ରାମ ପନ୍ଥୀ ଓ ରାଷ୍ଟ୍ରୀୟ ଶବ୍ଦ କାଲି ଲେଖିବା ବେଳେ
ପଞ୍ଚତନ୍ତ୍ରର ସେହି ଗପଟି ମୋର ମନେ ପଡୁଥିଲା। କୌଣସି କାରଣରୁ ସିଂହ ଛୁଆଟିଏ ଶୃଗାଳ ମେଳରେ ଚାଲି ଯାଇଛି। ସେଇ ଶୃଗାଳଙ୍କ ସହ ଜୀବନ ବିତାଇଛି। ନିଜର ସ୍ବରୂପ ସେ ଭୁଲି ଯାଇଛି। ସେ ଚେଷ୍ଟା କରି ଶୃଗାଳ ଶବ୍ଦର ଅଭ୍ୟାସ କରୁଛି...
ଆଜି ଆଉ ଦୁଇଟି ଶବ୍ଦ କଥା ମନେ ପକାଇବା।
(୧) ସେକୁଲାର - ଏହି ଶବ୍ଦର ଜନ୍ମ ବିଦେଶରେ। ସବୁ ଭାରତୀୟ ଭାଷାରେ ଏହାର ଅନୁବାଦ ହେଲା ଧର୍ମ ନିରପେକ୍ଷ। ପ୍ରକୃତରେ ଏହା ସେକୁଲାର ଶବ୍ଦର ଅର୍ଥକୁ ପ୍ରତିପାଦିତ କରୁ ନାହିଁ ବରଂ ବହୁ ଅନର୍ଥକୁ ଜନ୍ମ ଦେଇଛି। ଗତ ସପ୍ତାହରେ ଚାରି ପୁରୁଷାର୍ଥ ଆଲୋଚନା ସମୟରେ ଆମେ ଧର୍ମ ପୁରୁଷାର୍ଥର ଆଲୋଚନା କରିଥିଲେ। ଧର୍ମର ଦଶଟି ଲକ୍ଷଣ ଅଛି। ସବୁଗୁଡ଼ିକ ମାନବତା ପାଇଁ ଆବଶ୍ୟକ। ଭଲ ମଣିଷ ହେବା ପାଇଁ ଆବଶ୍ୟକ। ଆହାର ନିଦ୍ରା ଶ୍ଳୋକରେ ଆମେ ଦେଖିଲେ ଧର୍ମେଣ ହୀନା ପଶୁଭିଃ ସମାନା। ଆମର ଏଠି ଧର୍ମ ସାପେକ୍ଷ ରାଜ୍ୟ ଥିଲା। ଧର୍ମାଧିଷ୍ଠିତ ରାଜ୍ୟ ଥିଲା।
ଯେଉଁ ଦେଶରେ ସେକୁଲାର ଶବ୍ଦ ଜନ୍ମ ହେଲା ସେ ଦେଶର ପରିସ୍ଥିତି ଓ ଭାରତର ପରିସ୍ଥିତି ସମ୍ପୂର୍ଣ୍ଣ ବିପରୀତ। ସେଠାରେ ଷ୍ଟେଟ ପାୱାର ରିଲିଜିଅନ କବଳରୁ ବଞ୍ଚିବା ପାଇଁ ସେକୁଲାର ଶବ୍ଦ ସୃଷ୍ଟି ହେଲା।
ସେଠାରେ ରିଲିଜିଅନ ମୁଖିଆମାନେ ରାଜ୍ୟକୁ ବା ଶାସକକୁ ନିଜ କାର୍ଯ୍ୟରେ ଲଗାଇଲେ। ତେଣୁ ରାଜାମାନେ ଅତିଷ୍ଠ ହୋଇ ରିଲିଜିଅନ ମୁଖିଆଙ୍କୁ ରାଜ କାର୍ଯ୍ୟରେ ଦଖଲ ନ ଦେବା ପାଇଁ ସେକୁଲାର ରାସ୍ତା ବାହାର କଲେ। ରିଲିଜିଅନର ଅନୁବାଦ ମଧ୍ୟ ଧର୍ମ ହୋଇପାରିବ ନାହିଁ। ସେଠାରେ ସେକୁଲାର ରାଜନୈତିକ ଏକକ ହେଇପାରେ। କିନ୍ତୁ ଆମ ଦେଶରେ ତାର କୌଣସି ଆବଶ୍ୟକ ନାହିଁ।
ଆମ ଦେଶରେ ରାଜା ମହାରାଜାମାନେ ଧର୍ମଗୁରୁ, ମୁନି, ଋଷି, ସାଧୁ, ସନ୍ଥମାନଙ୍କ ଠାରୁ ଆଶୀର୍ବାଦ ପରାମର୍ଶ ନେବାର ଅନେକ ଉଦାହରଣ ମିଳିବ କିନ୍ତୁ ଏହାର ଓଲଟା ଉଦାହରଣ ଗୋଟିଏ ବି ମିଳିବ ନାହିଁ, ଯେଉଁଠି ଧର୍ମଗୁରୁ ଆସି କାହା ରାଜ୍ୟ ଛଡ଼ାଇ ନେଇଛନ୍ତି।
ତେଣୁ ସେକୁଲାର ଶବ୍ଦର ଅନୁବାଦ କରିବାର କିଛି ଆବଶ୍ୟକତା ନାହିଁ । ତାକୁ ସେଇ ସେକୁଲାର ଲେଖାଯାଉ। ସବୁ ଲୋକ ବୁଝିଯିବେ। ବହୁତ ସହଜରେ ବୁଝିବେ। ଖୁସି ହେବେ ଯାହା ହେଉ ଏଠି ଧର୍ମର ମର୍ଯ୍ୟାଦା ହାନୀ ହୋଇ ନାହିଁ।
କନଭର୍ସନ ଶବ୍ଦ ଧର୍ମାନ୍ତରିତ କେମିତି ହେଲା ?
କନଭର୍ସନ ଜାଗାରେ କନଭର୍ସନ ଲେଖାଯାଉ। ସେଥିରେ ବି ଧର୍ମକୁ କଦର୍ଯ୍ୟ କରା ନ ଯାଉ।
(୨) ଇଜିମ - ସେହିପରି ଆଉ ଏକ ଶବ୍ଦ ଇଜିମ। ପଶ୍ଚାତ୍ୟରେ ଇଜିମ ଭର୍ତ୍ତି ହୋଇଛି। ତାକୁ ଦେଖି ଆମେ ବି ଇଜିମର ଲେପ ଆମ ଦେହରେ ଘଷିବାକୁ ଚେଷ୍ଟା କରୁଛୁ। ଇଜିମ ଭିତରେ ଅହଂକାର ଓ ଅଭିନିବେଶ ଭର୍ତ୍ତି ହୋଇରହିଛି। କାରଣ ଆମ ରାଷ୍ଟ୍ର କଳ୍ପନା ଓ ତାଙ୍କ ରାଷ୍ଟ୍ର କଳ୍ପନା ଭିତରେ ଆକାଶ ପାତାଳ ଅନ୍ତର।
ତାଙ୍କର ରାଜ୍ୟ ଆଧାରିତ ରାଷ୍ଟ୍ର ନିର୍ମାଣ ହେଲା। ରାଜ୍ୟ ବୃଦ୍ଧି ପାଇଁ ଯୁଦ୍ଧ, ହିଂସା, ଅତ୍ୟାଚାରର ସାହାରା ନିଆଗଲା। ଆମର ଏଠି ରାଷ୍ଟ୍ର ରାଜନୈତିକ ନୁହଁ ସାଂସ୍କୃତିକ ବା ଜୀବନ ଦୃଷ୍ଟି ଆଧାରିତ। ଆଜି ପର୍ଯ୍ୟନ୍ତ ଆମେ ରାଜ୍ୟ ବୃଦ୍ଧି କରିବା ପାଇଁ କୁଆଡ଼େ ଯୁଦ୍ଧ କରିବାକୁ ଯାଇଛନ୍ତି, ଏପରି ଇତିହାସ ଗୋଟିଏ ବି ମିଳିବ ନାହିଁ।
ଏଥିପାଇଁ ନେସନାଲିଜିମକୁ ଆମେ ରାଷ୍ଟ୍ରବାଦ ବା ନିଜକୁ ରାଷ୍ଟ୍ରବାଦୀ କହିବାର କିଛି ଆବଶ୍ୟକତା ନାହିଁ। ରାଷ୍ଟ୍ରୀୟ ଶବ୍ଦ ଏଥିପାଇଁ ପର୍ଯ୍ୟାପ୍ତ। ରାଷ୍ଟ୍ରବାଦୀ ଲେଖକ, ରାଷ୍ଟ୍ରବାଦୀ ସାମ୍ବାଦିକତା ଇତ୍ୟାଦି ସ୍ଥାନରେ ରାଷ୍ଟ୍ରୀୟ ଲେଖକ, ରାଷ୍ଟ୍ରୀୟ ସାମ୍ବାଦିକତା ଲେଖିଲେ କିଛି ଅଶୁଦ୍ଧି ହେବ ନାହିଁ।
କେବେ ସେ ସୁଦିନ ଆସିବ ? ସିଂହ ନିଜକୁ ବିଲୁଆ ଭଳି ସଜାଇବା କେବେ ଛାଡ଼ିବ ??
୧. ୫. ୧୮

No comments:
Post a Comment