Sunday, 22 April 2018

*ଓଁ ମିତ୍ରାୟ ନମଃ*

ଏ ସୃଷ୍ଟିର ଆଦି ଦେବତା ସୂର୍ଯ୍ୟ । ସେ ହେଉଛନ୍ତି ଅମାପ ଶକ୍ତିର ଭଣ୍ଡାର। ଆଦିମ କାଳରୁ ଆମ ସଭ୍ୟତା ସଂସ୍କୃତି ଓ ସାହିତ୍ୟରେ ସୂର୍ଯ୍ୟ ଦେବତାଙ୍କ ଉପାସନା ରହି ଆସିଛି। ସୂର୍ଯ୍ୟ ଏଇ ଗ୍ରହ ମଣ୍ଡଳର ଅଧିକାରୀ । ତାଙ୍କୁ ନେଇ ଏ ସୃଷ୍ଟି। କେତେ ବଡ଼ ସେ ପରାକ୍ରମଶାଳୀ ନୁହନ୍ତି ସତେ ! ତଥାପି ତାଙ୍କରି ଠାରେ ଅହଂକାରର ଲେଶ ମାତ୍ର ଦେଖାଯାଏ ନାହିଁ। ସୃଷ୍ଟିର ଅଧିକାରୀ ହୋଇ ମଧ୍ୟ କେବେ କ୍ଷଣଟିଏ ପାଇଁ ବି ସେ ତାଙ୍କ ସୃଷ୍ଟ ଏ ସୃଷ୍ଟିର ସେବାରୁ ବିରତ ହୋଇ ନାହାନ୍ତି। ପ୍ରତିଦିନ ପ୍ରତ୍ୟୁଷରୁ ପୂର୍ବ ଦିଗନ୍ତରେ ଅରୁଣିମାର ଆଭା ପ୍ରକଟ କରି ସେ ଉଭା ହୁଅନ୍ତି । ଆରମ୍ଭ ହୁଏ ତାଙ୍କ ନିତ୍ୟ ନୈମିତ୍ତିକ ଯାତ୍ରା ସୃଷ୍ଟିର ତଥା ଜଡ଼ ଜୀବ ସମ୍ଭାରର ସେବାରେ । ମନରେ ଦ୍ଵିଧା ନାହିଁ। ନିରଳସ ଓ ନିଃସ୍ୱାର୍ଥ ପର ଭାବନାରେ ଏ ଦିବ୍ୟ ଅନୁଭବ ନେଇ ସଂସାରରେ ପ୍ରାଣ ପ୍ରତିଷ୍ଠା କରିଥାନ୍ତି ସିଏ। ଆମେ ମଣିଷମାନେ ପର ଅପର, ଧର୍ମ ଅଧର୍ମ, କାମ କ୍ରୋଧ, ଇର୍ଷା, ଲୋଭ, ହିଂସା ଆଦି ଲାଳସାର ଉପକ୍ରମରେ ସଦା ବ୍ୟଥିତ। ଆମ ଭିତରେ ଚାରିତ୍ରିକ ଗୁଣ ଗାରିମାରେ ସ୍ଥିରତା ନାହିଁ। କାମନାର ବିନାଶରେ ଦୁଃଖର ବିନାଶକୁ ଭୁଲି ସଦାସର୍ଵଦା ନିଜର ଆଶା ପୂରଣ କରିବା ପଛରେ ଦୌଡ଼ିବାରେ ବ୍ୟସ୍ତ। ସମାଜ ତଥା ଅନ୍ୟର ଉପକାର, ମୁମୂର୍ଷୁକୁ କିଛି ଶାନ୍ତ୍ୱନାର ବାରିଧାରା, କ୍ଷୁଧିତକୁ ମୁଠାଏ ଖାଦ୍ୟ, ତୃଷିତକୁ ଟୋପାଏ ଜଳ ଦାନ କରିବାର ଇଚ୍ଛା ବି ଆମ ଭିତରେ ପ୍ରକଟ ହୁଏ ନାହିଁ ବରଂ ଦୁର୍ଘଟଣାଗ୍ରସ୍ତ ମୁମୂର୍ଷୁ ମଣିଷମାନଙ୍କୁ ଶୋଷଣକରି ଲୁଣ୍ଠିତ ଧନ ଦ୍ରବ୍ୟ ସଞ୍ଚିତ କରିବାରେ ବ୍ୟସ୍ତ। ସୂର୍ଯ୍ୟ କେତେବଡ଼ ପରାକ୍ରମଶାଳୀ ଦେବତା ନୁହନ୍ତି ସତେ ! ତଥାପି ତାଙ୍କରିଠାରେ ସେବାରେ କାର୍ପଣ୍ୟତା ନାହିଁ। ପୁତି ଗନ୍ଧମୟ ଅପଦାର୍ଥରେ ସେ ଯେଭଳି ରଶ୍ମି ନିପତିତ କରାନ୍ତି ମହମହ ବାସୁଥିବା ଫୁଲର ବାଟିକାରେ ମଧ୍ୟ ସେତିକି ଦୃଷ୍ଟି ନିକ୍ଷେପ କରିଥାନ୍ତି। ଏ ଦୁନିଆଁ ହେଉଛି ତାଙ୍କରି ସେବାର ସମୁଜ୍ଜ୍ଵଳ ଧରିତ୍ରୀ। ଏହାଠୁ ବଳି ସମାନତା, ନିଃସ୍ୱାର୍ଥପରତା, କର୍ତ୍ତବ୍ୟପରାୟଣତା ଓ ଘୃଣାରହିତ ସେବା ମନୋଭାବର ଦୃଷ୍ଟାନ୍ତ ଆଉ ଅଧିକା କଣ ବା ଥାଇ ପାରେ ! ଆସନ୍ତୁ; ନିଜକୁ ନିଜ ଭିତରେ ସୀମିତ କରି ନ ଦେଇ ଏ ସୃଷ୍ଟିର ଜାଗତିକ ସେବାରେ ମନୋନିବେଶ କରି 'ଓଁ ମିତ୍ରାୟ ନମଃ' କହି ତାଙ୍କୁ ହିଁ ପ୍ରଣାମ କରିବା।

୨୨. ୪. ୧୮

No comments: