"ସା ବିଦ୍ୟା ଯା ବିମୁକ୍ତୟେ"।
ସେ ହେଉଛି ବିଦ୍ୟା ଯେ ମୁକ୍ତି ପ୍ରଦାନ କରେ।
ଯିଏ ଧର୍ମ, ଅର୍ଥ, କାମ, ମୋକ୍ଷ ଚତୁର୍ବର୍ଗ ଫଳ ପ୍ରାପ୍ତି କରାଏ। ଆମକୁ ରୋଗ, ଶୋକ, ଦ୍ୱେଷ, ଦୀନତା, ଦାସତା, ଗରିବୀ, ବେକାରୀ, ଅଭାବ, ଅଜ୍ଞାନ, ଦୁର୍ଗୁଣ, କୁସଂସ୍କାର ଆଦି ଅବଗୁଣ ମାନଙ୍କଠାରୁ ମୁକ୍ତ କରାଏ ଏହି ବିଦ୍ୟା। ଯିଏ ବିଦ୍ୟାକୁ ଅର୍ଜନ କରିପାରେ ସିଏ ହୁଏ ବିଦ୍ୱାନ।
ବିଦ୍ୟା ହେଉଛି କୌଣସି ଏକ ଜ୍ଞାନମାର୍ଗର ସଂଦର୍ଶନ ତଥା ଜ୍ଞାନ ଆହରଣ କରିବା। ଯିଏ ବିଦ୍ୟାର ସାଧନା କରେ ସେ ଜ୍ଞାନୀ ହୁଏ। ବିଦ୍ୟା ଶିକ୍ଷା କରିବା ପାଇଁ ଉନ୍ମୁକ୍ତ। ଶିକ୍ଷା ମୂଳତଃ ବିଦ୍ୟା ଅର୍ଜନ ତଥା ଜ୍ଞାନ ଅର୍ଜନ କରି ନିଜକୁ ଅଜ୍ଞାନର ତମ ଅନ୍ଧକାର ମଧ୍ୟରୁ ମୁକୁଳାଇ ଆଣିବା। କିନ୍ତୁ ଆଜିକାଲିର ଶିକ୍ଷାକୁ ଭୁଲ ଅର୍ଥରେ ପ୍ରତିପାଦିତ କରାଯାଉଛି ଯାହା କେବଳ ଶ୍ରେଣୀ ପାଠ୍ୟକ୍ରମରୁ ଉନ୍ନିତ ଉପାଧି ପ୍ରାପ୍ତ କରିବା ଓ ମାନ ପତ୍ର ଲାଭ କରିବାରେ ସୀମିତ। ଯାହାକୁ ବିଦ୍ୟାର୍ଥୀମାନେ ଶତ ପ୍ରତିଶତ ଲାଭ କରିବା ପାଇଁ ମନନଶୀଳ ଭାବରେ ମୁଖସ୍ତ କରି, ଘୋଷି ବା ଅନ୍ୟ କୌଣସି ଉପାୟରେ ଉତ୍ତର ରଖି କୃତିତ୍ୱ ହାସଲ କରିବାର ଦେଖାଯାଉଛି। କିନ୍ତୁ ପ୍ରକୃତରେ ଶିକ୍ଷାର ପ୍ରକୃତ ଉଦ୍ଦେଶ୍ୟ ଜ୍ଞାନ ଅର୍ଜନ, ଅଭ୍ୟାସକୃତ ମୁଖସ୍ତ ପ୍ରତିପାଦନ ନୁହଁ।
ବିଦ୍ୟା ଅର୍ଜନ କରିବାରେ ଭାଷା ଏକ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ପ୍ରାଚୀନ କାଳରେ ଭାବର ପରିପ୍ରକାଶ ପାଇଁ ଠାର, ମୁଖଭଙ୍ଗି ବା ସଙ୍କେତର ବ୍ୟବହାର କରାଯାଉଥିଲା। ଜ୍ଞାନ ଆହରଣ ପାଇଁ କ୍ରମଶଃ ମନୁଷ୍ୟ ଲିପି ଓ ଭାଷାର ସୃଷ୍ଟି କଲା। ଯାହା ପରିବାରର ଭାଷା ତଥା ମାତୃଭାଷା ଭାବରେ ଗ୍ରହଣୀୟ ହେଲା। ମାତୃଭାଷାର ଆଧାରରେ ଶିକ୍ଷା ଗ୍ରହଣ ଅକୃତ୍ରିମ ଓ ସହଜଲବ୍ଧ ହୋଇଥାଏ। କିନ୍ତୁ ମନରେ କ୍ଷୋଭ ଆସେ ଯେ; ଆଜି ଆମ ଶିକ୍ଷା ପଦ୍ଧତି ମାତୃଭାଷା ମାଧ୍ୟମରେ ବିକଶିତ କରା ନ ଯାଇ ବୈପାରିକ ଇଂରାଜୀ ଭାଷାରେ କରାଯାଉଅଛି। ଯା ଫଳରେ ଆମେ ଆମ ପ୍ରାଚୀନ ଆତ୍ମ ନିର୍ଭରଶୀଳ ଭାରତୀୟ ସଂସ୍କୃତିର ମୂଳସ୍ରୋତରୁ ଦୂରେଇ ଯାଇ ପାଶ୍ଚାତ୍ୟ ଢଙ୍ଗରେ ନିଜକୁ ଶିକ୍ଷିତ ବୋଲି ଦାବି କରି ଚାକିରୀ ସର୍ବସ୍ୱ ଜୀବନ ବିତାଇବାକୁ ଶ୍ରେୟ ମଣୁଛୁ। ବାଲ୍ୟକାଳରୁ ମାତୃଭାଷା ଶିକ୍ଷାରୁ ଦୂରରେ ରହୁଥିବାରୁ ମାତୃଭାଷାରେ ଲିଖିତ ସାହିତ୍ୟ ମଧ୍ୟ ଆମକୁ ଅରୁଚି ଲାଗୁଛି। ଏହାଦ୍ୱାରା ମାତୃଭାଷାରେ, ଭାବ-ବିହ୍ଵଳିତ ଅନୁଭବରୁ ଜନ୍ମ ନେଉଥିବା ନିରୁତା ସାହିତ୍ୟ ବାଧିତ ହେଉଛି। ନିଜର ଭାଷା ଜଣା ନ ଥିଲେ ନିଜର ବୁଦ୍ଧି, ବିଚାରର ଅଭିବ୍ୟକ୍ତି, ବ୍ୟକ୍ତିତ୍ୱର ବିକାଶ, ନେତୃତ୍ୱ କ୍ଷମତା, ଭାବନାଶୈଳୀ, ସୃଜନଶୀଳତା ଆଦି ବାଧାପ୍ରାପ୍ତ ହେବା ନିଃସନ୍ଦେହ।
୨୧. ୪. ୧୮

No comments:
Post a Comment