Monday, 23 April 2018

* ଦୋ ଛକିରେ ଆମେ*

ଆଜିକାଲି ଆମ ଗାଁ ଗଣ୍ଡା ସହରବଜାର ଗଳିକନ୍ଦି ପୁରପଲ୍ଲୀ ସବୁଠି ଦେଖିବାକୁ ମିଳେ ଇଂରାଜୀ ମାଧ୍ୟମ ବିଦ୍ୟାଳୟ। ଅଭିଭାବକମାନେ ଭାବନ୍ତି ପିଲାମାନଙ୍କ ଭବିଷ୍ୟତକୁ ବିଚକ୍ଷଣ ଓ ଶ୍ରେଷ୍ଠ ମାର୍ଗଦର୍ଶନ ପାଇଁ ଇଂରେଜୀ ମାଧ୍ୟମ ଶିକ୍ଷା ହିଁ ଅତ୍ୟୁତ୍ତମ। ଏହାକୁ ଆଖି ଆଗରେ ରଖି ପିତାମାତା ତଥା ଅଭିଭାବକମାନେ ପଢ଼ାର ବ୍ୟୟଭାର ଯେତେ ଅଧିକା ହେଲେ ମଧ୍ୟ ନିଜ ପେଟରୁକାଟି ଏହି ଇଂରେଜୀ ମାଧ୍ୟମ ବିଦ୍ୟାଳୟରେ ତାଙ୍କ ପିଲାମାନଙ୍କୁ ପଢ଼ାଇବାକୁ ଶ୍ରେୟ ମଣନ୍ତି। କିନ୍ତୁ ସେମାନେ ଭୁଲି ଯାଆନ୍ତି ଗୋଟିଏ ଭାଷା ଏକ ନିର୍ଦ୍ଦିଷ୍ଟ ଭୂଖଣ୍ଡରୁ ଜନ୍ମ ନେଇଥାଏ। ବିଶେଷକରି ସେହି ନିର୍ଦ୍ଦିଷ୍ଟ ରାଷ୍ଟ୍ରର ପରିବେଶ, ବଞ୍ଚିବାର ଆଧାର, ଜୀବନ ଚଳଣୀରୁ ସାଧାରଣତଃ ଭାଷା ଜନ୍ମ ନିଏ। ଆମେରିକାର ଲୋକ ସଂସ୍କୃତିକୁ ଆଣି ଆଫ୍ରିକାରେ ପ୍ରବେଶ କରାଇଲେ ସମୃଦ୍ଧି ଆସେନି କିମ୍ବା ମଙ୍ଗୋଲିଆର ଭାଷା ସଂସ୍କୃତିକୁ ନେଇ ଲଣ୍ଡନରେ ବ୍ୟବହାର କରିବାକୁ ଚାହିଁଲେ ତାହା ସେଠାରେ ଖାପଖାଇ ପାରେ ନାହିଁ। ପ୍ରତିଟି ରାଷ୍ଟ୍ରର ଭୌଗୋଳିକ ପରିସୀମା ଅଭ୍ୟନ୍ତରରେ ଥିବା ସାଧନଗୁଡ଼ିକୁ ନେଇ ପରିବେଶର ସୃଷ୍ଟି। ପୁଣି ପରିବେଶ ଭାଷା ଏବଂ ସେଠିକାର ଲୋକଙ୍କ ଚଳଣୀକୁ ନେଇ ସଂସ୍କୃତି ଓ ସାହିତ୍ୟକୁ ଜନ୍ମ ଦେଇଥାଏ।

ସଂସ୍କୃତିର ବାହକ ହେଉଛି ଭାଷା। ପୁଣି ଗୋଟିଏ ରାଷ୍ଟ୍ରୀୟ ଭୂଖଣ୍ଡରୁ ଅନ୍ୟ ଏକ ରାଷ୍ଟ୍ର ପାଇଁ ଏହାର ପାର୍ଥକ୍ୟ ସୁସ୍ପଷ୍ଟ। ଭାରତ ଭଳି ବିଶାଳ ଭୂଖଣ୍ଡରେ ଗଢ଼ି ଉଠିଥିବା ସମସ୍ତ ଭାଷାର ଉତ୍ସ ଗୋଟିଏ। ପୁରାଣ, ରାମାୟଣ, ମହାଭାରତ, ଭାଗବତ, ଗୀତା, ବେଦ, ଉପନିଷଦ, ଗୁରୁ ଶିଷ୍ୟ ପରମ୍ପରା, ଭକ୍ତି ଜ୍ଞାନ ସମୃଦ୍ଧ ଆଦର୍ଶ ଗୁଣାବଳୀ ହିଁ ସମାନ ଭାବରେ ଆମର ସମସ୍ତ ଭାରତୀୟ ଭାଷା ସାହିତ୍ୟରେ ଦେଖିବାକୁ ମିଳେ। ଏ ସମସ୍ତ ଭାଷାର ଘୋଷା ପଦ ଗୋଟିଏ। ତାହା ହେଉଛି ଭାରତୀୟ ସଂସ୍କୃତି। ଭୂଖଣ୍ଡ ବଦଳିଗଲେ ରାଷ୍ଟ୍ର ବଦଳିଯାଏ। ସଂସ୍କୃତି ବଦଳିଯାଏ। ଯାହାକୁ ଆମେ କହୁ ବିଦେଶୀ ଭାଷା ଓ ବିଦେଶୀ ସଂସ୍କୃତି। ଆମ ଭାରତ ଏକ ଉଚ୍ଚ ଅଧ୍ୟାତ୍ମ ମନସ୍କ ମୁନି ଋଷିମାନଙ୍କ ଧ୍ୟାନପ୍ରସୂତ ତପଶ୍ଚରଣ ତଥା ସଂଯମଶୀଳ, ଇନ୍ଦ୍ରିୟ ପ୍ରବୃତ୍ତି ମାର୍ଗ ନିଗ୍ରହର ଦେଶ। ଇଂଲଣ୍ଡ ଏକ ଉଗ୍ର-ଆଧୁନିକ, ପାଶ୍ଚାତ୍ୟ ସଂସ୍କୃତିର ସାମୟିକ ଭୋଗଲିପ୍ସୁ ତଥା ଇନ୍ଦ୍ରିୟଭୋଗକୁ ପ୍ରୋତ୍ସାହିତ କରୁଥିବା ଅଧିବାସୀଙ୍କ ଦେଶ କହିଲେ ଭୁଲ ହେବ ନାହିଁ। ଆମ ଦେଶରେ ଗ୍ରୀଷ୍ମର ପ୍ରାବଲ୍ୟ ଥିବାବେଳେ ସେଠାରେ ଶୀତର ପ୍ରାବାଲ୍ୟ ଥାଏ। ଆମ ପାଇଁ ଧୋତି ଗାମୁଛା ଅବା ଖୋଲା ଦେହରେ ରହିଲେ ଚଳେ କିନ୍ତୁ ସେଠାରେ କୋଟ, ବୁଟ, ସୁଟ,  ଟାଇ ନ ପିନ୍ଧିଲେ ସେଠାକାର ଶୀତ ତାଙ୍କ ମଗଜ ଭାଙ୍ଗି ଦିଏ। ଏଭଳି ସ୍ଥଳେ ଗ୍ରୀଷ୍ମ ଅନୁଭୂତ ଜଳବାୟୁରେ ମଧ୍ୟ ଆମେ ଇଂରେଜଙ୍କୁ ଅନ୍ଧାନୁକରଣ କରି ଅଧିକା ସଭ୍ୟ, ଅଧିକା ଆଧୁନିକ ହେଇଯିବା ଲୋଭରେ କୋଟ, କମିଜ, ସୁଟ, ବୁଟ, ଟାଇ ଆଦି ପିନ୍ଧି ବ୍ରିଟିଶରମାନଙ୍କ ଢାଞ୍ଚାରେ ନିଜକୁ ସଜାଇବାରେ ବ୍ୟସ୍ତ।

ଯେଉଁମାନେ ସ୍ୱାର୍ଥସିଦ୍ଧ ଭୋଗ ଲାଳସାକୁ ତାଙ୍କ ସଂସ୍କୃତିର ବୀଜ ମନ୍ତ୍ର ଭାବେ ଗ୍ରହଣ କରିଥାନ୍ତି ସେମାନେ କୁଆଡୁ ସମାନ ହେବେ ଆମ ଜୀବନ ଉତ୍ସର୍ଗୀକୃତ ତ୍ୟାଗ, ଆତ୍ମଶୋଧନ, ସହନଶୀଳ, ନିର୍ଲୋଭ, ବିଶ୍ଵହିତୈଷୀ ସଂସ୍କୃତିର ଅଭ୍ୟୁଦୟ ସାଙ୍ଗରେ ? ତଥାପି ଆମେ ଅନ୍ଧ।

