Wednesday, 4 April 2018

*ଆନନ୍ଦମଠ-୧୦*

୧୯୦୫ରୁ ୧୯୨୧ ପର୍ଯ୍ୟନ୍ତ କାଳଖଣ୍ଡ ବସ୍ତୁତଃ ବନ୍ଦେ ମାତରମ୍ କାଳଖଣ୍ଡ ଥିଲା। ବଙ୍ଗ ସୀମା ପାର କରି ବନ୍ଦେ ମାତରମ୍ ସମଗ୍ର ଦେଶକୁ ବ୍ୟାପିଯାଇଥିଲା। ଏହାକୁ ରାଷ୍ଟ୍ରୀୟ ସ୍ତରରେ ଆଦର ଓ ସମ୍ମାନ ମିଳିଲା। ଇଂରେଜ ସରକାର ଭୟଭୀତ ହୋଇ ବହୁ ଥର ଏଇ ଗୀତ ନ ଗାଇବା ପାଇଁ କଟକଣା ଲଗାଇଲେ। ଏହି ଗୀତକୁ ଆଧାର କରି ଅନେକ ଗୀତ ବିଭିନ୍ନ ଭାଷାରେ ଲେଖାଗଲା। ଏହାର ଅନୁବାଦ ମଧ୍ୟ ସବୁ ଭାଷାରେ ହେଲା। ଗୀତ ମୂଳତଃ ସଂସ୍କୃତରେ ଥିଲା। ଏଇ ମୂଳ ଗୀତ ହିଁ ସମଗ୍ର ଦେଶରେ ଜନପ୍ରିୟ ହେଲା। ଏଇ ଗୀତର ଅନୁବାଦ ତାମିଲର ମହାନ କବି ସୁବ୍ରହ୍ମଣ୍ୟମ ଭାରତୀ କରିଥିଲେ। ଦୁଇଟି ଅନୁବାଦ କରି ସେ ନିଜେ ଗାଇ ଥିଲେ। ବନ୍ଦେ ମାତରମ୍ ଆନନ୍ଦମଠ ଲେଖା ହେବାର କିଛି ବର୍ଷ ପୂର୍ବରୁ ୧୮୭୪-୭୫ ରେ ଲେଖା ଯାଇଥିଲା। ଏହା ବଙ୍କିମ ବାବୁଙ୍କର ବହୁତ ପ୍ରିୟ ଗୀତ ଥିଲା। ୧୮୮୨ରେ ପ୍ରକାଶନର ଦୁଇ ବର୍ଷ ଭିତରେ ରବୀନ୍ଦ୍ର ନାଥ ଠାକୁର ଏଇ ଗୀତର ପ୍ରଥମ ଦୁଇ ପଦକୁ ସ୍ୱର କରି ବଙ୍କିମ ଚନ୍ଦ୍ରଙ୍କୁ ବୋଲି ଶୁଣାଇ ଥିଲେ। ୧୮୮୬ରେ କଲିକତାରେ କଂଗ୍ରେସର ଦ୍ଵିତୀୟ ଅଧିବେଶନରେ ରବୀନ୍ଦ୍ରନାଥ ଅନ୍ୟ ରାଷ୍ଟ୍ରୀୟ ଗୀତ ସହିତ ଏହାକୁ ମଞ୍ଚ ଉପରେ ଗାଇ ଥିଲେ। ବନ୍ଦେ ମାତରମ୍ ନାମରେ ଅନେକ ପତ୍ରିକା ଓ ପୁସ୍ତକ ପ୍ରକାଶିତ ହେଲା। ଏହି ଗୀତ ଇଂରେଜ ସରକାରର ନିଅଁକୁ ଦୋହଲାଇ ଦେଲା। ସ୍ୱାଧୀନତାର ଦାବିକୁ ସକ୍ରିୟ ରୂପ ଦେବାରେ ଏହି ଗୀତର ବହୁତ ବଡ଼ ଯୋଗଦାନ ରହିଛି।

ବଙ୍କିମଚନ୍ଦ୍ର ଯେଉଁ କାଳଖଣ୍ଡରେ ଦେଶପ୍ରେମ ଓ ରାଷ୍ଟ୍ରୀୟତାର ମନ୍ତ୍ର ଦୀକ୍ଷା ଦେଲେ, ତା ପୂର୍ବ ଶତାବ୍ଦୀରେ ରାଷ୍ଟ୍ରୀୟତାର ଭାବନା ଦୁର୍ବଳ ଥିଲା। ବଙ୍କିମଚନ୍ଦ୍ର ଭାରତୀୟ ଆଦର୍ଶ ଓ ରାଷ୍ଟ୍ରୀୟତାର ବ୍ୟାଖ୍ୟା ଖୋଜୁଥିଲେ। ତତ୍କାଳୀନ ସାମାଜିକ ରାଜନୈତିକ ପରିସ୍ଥିତି ଓ ଜନସାଧାରଣଙ୍କ ଦୁର୍ଦ୍ଦଶା ବଙ୍କିମଚନ୍ଦ୍ରଙ୍କ ମନରେ ଗଭୀର ବିପ୍ଲବୀ ଦେଶାତ୍ମବୋଧକୁ ଜନ୍ମ ଦେଇଥିଲା। ଆନନ୍ଦମଠର ବିପ୍ଲବୀ ସନ୍ନ୍ୟାସୀ ଦେଶ ମାତୃକା ପାଇଁ ପ୍ରାଣକୁ ଆହୁତି ଦେବାକୁ ତତ୍ପର ଥିଲେ। ସେମାନେ ଶିଖାଇଲେ ଯୁଦ୍ଧରେ ଲଢ଼ିବା ଓ ଜିଣିବା। ଦେଶ ପାଇଁ ନିଜକୁ ସ୍ୱାହା କରିବା। ତାଙ୍କର ସଫଳତାରେ ହିଁ ଦେଶବାସୀଙ୍କ ମାନସିକତାରେ ପରିବର୍ତ୍ତନ ଆସିଲା। ବିଶ୍ୱାସ ଆସିଲା ଯେ ଦେଶରେ ସାମାଜିକ ଓ ରାଜନୈତିକ ପରିବର୍ତ୍ତନ ସମ୍ଭବ। ଦେଶ ପାଇଁ ପ୍ରାଣ ବିସର୍ଜନ କରିବାକୁ ହେବ - ଏହା ହିଁ ଆନନ୍ଦମଠର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଏଥିରେ ସଶସ୍ତ୍ର ବିଦ୍ରୋହୀ ଦଳଙ୍କ ଗୁପ୍ତ ସଙ୍ଗଠନ, ଗରିଲା ଯୁଦ୍ଧ, ଶସ୍ତ୍ର ନିର୍ମାଣ ଓ ସଂଗ୍ରହ ଅନ୍ତର୍ଭୁକ୍ତ ଥିଲା। ଏହି ଆଦର୍ଶରେ ଅନୁପ୍ରାଣିତ ହୋଇ ଅସଂଖ୍ୟ କ୍ରାନ୍ତିକାରୀ ଦଳ ଜନ୍ମ ନେଲେ।

କ୍ରମଶଃ....

୪. ୪. ୧୮

No comments: