ୟଶିକ୍ଷାର ଭିତ୍ତି ପକାଇଥାଏ। ଏହାପରେ ସେ ଆସିଥାଏ ବିଦ୍ୟାଳୟ, ଯେଉଁଠି ତାକୁ ଶିକ୍ଷା ସହିତ ସଂସ୍କାର ତଥା ବ୍ୟାବହାରିକ ଜ୍ଞାନ ମିଳେ। ଏପରି ଶିକ୍ଷା ପ୍ରଦାନ କରୁଥିବା ଶିକ୍ଷକ ତଥା ଶିକ୍ଷା ପ୍ରାପ୍ତ କରୁଥିବା ବିଦ୍ୟାର୍ଥୀଙ୍କ ପାଇଁ ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ ସାହିତ୍ୟ।

ଶାନ୍ତିପ୍ରିୟ, ତ୍ୟାଗୀ, ଜ୍ଞାନୀ ମହର୍ଷି ଥିଲେ ଗୁରୁ ବଶିଷ୍ଠ ପୁଣି ଗୁରୁ ବିଶ୍ଵାମିତ୍ର ଅନ୍ୟାୟ ବିରୋଧରେ ସଂଘର୍ଷ ପାଇଁ ସଂସ୍କାରିତ କରୁଥିବା ତପସ୍ୱୀ ଥିଲେ । ଏହି ଦୁଇ ମହର୍ଷିଙ୍କ ସାନ୍ନିଧ୍ୟ ପ୍ରାପ୍ତକରି ଭାରତୀୟ ଜନ ମାନସରେ ରାମଙ୍କ ପରି ଏପରି ଏକ ଦେବପୁରୁଷଙ୍କ ଆବିର୍ଭାବ ହୋଇପାରିଲା ଯିଏ ଥିଲେ ମର୍ଯ୍ୟାଦା ପୁରୁଷୋତ୍ତମ। ଯିଏ ପିତୃ ସତ୍ୟ ପାଳନ ପାଇଁ ବିଳାସମୟ  ରାଜ ସିଂହାସନକୁ ତ୍ୟାଗ କରି ଚଉଦ ବର୍ଷ ବନବାସ ଜୀବନ ସ୍ୱୀକାର କରି ଅସୁର ଶକ୍ତିର ବିନାଶ ପାଇଁ ନିଜ ଜୀବନକୁ ସମର୍ପିତ କରିଦେଇଥିଲେ।

କିନ୍ତୁ ଆଜିର ନୈତିକ ତଥା ଅଧ୍ୟାତ୍ମ ବିହୀନ ଶିକ୍ଷା ପଦ୍ଧତି ଏଭଳି ମହାପୁରୁଷଙ୍କୁ ଜନ୍ମ ଦେବାରେ ଅକ୍ଷମ।

କ୍ରମଶଃ...

୨୦. ୦୪. ୧୮

No comments: