ମନୁଷ୍ୟ ତାର ଅନ୍ତର୍ନିହିତ ବିବେକ ତଥା ବିବେଚନାର ଶକ୍ତି ପାଇଁ ପଶୁଠାରୁ ଭିନ୍ନ। ଏଣୁ କୁହାଯାଇଛି -
ଆହାର ନିଦ୍ରା ଭୟ ମୈଥୁନଂ ଚ
ସାମାନ୍ୟମେତତ୍ ପଶୁଭିର୍ନରାଣାମ୍।
ଧର୍ମୋ ହି ତେଷାମଧିକୋ ବିଶେଷଃ
ଧର୍ମେଣ ହୀନାଃ ପଶୁଭିଃ ସାମାନାଃ।।
ଆହାର, ନିଦ୍ରା, ଭୟ, ମୈଥୁନ ପଶୁଠାରେ ଯେମିତି ଅଛି ମନୁଷ୍ୟଠାରେ ସେହିପରି ଅଛି; କିନ୍ତୁ ମନୁଷ୍ୟ ପାଖରେ ଅଛି ଧର୍ମରୁ ସୃଷ୍ଟ ବିବେକ ବା ବିବେଚନାର ଶକ୍ତି। ଯାହାର ଆଚରଣ ବିନା ସେ ପଶୁ ତୁଲ୍ୟ।
ଯେଉଁ ଅଦୃଶ୍ୟ ଶକ୍ତି ଆମକୁ ଧରି ରଖିଛି ବା ବାନ୍ଧି ରଖିଛି ତାହା ହିଁ ଧର୍ମ। 'ଧାରୟତେ ଇତି ଧର୍ମ' ଧରି ରଖିବା ବା ଧାରଣ କରିବା ହିଁ ଧର୍ମର କର୍ତ୍ତବ୍ୟ।
ଆମ ପରିବାର ଭିତରେ ପିତାମାତାଙ୍କ ଧର୍ମ ପୁଅ ଝିଅଙ୍କୁ ଲାଳନ ପାଳନ କରିବା, ପୁଅ ଝିଅଙ୍କ ଧର୍ମ ପିତାମାତାଙ୍କ ଆଜ୍ଞାକୁ ପାଳନ କରିବା। ସେହିପରି ପ୍ରତ୍ୟେକ ସଦସ୍ୟଙ୍କର ଧର୍ମ ଅଲଗା। ଗୁରୁଙ୍କ ଧର୍ମ ଯାହା ଶିଷ୍ୟର ଧର୍ମ ସେଇଆ ନୁହଁ। ନିଜ ବିବେକ ଦ୍ୱାରା ପ୍ରତ୍ୟେକଙ୍କ ପ୍ରତି ଅଲଗା ଅଲଗା ଦାୟିତ୍ୱ ବା କର୍ତ୍ତବ୍ୟ ପାଳନ କରିବାକୁ ପଡ଼େ, ଯାହା ଧର୍ମ ଉପରେ ପର୍ଯ୍ୟବେସିତ। ବ୍ୟକ୍ତିର ବ୍ୟକ୍ତି ପ୍ରତି କର୍ତ୍ତବ୍ୟ ପାଳନ କରିବାକୁ ବ୍ୟକ୍ତି ଧର୍ମ କୁହାଯାଏ। ବ୍ୟକ୍ତି ସମାଜ ପ୍ରତି କର୍ତ୍ତବ୍ୟ ପାଳନ ବେଳେ ସେ ସମାଜ ଧର୍ମ ପାଳନ କରେ। କେବଳ ପରିବାର, ବନ୍ଧୁବର୍ଗ, ସମାଜ ପ୍ରତି ଆମର ଯେ କର୍ତ୍ତବ୍ୟ ରହିଛି ତାହା ନୁହଁ, ଆମର ମଧ୍ୟ ଏ ପୃଥିବୀ, ଏ ପରିବେଶକୁ ପରିପୁଷ୍ଟ କରିବାର ଦାୟିତ୍ୱ ରହିଛି।
ମହାରାଜ ଯୁଧିଷ୍ଠିର ଆଦର୍ଶ ରାଜ୍ୟର ଲକ୍ଷଣ କ'ଣ ବୋଲି ଭୀଷ୍ମଙ୍କୁ ପଚାରିବାରୁ ପିତାମହ ଭୀଷ୍ମ ଉତ୍ତରରେ ସେ ସମୟରେ ଥିବା ଆଦର୍ଶ ରାଜ୍ୟର କଥା ବର୍ଣ୍ଣନା କରି କହିଲେ,
"ନ ରାଜ୍ୟଂ ନୈବ ରାଜାସୀତ୍
ନ ଦଣ୍ଡ୍ୟୋ ନ ଚ ଦାଣ୍ଡିକଃ।
ଧର୍ମେଣେଇବ ପ୍ରଜା ସର୍ବେ
ରକ୍ଷନ୍ତି ସ୍ମ ପରସ୍ପରମ।।"
ଆମ ପ୍ରାଚୀନ ସଂସ୍କୃତିରେ ସାରା ବିଶ୍ୱକୁ ଏକ କୁଟୁମ୍ବ ଭାବେ ଗ୍ରହଣ କରାଯାଉଥିଲା। ସେଥିରେ ରାଜ୍ୟର
ସଂକୀର୍ଣ୍ଣ ଚଉହଦୀ ଅବା ରାଜ୍ୟ ଶାସନ ବା ଶାସକର ଆବଶ୍ୟକତା ରହୁ ନ ଥିଲା। ଏହି ଧର୍ମ ଜ୍ଞାନ ହିଁ ସମସ୍ତଙ୍କୁ ସୁଚାରୁ ରୂପେ ଚଳାଇ ନେଉଥିଲା। ଏଥିରେ ସମସ୍ତେ ସମସ୍ତଙ୍କ ଧର୍ମ ତଥା କର୍ତ୍ତବ୍ୟ ପାଳନ କରୁଥିଲେ। ତେଣୁ ଶାସନ ଓ ଶାସକର ଆବଶ୍ୟକତା ହିଁ ନ ଥିଲା। ଏଭଳି ସ୍ଥଳେ ଦଣ୍ଡ୍ୟୋ (ଦଣ୍ଡ ପାଇବା ବ୍ୟକ୍ତି) ଓ ଦାଣ୍ଡିକ (ଦଣ୍ଡ ଦେବା ବ୍ୟକ୍ତି)ର ପ୍ରୟୋଜନ ରହୁ ନ ଥିଲା। ସେ'ବେଳର ସମାଜରେ କେହି ବି ନିଜର କର୍ତ୍ତବ୍ୟ ପାଳନ ବା ଧର୍ମରୁ ବିଚ୍ୟୁତ ହେଉ ନ ଥିଲେ। ସେଥିରେ ଦୋଷ, ଦୋଷୀ ଅବା ଦୋଷକୁ ଦଣ୍ଡ ଦେବା ପାଇଁ ଆଜି ଭଳି ଏତେ ଆଇନ କାନୁନ୍ କଟକଣା, ପୋଲିସବାହିନୀ, ନ୍ୟାୟାଧୀଶ ଏ ସମସ୍ତ ବ୍ୟବସ୍ଥାର ଆବଶ୍ୟକତା ପଡୁ ନ ଥିଲା। ଯେତେବେଳେ ଏ ମଣିଷ ପାପ ଚିନ୍ତନ ଦ୍ୱାରା ସ୍ୱାର୍ଥର ଅନ୍ୱେଷଣ କରିବାରେ ଲାଗିଲା ସେବଠାରୁ ଧର୍ମଚ୍ୟୁତ ହେବା ଆରମ୍ଭ ହେଲା ଓ ସମସ୍ତଙ୍କୁ ସମସ୍ତେ ଧର୍ମ ବାଟରେ କର୍ତ୍ତବ୍ୟ ସାଧନ କରିବା ପାଇଁ ବାଧ୍ୟ କରିବାକୁ ଲାଗିଲେ। ସେଇଠୁ ସୃଷ୍ଟି ହେଲା ରାଜ୍ୟ, ରାଜା, ପ୍ରଜା, ଦଣ୍ଡ, ଦଣ୍ଡ୍ୟୋ ଓ ଦାଣ୍ଡିକଙ୍କ ବିଧି ବିଧାନ ତଥା ଶାସନ ବ୍ୟବସ୍ଥା।
ଆଦ୍ୟ ମାନବ ସଂସ୍କୃତିର କର୍ଣ୍ଣଧାର ମନୁ ଧର୍ମର ଲକ୍ଷଣ ବିଷୟରେ ଉଲ୍ଲେଖ କରିବାକୁ ଯାଇ କହିଛନ୍ତି -
ଧୃତି କ୍ଷମା ଦମସ୍ତେୟଂ ଶୌଚଂ ଇନ୍ଦ୍ରିୟନିଗ୍ରହ।
ଧୀର୍ବିିଦ୍ୟା ସତ୍ୟଂ ଅକ୍ରୋଧଃ ଦଶକଂ ଧର୍ମ ଲକ୍ଷଣମ୍।।
ଯାହାର ପାଳନ କଲେ ବ୍ୟକ୍ତି ସ୍ୱତଃ ଅନୁଶାସିତ ହୋଇଯାଏ। ଏହା ସୂଚାଇ ଦିଏ ଯେ କର୍ତ୍ତବ୍ୟବୋଧତା ବ୍ୟକ୍ତିଠାରେ ସଂଚାରିତ କରାଇ ପାରିଲେ ଆମ ପାଖରେ ଏମିତି କୌଣସି ସମସ୍ୟା ନାହିଁ ଯାହାକୁ ସମାହିତ କରିହେବ ନାହିଁ।
୨୫. ୪. ୧୮

No comments:
Post a Comment