ପାଶ୍ଚାତ୍ୟ ରାଷ୍ଟ୍ରରେ ଜରାଶ୍ରମ ନୁହଁ ତ ଆମ ଭଳି ଶ୍ରବଣ କୁମାରଙ୍କ ପିତୃମାତୃ ଗୁରୁଜନଙ୍କ ଭକ୍ତି ଆଉ ସେବା ପରିଚର୍ଯ୍ୟା ଆସିବ କୁଆଡୁ ?  ଆମ ପିତୃ ପିତାମହଙ୍କ ପ୍ରାଚୀନ ସଂସ୍କୃତିସମ୍ପନ୍ନ ଶିକ୍ଷାର ପରମ୍ପରାକୁ ଛାଡ଼ି ସେମାନଙ୍କ ସଂସ୍କୃତି, ଜୀବନ ଧାରା, ଭାଷା ସାହିତ୍ୟ, ତଥା ଇଂରାଜୀ ଶିକ୍ଷା ମାଧ୍ୟମକୁ ଆପଣେଇ ନେଲେ  ଆମେ ବାପା ମାଆମାନେ ଜରାଶ୍ରମରେ ଶେଷ ଜୀବନ କାଟାଇବାନି ତ' ଆଉ କେଉଁଠି କ'ଣ ନିଜ ଜ୍ଞାତି କୁଟୁମ୍ବ ପୁଅ ଝିଅର ସେବା ପାଇବାର ଆଶା ରଖିବା ?  

ଆମ ସାଂସ୍କୃତିକ ପରମ୍ପରାରେ ବିବାହ ଏକ ପବିତ୍ର,  ଧାର୍ମିକ, ଜନ୍ମ ଜନ୍ମାନ୍ତରର ଅବିଚ୍ଛେଦ୍ୟ ସମ୍ପର୍କର ସେତୁ ହୋଇଥିଲା ବେଳେ  ପାଶ୍ଚାତ୍ୟର  କାମନାଲିପ୍ସୁ, ଅସହନଶୀଳ,  ଭୋଗସର୍ବସ୍ୱ, ବ୍ୟବସାୟିକ ଚୁକ୍ତି ସମ୍ପନ୍ନ ବୈବାହିକ ସମ୍ପର୍କର ମୁହୂର୍ମୁହୂ ବିବାହ ବିଚ୍ଛେଦ ସଂସ୍କୃତିରୁ ଆମେ ଶିଖିବା କଣ ? 

କୃଷ୍ଣ ସୁଦାମାଙ୍କ ଭଳି ଚିରନ୍ତନ ବିଶ୍ଵସନୀୟ ମିତ୍ରତାର ଶତ ସହସ୍ର ଉଦାହରଣ ଆମ ସଂସ୍କୃତିରେ ଛାଇ ହୋଇ ରହିଥିବା ବେଳେ ଆମେ ମୁର୍ଖତାର ପରିଚୟ ଦେଇ ଚାଲି ଯାଉଛେ ପଶ୍ଚାତ୍ୟ ହାଲୋହାଇ-ର ଅବିଶ୍ୱସନୀୟ, ଅଶାଶ୍ୱତ, କୃତ୍ରିମ ମିତ୍ରତାର ସମ୍ପର୍କ ବଢ଼ାଇବାକୁ।
ଏଭଳି ସ୍ଥିତିରେ ଆମେ କଣ ଭାବୁଛେ ବୃଦ୍ଧ କାଳରେ ଆମ ଇଂରେଜୀ ପଢୁଆ ପୁଅ ଝିଅ ଆମକୁ ତାଙ୍କରି ପାଖରେ ରଖି ଶେଷ ଜୀବନରେ ଆମ ସେବା କରିବେ  ନା ସରକାରୀ ଅବା ଘରୋଇ ସ୍ତରରେ ବ୍ୟବସାୟ ପାଇଁ ଗଢ଼ି ଉଠିଥିବା କୌଣସି ଏକ ଓଲ୍ଡ ଏଜ ହୋମରେ ଛାଡ଼ିଦେଇ ଶାନ୍ତିରେ ନିଶ୍ୱାସ ମାରିବେ ! ଯା, ମଣିଷ ବଞ୍ଚି ଗଲା ଏ ଅପାରଗ ଅକ୍ଷମ ଚଳତ ଶକ୍ତି ହୀନ ମରୁ ନ ଥିବା ବୁଢ଼ାବୁଢ଼ୀଙ୍କ ଦାଉରୁ।

ଆପଣ କ'ଣ ଚାହୁଁଛନ୍ତି ନିଜେ ସ୍ଥିର କରନ୍ତୁ -
ପିଲାଙ୍କୁ ଭରତୀୟତାର ଶିକ୍ଷା ପଦ୍ଧତିରେ ରଖିବେ
ନା
ଅଧିକା ବିଚକ୍ଷଣ ଅଧିକା ଅର୍ଥ ଉପାର୍ଜନ କରିବାର ଲୋଭରେ 
ପାଶ୍ଚାତ୍ୟ ଢାଞ୍ଚାରେ ବଢ଼େଇ ଶାନ୍ତି ଓ ଶାନ୍ତ୍ୱନା ପାଇବେ ?

୨୩. ୪. ୧୮

No comments: