Thursday, 19 April 2018

*ଶିକ୍ଷା ଓ ସ୍ୱାଧ୍ୟାୟ*

ଅତୀତରୁ ଜୀବନୀଶକ୍ତି ଆହରଣ କରିଥାଏ ବର୍ତ୍ତମାନ।
କୌଣସି ବି ଦେଶର ଅତୀତ ତା'ର ବର୍ତ୍ତମାନ ଓ ଭବିଷ୍ୟତର କେବଳ ପ୍ରେରଣା ସ୍ରୋତ ହୋଇ ନ ଥାଏ ବରଂ ତା'ର ଜୀବନ ନିର୍ମାଣର ଆଧାର ହୋଇଥାଏ।
ଦେଶର ବର୍ତ୍ତମାନର ଶିକ୍ଷା ସମ୍ବନ୍ଧୀୟ ସମସ୍ୟାକୁ ବିଚାର କରିବାକୁ ଗଲେ ଆମକୁ ମଧ୍ଯ ଆମର ସେହି  ପ୍ରାଚୀନ ସମୃଦ୍ଧ ପରମ୍ପରାର ଅଧ୍ୟୟନ କରିବାକୁ ହେବ।

ଅଧ୍ୟାତ୍ମ ଓ ସାହିତ୍ୟ ହେଉଛି ଭାରତର ପ୍ରାଣ। କୌଣସି ରାଷ୍ଟ୍ରର ଅନ୍ତର୍ନିହିତ ବିକାଶ ପାଇଁ ଏହାର ଭୂମିକା ଅତ୍ୟନ୍ତ  ମହତ୍ତ୍ୱପୂର୍ଣ୍ଣ। ଭାରତୀୟ ଦର୍ଶନ ସମ୍ପୂର୍ଣ୍ଣଭାବେ ଏହାରି ଉପରେ ଆଧାରିତ। ଏହାକୁ ଅନୁଶୃତ କରି ପ୍ରାଚୀନ କାଳରେ ମୁନି ଋଷିମାନେ ଗୁରୁଶିଷ୍ୟ ପରମ୍ପରାର ଶିକ୍ଷା ପଦ୍ଧତି ପ୍ରତିଷ୍ଠା କରିଥିଲେ। ଯେଉଁଥିରେ ଜ୍ଞାନର ପରିପୂର୍ଣ୍ଣତା ପାଇଁ ସ୍ୱାଧ୍ୟାୟ ଏକ ବିଶେଷ ଭୂମିକା ଗ୍ରହଣ କରୁଥିଲା । କିନ୍ତୁ ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥାରେ ସ୍ୱାଧ୍ୟାୟ ନାହିଁ କହିଲେ ଚଳେ। ସ୍ୱାଧ୍ୟାୟ ଭଳି ଆତ୍ମଚିନ୍ତନରୁ କର୍ତ୍ତବ୍ୟନିଷ୍ଠା, ଆତ୍ମସମୀକ୍ଷଣ, ମାନବିକତା, ବୈଚାରିକ ଶୁଦ୍ଧତା ଆଦି ଗୁଣାବଳୀର ଜନ୍ମ। ଯାହାକୁ ନେଇ ଜୀବନ ନିର୍ବାହର ଧାରା ପରିସ୍କୃତ ହୋଇଥାଏ।

ଜୀବନ ନିର୍ବାହର ସବିଶେଷ ନିର୍ଯାସ ହେଉଛି ସାହିତ୍ୟ; ସମାଜ ଓ ସଂସ୍କୃତିର ଜୀବନ୍ତ ଦଲିଲ। ଜୀବନ ନିର୍ମାଣରେ ଭାରତୀୟ ସାହିତ୍ୟ ଓ ଦର୍ଶନ ଏକ ଅମୂଲ୍ୟ ନିଧି; ଆମ ରାଷ୍ଟ୍ରର ଭୂଷଣ। ଯାହାର ଆଭା ଦ୍ୱାରା ବିଶ୍ୱ ଆକାଶରେ ଭାରତୀୟ ସଂସ୍କୃତି ପ୍ରତିଭାତ। କିନ୍ତୁ ସ୍ୱାଧ୍ୟାୟସୃଷ୍ଟ ସାହିତ୍ୟର ଅନୁପସ୍ଥିତି ଆଜି ଆମ ରାଷ୍ଟ୍ର ପାଇଁ ଏକ ବିଷମ ପରିସ୍ଥିତି ସୃଷ୍ଟି କରିଛି। ଏହି ସବୁ କାରଣରୁ ପ୍ରଭାବିତ ହେଉଛି ଆମର ରାଷ୍ଟ୍ର ଓ ତାର ଭବିଷ୍ୟତ। ଯାହା ଆମ ଦେଶରେ ଶିକ୍ଷାର ମାନ ଓ ଗୁଣବତ୍ତାର ସ୍ତରକୁ ନ୍ୟୁନ  କରିବାରେ ଲାଗିଛି।

ମାନବୀୟ ଉତ୍ଥାନର ଏକମାତ୍ର ଆଧାର ହେଲା ସ୍ୱାଧ୍ୟାୟପୂର୍ଣ୍ଣ ଶିକ୍ଷାରୁ ସୃଷ୍ଟ ସାହିତ୍ୟ ଯାହା ବିଶୁଦ୍ଧ ରାଷ୍ଟ୍ର ନିର୍ମାଣରେ ସହାୟକ ହୋଇଥାଏ। ଏଣୁ ଆମ ପାଇଁ ବର୍ତ୍ତମାନର ଆବଶ୍ୟକତା ହେଉଛି ଶିକ୍ଷା ମାଧ୍ୟମରେ ଭାରତୀୟ ଦର୍ଶନ, ସାହିତ୍ୟ ଓ ସଂସ୍କୃତିକୁ ଆମ ଯୁବ ପିଢ଼ିଙ୍କ ପାଖରେ ପହଞ୍ଚାଇ ଆମ ରାଷ୍ଟ୍ର ପାଇଁ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ଯଦ୍ବାରା ଆମେ ଆମର ପୂର୍ବ ସଂସ୍କୃତି ଓ ଐତିହ୍ୟକୁ ନେଇ ବିଶ୍ବଗୁରୁ ଭାବରେ ଭାରତକୁ ପୁନଃ ପ୍ରତିଷ୍ଠିତ କରାଇବା ସହ ସମସ୍ତ କ୍ଷେତ୍ରରେ ପୂର୍ଣ୍ଣ ବୈଭବ ପ୍ରାପ୍ତ କରିପାରିବା।  ଏହାରି ମାଧ୍ୟମରେ ହିଁ ଗୋଟିଏ ରାଷ୍ଟ୍ର ନିଜର ଆର୍ଥିକ, ସାମାଜିକ, ରାଜନୈତିକ ଏବଂ ସାଂସ୍କୃତିକ ଉନ୍ନତି କରିଥାଏ। ଏଥିପାଇଁ ଶିକ୍ଷାର ପ୍ରସାରକୁ କେବଳ ସିଦ୍ଧାନ୍ତ କିମ୍ବା ଆଦର୍ଶ ଭାବରେ ନୁହେଁ ବରଂ ଏହା କିପରି ଠିକ୍ ଭାବେ ଲାଗୁ କରିହେବ ତା ପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରିବାକୁ ପଡ଼ିବ। 

କ୍ରମଶଃ....

୧୯. ୪. ୧୮

No comments: