Tuesday, 17 April 2018

*କବିର କର୍ତ୍ତବ୍ୟ*

ସ୍ୱାଧୀନତା ପ୍ରାପ୍ତି ପରେ ଦେଶରେ ଘଟିଥିବା ବିଷମ ପରିସ୍ଥିତିକୁ ଦେଖି ରାଷ୍ଟ୍ର କବି ପ. ସୋହନଲାଲ ଦ୍ବିବେଦୀ ଦେଶର ନେତୃବର୍ଗଙ୍କୁ ଲେଖିଥିଲେ -

ହେ ଲାଲ କିଲାରେ ପତାକା ଉତ୍ତୋଳନକାରୀଗଣ !
ପ୍ରଥମେ ମୋ ଯକ୍ଷ ପ୍ରଶ୍ନଗୁଡ଼ିକର ଉତ୍ତର ଦିଅ।

ପ୍ରକୃତରେ କବି ହିଁ କ୍ରାନ୍ତଦର୍ଶୀ ଅଟେ।
ସେ କେବଳ ମାତ୍ର କଳାକାର ନୁହେଁ।
ସେ ହେଉଛି ସମାଜର ସ୍ରଷ୍ଟା ଓ
ଭବିଷ୍ୟତର ଦ୍ରଷ୍ଟା।

"କବିର୍ମନିଷୀ ପରିଭୁଃ ସ୍ଵୟମ୍ଭୁ ।"

ଅର୍ଥାତ୍ ସେ ସାକ୍ଷାତ ଈଶ୍ୱର ଅଟନ୍ତି।

ଅପାର କାବ୍ୟ ସମ୍ଭାରରେ କବି ହିଁ ବ୍ରହ୍ମା।
ତାଙ୍କ ରୁଚି ଯେପରି ବିଶ୍ୱକୁ ସେ ସେପରି ପରିବର୍ତ୍ତିତ କରିପାରନ୍ତି।

ଅପାରେ କାବ୍ୟ ସଂସାରେ କବିରେବ ପ୍ରଜାପତିଃ।
ଯଥା ବୈ ରୋଚତେ ବିଶ୍ୱଂ ତଥେଦଂ ପରିବର୍ତ୍ତତେ।।
(ଅଗ୍ନି ପୁରାଣ ୩୩, ୧୦)

ତାଙ୍କ ପାଖରେ ଯଦି ଏପଟ ଦେଖିବାକୁ ଦୁଇଟି ଆଖି ଥାଏ ତେବେ ଆରପଟ ଦେଖିବାକୁ ମଧ୍ୟ ଆଉ ଗୋଟିଏ ଆଖି ଥାଏ। ବାଲ୍ମୀକି, ବ୍ୟାସ, ଦାନ୍ତେ, ହୋମର, ସେକ୍ସପିଅର, ତୁଳସୀ, ରବୀନ୍ଦ୍ରନାଥ ଆଦି ମହାକବି ସଂସାରକୁ ଆସିଲେ ଓ ସଂସାର ପାଇଁ ଏପରି କିଛି ଦେଇଗଲେ ଯାହା ସଂସାର ପାଇଁ ଉପଯୋଗୀ ହେଉଅଛି ଓ ଜୀବନକୁ ସମୃଦ୍ଧି କରିଚାଲିଛି। ବିଶ୍ୱକୁ ସେମାନେ ଏପରି ବିଚାର ଶକ୍ତି ଦେଇଗଲେ ଯଦ୍ୱାରା ବିଶ୍ୱର ଜୀବନ ବଦଳି ଗଲା। ସମାଜକୁ ଯେତେବେଳେ ଯାହା ଦରକାର ପଡ଼ିଲା, ସେତେବେଳେ ସେହି ବସ୍ତୁ ସେମାନେ ସମାଜକୁ ଦେଲେ। ବିଶ୍ୱକୁ ଯେତେବେଳେ ଶାନ୍ତି ଦରକାର ହେଲା ସେତେବେଳେ ବୈଷ୍ଣବ ସନ୍ଥଗଣ ଶାନ୍ତିର ବିଚାର ଦେଲେ। ଉତ୍ସାହ ଦରକାର ହେଲାବେଳେ ଚନ୍ଦବରଦାୟୀ, ଭୂଷଣ, ଗୋରେଲାଲ, ଶ୍ୟାମ ନାରାୟଣ ପାଣ୍ଡେ, ବୀରକିଶୋର, ଗୋଦାବରୀଶ, ନଜରୁଲ ଇସଲାମ, ଦିନକର, ମାଖନଲାଲ ଓଜସ୍ୱୀ ବାଣୀ ଦେଲେ। ବିଶ୍ୱରେ ଯେତେବେଳେ ବଡ଼ ବଡ଼ କ୍ରାନ୍ତି ଦରକାର ପଡ଼ିଲା ସେତେବେଳେ ଏମାନଙ୍କ ବାଣୀ ଅଗ୍ନି ସ୍ପୁଲିଙ୍ଗ ପରି କାମ କଲା।

ବହିର୍ଜଗତ ଓ ଅନ୍ତର୍ଜଗତକୁ, ଆତ୍ମଜ୍ଞାନ ଓ ବିଜ୍ଞାନକୁ ଯୋଡ଼ି ଥାଏ ସାହିତ୍ୟର ବାଣୀ। ବାଣୀ ସଂଯୋଜନ ଶକ୍ତି ଅଟେ। ଏହା ସୂକ୍ଷ୍ମ ଶକ୍ତି ଅଟେ। ଏହା ଭିତରେ ଅନ୍ୟ ସମସ୍ତ ଶକ୍ତି ଛପି ରହିଥାଏ। ବାଣୀର ମହିମା ଅପୂର୍ବ। ସାହିତ୍ୟ ଏଇ ବାଣୀର ପ୍ରତ୍ୟକ୍ଷ ରୂପ ଅଟେ। ଏହା ପ୍ରକୃତରେ ସନ୍ଥ ସାହିତ୍ୟିକଙ୍କ ଶ୍ରବଣ, କୀର୍ତ୍ତନ, ଚିନ୍ତନ ଓ ସୃଜନର ପ୍ରତିଫଳନ ଅଟେ। ଏପରି ସ୍ରଷ୍ଟା-ଦ୍ରଷ୍ଟା କଳାକାରରୂପୀ ସଚ୍ଚିଦାନନ୍ଦସ୍ୱରୂପ ବିଶ୍ୱକଲ୍ୟାଣକାରୀ ସାହିତ୍ୟ ଦେବତାଙ୍କୁ କୋଟି କୋଟି ପ୍ରଣାମ।

୧୮. ୪. ୧୮

No comments: