ଯୌଥ ପରିବାରର ଜେଜେବାପା-ଜେଜେମାଆ, ଆଇ ବୁଢ଼ୀ ମାନଙ୍କର ନିଜ ନାତି ନାତୁଣୀ ମାନଙ୍କୁ ଯେଉଁ ବୀର ଗର୍ବ ଓ ଗାରିମାର କାହାଣୀମାନ ଶୁଣାଉଥିଲେ ତାହା ଆଜି ଜନ ମାନସରୁ ଅନ୍ତର୍ହିତ ହେବାରେ ଲାଗିଛି। ପରି ରାଇଜରେ ପକ୍ଷୀରାଜ ଘୋଡ଼ରେ ଚଢ଼ି ରଜା ପୁଅ ରାଜ କନ୍ୟାକୁ ବିବାହ କରିବାର ଯେଉଁ ଉଦ୍ଦାତ୍ତ, ଦର୍ପିଳ ଓ ବୀର ହେବାର ଶିକ୍ଷା ଦିଆ ଯାଉଥିଲା ତାହା ଆଜି ଆଉ ଆମ ପରିବାର ମାନଙ୍କରେ ଦେଖିବାକୁ ମିଳୁ ନାହିଁ। ପରିବାରରେ ଥିବା ସର୍ଵଜୀବହିତାୟର ଅଭିବ୍ୟକ୍ତିର ସାକାର ରୂପ ଆଜିର ଲୋକ ଚାରିତ୍ରରୁ ଉଭେଇ ଗଲାଣି। ଆଜି ଘର ଅଗଣା କୋଣରେ ଚଢ଼େଇପାଇଁ କିଛି ଖାଦ୍ୟ ଓ ପାନୀୟ ନେଇ ଥୁଆ ହୋଇଥିବା ଆହାର ଥାଳିଟି ଅଣଦେଖାରୁ ଖୁଣ୍ଟ ସନ୍ଧିରେ ପଡ଼ି ରହିଛି। ଯେଉଁଥିପାଇଁ ଆକାଶରେ କ୍ଷୁଧା ବିକଳରେ ଆହାର ଖୋଜି ବୁଲୁଥିବା ଚଢ଼େଇଟିଏ ଖାଦ୍ୟ ନପାଇ ରାଜାଙ୍କ ଆଗରେ ପରିବାର ଠାରୁ ପାଇ ଆସୁଥିବା ଅଧିକାର ସାବ୍ୟସ୍ତ କରିବାକୁ ଗୁହାରି କରୁଛି।
ପରିବାରର ଆଶାକୁ ଆଗକୁ ନେବାରେ ବୁଢ଼ୀମାଆମାନେ ଯେଉଁ ସ୍ୱପ୍ନ ଦେଖୁଥିଲେ ତାରି ଆଧାରରେ ଅବଧି ଲୋକ ଗୀତ ମୁଖର ହୋଇ ଗାଉଛି -
"କବ ଲାଲ ବଡ଼ା କୈ ହୋଇହୈ,
କବ ବାବା କି ବଗିୟା ଜଇହୈ।
କବ ଆମ ଧଵଦି ଲଇ ଅଇହୈ,
କବ ବାବା କା ଜିୟରା ଜୁଡ଼ଇ ହୈ।।"
ଯାହାର ଅର୍ଥ ହେଲା କେବେ ନାତି ବଡ଼ ହେବ, ବାବାଙ୍କ ବଗିଚାରୁ ଆମ୍ବ ତୋଳି ଆଣି ବାବା ଆଗରେ ଥୋଇଦେଵ। ଏହା ଦେଖି ତା ବାବାର ହୃଦୟ ଗଦଗଦ ହୋଇ ଉଠିବ।
ଲୋରୀ ଲୋକ ସଂସ୍କୃତିର ଏହି ସମ୍ବେଦନଶୀଳତା, କୁଟୁମ୍ବରେ ଥିବା ନିଃସ୍ୱାର୍ଥପରତାର ଉଦ୍ଦାତ୍ତ ଭାବନା ସାରା ବିଶ୍ୱ ସଂସ୍କୃତିକୁ ପୁଲକିତ କରୁଥିବା ବେଳେ ବଡ଼ ଦୁଃଖ ଲାଗେ ଆମ ଭାରତୀୟ ପରିବାରରୁ ଏହା ଉଭେଇ ଯାଉଛି। ସତରେ ଏହା କଣ ଆମ ମନରେ ଗଭୀର ଚିନ୍ତାର ରେଖାପାତ କରୁ ନାହିଁ ?
୧୧. ୬. ୧୮

No comments:
Post a Comment