ଭାରତୀୟ ସଂସ୍କୃତିରେ ଚାରି ପୁରୁଷାର୍ଥ କଥା କୁହାଯାଇଛି। ମନୁଷ୍ୟ ଜୀବନର ସଫଳତା ପାଇଁ ଏଇ ଚାରି ପୁରୁଷାର୍ଥର ପାଳନ ଅତ୍ୟନ୍ତ ଆବଶ୍ୟକ। ଏହା ଭିତରୁ ଗୋଟିଏ ପୁରୁଷାର୍ଥ ହେଉଛି 'ଅର୍ଥ'। ଆମ ସମାଜରେ, ଆମ ସଂସ୍କୃତିରେ 'ଅର୍ଥ' ର ମହତ୍ତ୍ୱ କମ୍ ନୁହେଁ।
ସକାଳୁ ଉଠିବା ମାତ୍ରେ ଆମେ ପ୍ରାତଃ ସ୍ମରଣ କରି କହୁ 'କରାଗ୍ରେ ବସତେ ଲକ୍ଷ୍ମୀ'। 'ଅର୍ଥ'ର ଦେବୀ ଲକ୍ଷ୍ମୀ। ଆମେ ପଇସାକୁ ଲକ୍ଷ୍ମୀ ବୋଲି ମାନିଛନ୍ତି, କିନ୍ତୁ ପାଶ୍ଚାତ୍ୟବାସୀ ତାକୁ ବସ୍ତୁ ବୋଲି ମାନନ୍ତି। ଲକ୍ଷ୍ମୀ ବିଷ୍ଣୁଙ୍କ ପତ୍ନୀ ଅଟନ୍ତି ଓ ବିଷ୍ଣୁ ଏହି ଜଗତର ପାଳନ କର୍ତ୍ତା। ବସ୍ତୁ ଉପଭୋଗ ପାଇଁ ଉପଯୋଗ ହୋଇଥାଏ କିନ୍ତୁ ଦେବୀଙ୍କୁ ପୂଜା କରାଯାଇଥାଏ। ଏଥିପାଇଁ ଅର୍ଥ କାମନା ଆମ ସଂସ୍କୃତିର ଉଦ୍ଦେଶ୍ୟ ନୁହଁ ବରଂ ତା'ର ଉପାସନା କରିବା ହିଁ 'ଅର୍ଥ'ର ଅର୍ଥ ଅଟେ।
ଅର୍ଥ ପୁରୁଷାର୍ଥ କଣ ? ଅର୍ଥ ବ୍ୟକ୍ତି ପାଇଁ , ସମାଜ ପାଇଁ, ଦେଶ ପାଇଁ, ଜଗତ ପାଇଁ କେଉଁ କାମରେ ଲାଗିଥାଏ ? ଏହାକୁ ପ୍ରାପ୍ତ କରିବା ପାଇଁ ବ୍ୟବସ୍ଥା କରିବାକୁ ପଡ଼େ। ଯାହାକୁ ଆମେ ଅର୍ଥ ବ୍ୟବସ୍ଥା ବୋଲି କହୁ।
'ଶ୍ରୀ'ସୂକ୍ତରେ ଲକ୍ଷ୍ମୀଙ୍କ ପାଇଁ ଅନେକ ବିଶେଷଣ ଲଗାଯାଇଛି। ତା'ଭିତରୁ ଗୋଟିଏ ହେଲା 'ଅନପଗାମିନିମ'। ହେ ପ୍ରଭୁ ! ମୋତେ ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତୁ, ମୋତେ ପ୍ରଚୁର ଅର୍ଥ ମିଳିଯାଉ; କିନ୍ତୁ କେଉଁ ଭଳି ? ତାହା ଅନପଗାମିନିମ ହେଉ। ଅର୍ଥାତ୍ ଆମେ ପ୍ରାର୍ଥନା କରୁ ଯେ, ଅସତ ମାର୍ଗରେ ବ୍ୟୟ ନ ହେଉଥିବା ସମ୍ପତ୍ତି ଆମକୁ ଦିଅ।
ଆମ ଶାସ୍ତ୍ରରେ ଲକ୍ଷ୍ମୀଙ୍କ ବର୍ଣ୍ଣନା ହୋଇଛି -
ଅଶ୍ୱପୂର୍ବାମ, ରଥ ମଧ୍ୟାମ ହସ୍ତିନାଦ ପ୍ରବୋଧିନିମ୍।
ଅର୍ଥାତ୍ ଯାହାଙ୍କ ଆଗରେ ଅଶ୍ୱ, ଯିଏ ରଥରେ ବସିଛନ୍ତି, ହାତୀ ନାଦ କରି ଚାଲୁଛନ୍ତି ଏହିପରି ଲକ୍ଷ୍ମୀଙ୍କ ଆଗମନକୁ ବର୍ଣ୍ଣନା କରାଯାଇଛି। ଆମକୁ ଚୁପଚାପ ଆସୁଥିବା ଲକ୍ଷ୍ମୀ ଦରକାର ନାହିଁ।
'ଅର୍ଥ'ର ବା ଲକ୍ଷ୍ମୀଙ୍କର ଚାରିଟି ଅଙ୍ଗ କଥା ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ସେସବୁ ହେଲା -
୧. ଅଲବ୍ଧ ଲାଭାର୍ଥୀ : ଯାହା ନାହିଁ ତାକୁ କେମିତି ପ୍ରାପ୍ତ କରିବା।
୨. ଲବ୍ଧପରିରକ୍ଷଣିମ : ଯାହା ପ୍ରାପ୍ତ ହୋଇଛି ତାକୁ କିପରି ରକ୍ଷା କରିବା।
୩. ରକ୍ଷିତସ୍ୟ ବିବର୍ଦ୍ଧନେଷୁ : ଗଚ୍ଛିତ ଲକ୍ଷ୍ମୀଙ୍କୁ କିପରି ବୃଦ୍ଧି କରାଇବା।
୪. ବୃଦ୍ଧସ୍ୟ ତୀର୍ଥେଷୁ ପ୍ରତିପାଦିନିମ : ବର୍ଦ୍ଧିତ ଲକ୍ଷ୍ମୀଙ୍କ ବିନିଯୋଗ ତୀର୍ଥ ପରି ପବିତ୍ର କାର୍ଯ୍ୟରେ କରିବା।
ପଶ୍ଚାତ୍ୟବାସୀଙ୍କୁ ଯଦି ପଚାରାଯାଏ ଏତେ ଅର୍ଥ ଆପଣ କିପରି ଉପାର୍ଜନ କଲେ ? ତେବେ ସେମାନେ ଉତ୍ତର ଦିଅନ୍ତି ବୁଦ୍ଧିରୁ, ପରିଶ୍ରମରୁ, ସାଙ୍ଗଙ୍କ ସହଯୋଗରୁ, ନୂଆ କଳ୍ପନାରୁ, ନୂଆ ଉପକ୍ରମରୁ, ଇତ୍ୟାଦି ଇତ୍ୟାଦି। ଏହା ତ ଠିକ୍ କଥା, କିନ୍ତୁ ଦୁର୍ଭାଗ୍ୟବଶତଃ ଯଦି ତାଙ୍କ ସମ୍ପତ୍ତି ଚାଲିଯାଏ ଏବଂ ସେତେବେଳେ ଯଦି ପଚରାଯାଏ, 'ଭାଇ ! ଆପଣଙ୍କର ଏ ଦୁର୍ଯୋଗ କାହିଁକି ଆସିଲା ?'
ମାତ୍ର ଗୋଟିଏ ଉତ୍ତର ମିଳେ ଯେ -
ଲକ୍ଷ୍ମୀ ଚଞ୍ଚଳା, ଗୋଟିଏ ଜାଗାରେ ସ୍ଥିର ରହି ପାରନ୍ତି ନାହିଁ। ତେଣୁ ଚାଲିଗଲେ। କିନ୍ତୁ ଏ କଥା ଅର୍ଥ ଉପାର୍ଜନ ସମୟରେ ସେମାନଙ୍କ ଧ୍ୟାନକୁ ଆସି ନ ଥାଏ।
ଆମେ ଅର୍ଥକୁ ଦେବତା ହିସାବରେ ଦେଖୁଥିବାରୁ ଆମ ବିଚାରରେ ଦେବତା ଯେବେ ଯୁଆଡ଼େ ଚାହିଁବେ ସିଆଡ଼େ ଯାଇ ପାରନ୍ତି।
ଅର୍ଥଶାସ୍ତ୍ରର ହେତୁ ହେଲା ସୁଖ ପ୍ରାପ୍ତ କରିବା। ଆମର ବହୁତ କାମନା ଥାଏ। ଆମେ ତାର ପରିପୂର୍ତ୍ତି ଚାହୁଁ ଓ ଏହା ଅର୍ଥ ଦ୍ୱାରା ପୂର୍ତ୍ତି ହୋଇଗଲେ ଆମକୁ ସୁଖ ମିଳେ। କିନ୍ତୁ ଏଠି ବିଚାର କରିବା କଥା ଯେ କାମନା ଓ ବାସନାର ଅନ୍ତ ନ ଥାଏ। ଗୋଟିଏ ପୂରା ହେଲେ ଆଉ ଗୋଟେ ତୁରନ୍ତ ତାର ସ୍ଥାନ ଗ୍ରହଣ କରିଥାଏ।
କାମନା ଅସୀମିତ ହେଉଥିବା ବେଳେ ବସ୍ତୁ, ସାଧନ ବା ଉପକରଣ ସୀମିତ ଥାଏ। ଯଦି ଏହା ଅସୀମିତ ଥାନ୍ତା ତେବେ କିଛି ଅସୁବିଧା ହେଇ ନ ଥାନ୍ତା।
ଅସୀମିତ କାମନା ଓ ସୀମିତ ସାଧନର ସମୀକରଣକୁ ଠିକ୍ କରିବା ପାଇଁ ଶାସ୍ତ୍ର ନିର୍ମାଣ ହେଲା। ନୀତି ନିୟମ ନିର୍ମାଣ ହେଲା। ନିତ୍ୟ ବ୍ୟବହାର୍ଯ୍ୟ ବସ୍ତୁର ନିର୍ମାଣର ଓ ବିତରଣର ନିୟମ ତିଆରି ହେଲା।
ଆଧୁନିକ ବା ପାଶ୍ଚାତ୍ୟ ଅର୍ଥଶାସ୍ତ୍ରୀମାନେ ମଣିଷକୁ ଆଉ ମଣିଷ ବୋଲି ଦେଖିଲେ ନାହିଁ। ସେମାନେ ତାକୁ ଏକ ଆର୍ଥିକ ମଣିଷ ବୋଲି କହିଲେ। ଏ ମଣିଷଠାରୁ ମୋର କେତେ ଲାଭ ହେବ ବା କ୍ଷତି ହେବ। ଏତିକି ବିଚାର ସେମାନଙ୍କୁ ଦେଖାଗଲା। ବାକି ମାନବତା କଥା ପଚାରେ କିଏ ? ଭୋଗ ସାମଗ୍ରୀ ଜୁଟାଇବା ପାଇଁ ନୀତି ନିୟମକୁ ବଳି ଦେବାକୁ ଲୋକ ପଛାଇଲେ ନାହିଁ। ନିଜ ଚଉଦ ପୁରୁଷଙ୍କ ପାଇଁ ସମ୍ପତ୍ତି ସଞ୍ଚିଗଲେ।
ପ୍ରଥମେ ତ ପଇସା ନ ଥିଲା। ବସ୍ତୁ ବଦଳରେ ବସ୍ତୁ ଦିଆନିଆ ଚାଲିଥିଲା। ସଭ୍ୟତାର ବିକାଶ ସହିତ ବୁଲି ବୁଲି ଜିନିଷ ଅଦଳ ବଦଳ ନ କରି ଗୋଟିଏ ଜାଗାରେ ବସି ବିକ୍ରିଟିକ୍ରି କରିବା ପାଇଁ ନିର୍ଦିଷ୍ଟ କିଛି ବସ୍ତୁ ବା ଧାତୁର ଉପଯୋଗ କରାହେଲା। କ୍ରମଶଃ ସ୍ୱର୍ଣ୍ଣ ମୁଦ୍ରାର ବ୍ୟବହାର ହେଲା। ତା'ପରେ ଏହି ପ୍ରକ୍ରିୟା ବିକଶିତ ହୋଇ ଆଜିର ମୁଦ୍ରା ଯାଏ ଆସିଲା।
ପଇସା ବା ଟଙ୍କା ଅର୍ଥ କି ?
ଏହା ଅର୍ଥ ନୁହଁ। ଏହା ବ୍ୟବହାରର ଏକ ମାଧ୍ୟମ ମାତ୍ର।
ଏପରି ସମୟ ଥିଲା ପଇସା ନ ଥିଲା।
କେବଳ ବସ୍ତୁର ଆଦାନ ପ୍ରଦାନ ଥିଲା।
ବସ୍ତୁ ସଂଗ୍ରହ କରିବା ସହଜ ନୁହେଁ। ସଂଗ୍ରହ କଲେ ତ ରଖିବା ସମ୍ଭବ ନୁହେଁ। ଏ ସବୁ ପ୍ରାପ୍ତ କରିବାପାଇଁ ପଇସା କିମ୍ବା ଟଙ୍କା ସଞ୍ଚୟ କରିଦେବା ଭଲ ହେବ ଭାବି ଲୋକ ସଞ୍ଚି ଚାଲିଲେ। ତା ଅନୁସାରେ ଧନି ଗରିବ ନିର୍ଦ୍ଧାରଣ ହେଲା। ଯିଏ ଯେତେ ସଞ୍ଚୟ କରିପାରିଲା ସେ ସେତେ ଧନୀ ବୋଲି ଗଣା ହେଲା।
ରାବଣ ଭଳି ସବୁ ଭଗବାନଙ୍କୁ ନିଜ କାମରେ ଲଗାଇଦେବାକୁ ଲୋକ ପଛାଇଲେ ନାହିଁ।
ଭାରତୀୟ ବିଚାର ଅନୁସାରେ ଯୋଗୀ ଅରବିନ୍ଦ କହିଛନ୍ତି, "ବସ୍ତୁ ଓ ସେବା ଦ୍ୱାରା ବଡ଼ ଯନ୍ତ୍ରପାତି ନିର୍ମାଣ କରିବା ଅର୍ଥଶାସ୍ତ୍ରର ହେତୁ ନୁହଁ। ଏହା ସତ୍ୟ ଯେ ଆମ କାମନା ପୂର୍ଣ୍ଣ କରିବା ପାଇଁ ଵସ୍ତୁ, ସେବା, ସାଧନ, ଉପକରଣ ଆଦି ଦରକାର।
ତେବେ କଣ କରିବା ?
ସମାଜର ପ୍ରତ୍ୟେକ ବ୍ୟକ୍ତିକୁ ତା' ଇଚ୍ଛା ଅନୁସାରେ କିପରି ସୁଖ ପ୍ରାପ୍ତ ହେବ, ଏହା ଦେଖିବା ଅର୍ଥ ଶାସ୍ତ୍ରର କାର୍ଯ୍ୟ ହେବା ଉଚିତ। ନିଜ କ୍ଷମତାରୁ ଅର୍ଜିଥିବା ସମ୍ପତ୍ତିର ଉପଭୋଗ କରିବାପାଇଁ ବ୍ୟକ୍ତିକୁ ସମୟ ମିଳୁ। ଆଇ ଟି କମ୍ପାନୀ କାମରେ ପ୍ୟାକେଜ ତ ବହୁତ ବଡ଼, କିନ୍ତୁ ଲାପଟପ ଓ ମୋବାଇଲ ସେଠାରେ କାମ କରୁଥିବା ବ୍ୟକ୍ତିକୁ ବନ୍ଦୀ କରିଦେଉଛି। ଖାଇବା, ଶୋଇବା ସମୟରେ ଏ ଦୁଇଟି ସେମାନଙ୍କ କର ଛାଡୁ ନାହାନ୍ତି।
ଚାଣକ୍ୟ କହିଛନ୍ତି, 'ସୁଖସ୍ୟ ମୂଳଂ ଧର୍ମଃ। ଧର୍ମସ୍ୟ ମୂଳଂ ଅର୍ଥଃ। ଅର୍ଥସ୍ୟ ମୂଳଂ ରାଜ୍ୟମ୍। ରାଜ୍ୟସ୍ୟ ମୂଳଂ ଇନ୍ଦ୍ରିୟଜୟଃ।' ସେ ଗୋଟିଏ ପଟେ ଉପଭୋଗର କଥା କହିଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସେ ଏ ସବୁର ମୂଳ ଇନ୍ଦ୍ରିୟସଂଯମକୁ ଶ୍ରେୟ ଦେଇଛନ୍ତି।
ପୁଣି ସେ କହିଛନ୍ତି, 'ମନୁଷ୍ୟର ଉପଜୀବିକାର ସାଧନ ହେଉଛି ଅର୍ଥ। ମନୁଷ୍ୟ ଭୂମି ଉପରେ ବଞ୍ଚିଛି। ଏଥିପାଇଁ ଭୂମି ହିଁ ଅର୍ଥ। ଭୂମି କିପରି ପ୍ରାପ୍ତ କରିବା ଓ ତାକୁ କିପରି ପାଳନ କରିବା ଏହି ଜ୍ଞାନ ଦେଉଥିବା ଶାସ୍ତ୍ର ହେଉଛି ଅର୍ଥଶାସ୍ତ୍ର।
ଏହା ମଧ୍ୟ ଦୁଇ ଭାଗରେ ବିଭକ୍ତ। ଗୋଟିଏ ହେଉଛି ବାର୍ତ୍ତା ଶାସ୍ତ୍ର ଅନ୍ୟଟି ଦଣ୍ଡ ନୀତି। ବାର୍ତ୍ତା ଶାସ୍ତ୍ରରେ କୃଷି, ପଶୁପାଳନ ଓ ବ୍ୟବସାୟ କଥା କୁହାଯାଇଛି। ପ୍ରଥମେ କୃଷି ତା'ପରେ ପଶୁପାଳନ ଓ ଶେଷରେ ବ୍ୟବସାୟକୁ ମହତ୍ତ୍ୱ ଦିଆଯାଇଛି।
ଅସୀମିତ କାମନାକୁ ସୀମିତ ସାଧନାରେ ବାଣ୍ଟିବା ପାଇଁ ନିୟମ ତିଆରି ଓ ନିୟମ ଯିଏ ଭାଙ୍ଗିବ ତା ପାଇଁ ଦଣ୍ଡ ଏହା ଦଣ୍ଡନୀତିରେ ରହିଛି। 'ଅର୍ଥ'ର ଉପଯୋଗ କିପରି ହେବା ଉଚିତ ତାହା ସେଥିରେ ରହିଛି।
ଯେକୌଣସି ଉପାୟରେ ଅର୍ଥ ରୋଜଗାର ଭାରତୀୟ ନୀତି ନୁହଁ। ମନୁଷ୍ୟ ଦେହ ଧାରଣ କରିଛି, ତେଣୁ ଶରୀର ରକ୍ଷା ପାଇଁ ତ ତାକୁ କିଛି ବସ୍ତୁର ଉପଯୋଗ କରିବାକୁ ପଡ଼ିବ। ଉପଭୋଗ ପାଇଁ ସେ ଜନ୍ମ ହୋଇ ନାହିଁ। କେବଳ ଖାଇବା ପାଇଁ ସେ ଜନ୍ମ ନେଇ ନାହିଁ। ବଞ୍ଚିବା ପାଇଁ ଖାଦ୍ୟ ଦରକାର। ଯେତିକି ଆବଶ୍ୟକ ସେତିକି ଗ୍ରହଣ କରିବା -ଏହା ହିଁ ସଂଯମିତ ଜୀବନ। ସାଧନ ସୀମିତ। ତେଣୁ ତା'ର ଅପବ୍ୟୟ ନ ହେଉ। ପାଶ୍ଚାତ୍ୟ ବିଚାର ହେଉଛି ଯେକୌଣସି ଉପାୟରେ ସାଧନ ବଢ଼ାଅ କିନ୍ତୁ ଭାରତୀୟ ବିଚାର ସଂଯମିତ ଉପଭୋଗର କଥା କହିଛି।
ବିଶ୍ୱରେ ଗୋଟିଏ ବଡ଼ ଦେଶ ଅଛି। ସେଠାରେ କିଛି ତିଆରି ହୁଏ ନାହିଁ କିନ୍ତୁ ସବୁ ମିଳେ। ତିଆରି ହୁଏ ତ କେବଳ ପରମାଣୁ ଅସ୍ତ୍ର ଓ ସୋମରସ। ଆମେ ତାକୁ ଆଦର୍ଶ ଭାବରେ ଗ୍ରହଣ କରିବା ଅନୁଚିତ।
୨୬. ୪. ୧୮

No comments:
Post a Comment