'ଆତ୍ମବତ୍ ସର୍ବ ଭୂତେଷୁ' ଓ 'ସର୍ବେ ଭବନ୍ତୁ ସୁଖିନଃ' ଭଳି ତତ୍ତ୍ୱଜ୍ଞାନକୁ ଆଚରଣ କରି ମନୁଷ୍ୟ ଦେବତାରେ ପରିଣତ ହୋଇଛି । ଆମ ଜୀବନର ଚାରି ପୁରୁଷାର୍ଥ: ଧର୍ମ, ଅର୍ଥ, କାମ, ମୋକ୍ଷକୁ ଏଠାରେ ଉପରଠାଉରିଆ ଭାବେ ନିଆ ନ ହୋଇ ଗଭୀରତାର ସହ ଚିନ୍ତନ କରି ଗ୍ରହଣ କରାଯାଇଛି। ଯାହା ବିଶ୍ୱ ସଂସ୍କୃତିକୁ ଗରୀୟାନ କରିଛି। ଆମ ଜୀବନ ଯମ, ନିୟମ ଆଦି ସଦଗୁଣ ଦ୍ୱାରା ଆବଦ୍ଧ। ଆମ ଆର୍ଥିକ ସମ୍ପନ୍ନତା ଓ ଅର୍ଥ ଉପାର୍ଜନ ବି ଧର୍ମନିଷ୍ଠ। କାମ ଅର୍ଥାତ୍ କାମନାରେ ସଂଯମତା ଯାହା ମୋକ୍ଷତାର ସତ୍ୟ ଉପଲବ୍ଧ କରିବା ପାଇଁ ପ୍ରତିବଦ୍ଧ। ମୋକ୍ଷ ପ୍ରାପ୍ତି ଅର୍ଥାତ୍ ଆତ୍ମାକୁ ପରମାତ୍ମାଙ୍କଠାରେ ବିଲୀନ ହେବା ପାଇଁ ଅଗ୍ରସର କରାଇବା। ଯେଉଁଠି ବ୍ୟକ୍ତିର କର୍ମସାଧନା ଅହଂକାର ଶୁନ୍ୟ ହୁଏ ସେଠି ପରମାନନ୍ଦ ପରମାତ୍ମାଙ୍କୁ ପ୍ରାପ୍ତ କରିବା ସହଜ ହୋଇଥାଏ। ଏଣୁ ଜୀବନକୁ ଯମ ନିୟମ ମଧ୍ୟରେ ନିୟନ୍ତ୍ରିତ କରାଇ ପାରିଲେ ଏହା ଜ୍ୟୋତିର୍ମୟ ହୋଇ ଜୀବନର ଅନ୍ତଃସଂତୃପ୍ତି ପ୍ରାପ୍ତ କରାଏ।
ମନର ଚଞ୍ଚଳତାକୁ ଧର୍ମ ବା ବିବେକ ହିଁ ଅଙ୍କୁଶ ଲଗାଇପାରେ। ବିବେକର ଅଙ୍କୁଶ ନ ଥିଲେ ମନ ବହୁ ଉପଦ୍ରବ ସୃଷ୍ଟି କରି ଜୀବନର ମୋକ୍ଷ ଲକ୍ଷ୍ୟ ପୂରଣ କରିବାଠାରୁ ଦୂରେଇନେଇ ନର୍କଗାମୀ କରାଇଦିଏ। ଏଣୁ ମନରୂପକ ଘୋଟକକୁ ଲଗାମ ଦେଇ ନିୟନ୍ତ୍ରଣ କରିବାପାଇଁ ଜୀବନ ନିର୍ବାହରେ ଇନ୍ଦ୍ରିୟ ସଂଯମ ଅପରିହାର୍ଯ୍ୟ।
ମନ ଅଧିକ ପରାକ୍ରମଶାଳୀ। ଆଖି ପିଛୁଳାକେ ସେ ଜଳ ସ୍ଥଳ ଆକାଶ ଭ୍ରମଣ କରାଇ ଆଣେ। ଜୀବନ ନୌକାକୁ ମନ ପବନତୁଲ୍ୟ କ୍ଷୀପ୍ରତାର ଗତି ପ୍ରଦାନ କରିଥାଏ। କିନ୍ତୁ ଏହି ଜୀବନ ନୌକାକୁ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବାକୁ ହେଲେ ମନର କ୍ଷୀପ୍ରତାକୁ ନିୟନ୍ତ୍ରିତ କରି ବିବେକର ଆହୁଲା ଦ୍ୱାରା ସଂଚାଳିତ କଲେ ହିଁ ମୋକ୍ଷ ପ୍ରାପ୍ତ କରିହେବ। ବିବେକର ଅଙ୍କୁଶ ନ ଥିଲେ ମାନବ ଦାନବରେ ପରିଣତ ହେବାକୁ ବେଶୀ ସମୟ ଲାଗେ ନାହିଁ। ଏଣୁ ଜୀବନରେ ଚତୁର୍ବର୍ଗ ଫଳ ପ୍ରାପ୍ତି କରିବା ପାଇଁ ଧ୍ୟାନ, ନିଷ୍ଠା, ଇନ୍ଦ୍ରିୟ ସଂଯମ ଭଳି ବିବେକଶୀଳ ତପଶ୍ଚରଣର ଯଥେଷ୍ଟ ଆବଶ୍ୟକତା ରହିଛି।
୨୪. ୪. ୧୮

No comments:
Post a Comment